ନିଘୋଡ଼ ନିଦ୍ରାରେ ଯୋଗାଣ ବିଭାଗ: ଓଡ଼ଗାଁରେ ଘରୋଇ ଗ୍ୟାସ୍‌ କଳାବଜାରୀ, ଦର ଆକାଶଛୁଆଁ

ମହିଳାଙ୍କ ନାଁରେ ଭୂତ ହିତାଧିକାରୀ

ଓଡ଼ଗାଁ: ଓଡ଼ଗାଁ ବ୍ଲକ୍‌ରେ ପୁଳାପୁଳା ଦୁର୍ନୀତି ସାମ୍ନାକୁ ଆସିବାରେ ଲାଗିଛି। କେତେବେଳେ ମନରେଗା ଯୋଜନାରେ ଗୋଟିଏ କାମକୁ ଦେଖାଇ ଦୁଇଟି ବିଲ୍ କରି ଠିକାଦାର ଟଙ୍କା ଲୁଟିଲାଣି ତ ଆଉ କେତେବେଳେ ସରକାରୀ ଜାଗାକୁ ଜମି ମାଫିଆମାନେ ମାଡ଼ି ବସି ଏକର ଏକର ଜମି ନିଜ କବଲତକୁ ନେଲେଣି। ଆଉ ଏବେ ଘରୋଇ ଗ୍ୟାସ୍‌ର କଳାବଜାରୀ ଚାଲିଥିବା ଦେଖିବାକୁ ମିଳିଛି। ବଡ଼ ବଡ଼ ହୋଟେଲ, ଫ୍ୟାକ୍ଟ୍ରିରେ ଘରୋଇ ଗ୍ୟାସ୍‌ ନେଇ ବ୍ୟବହାର କରୁଛନ୍ତି। ଏପଟେ ଯୋଗାଣ ବିଭାଗ ସବୁ ଜାଣି ନିଘୋଡ଼ ନିଦ୍ରାରେ ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, କେନ୍ଦ୍ର ସରକାର ଉଜ୍ଜ୍ବଳା ଯୋଜନାରେ ମହିଳାଙ୍କୁ ଗ୍ୟାସ୍‌ ଯୋଗାଇବାକୁ ଏକ ଯୋଜନା କାର୍ଯ୍ୟକାରୀ କଲେ। ମହିଳାମାନେ ଜାଳେଣୀ କାଠ ପରିବର୍ତ୍ତେ ଏଲ‌୍‌ପିଜି ଗ୍ୟାସ୍‌ ବ୍ୟବହାର କରିବାକୁ ମନ ବଳାଇଲେ। କିନ୍ତୁ କିଛି ଗ୍ୟାସ୍‌ ବିତରକ ଏବଂ ଦଲାଲଙ୍କ ମଧୁଚନ୍ଦ୍ରିକା ପାଇଁ କିଛି ମହିଳା କେନ୍ଦ୍ର ସରକାରଙ୍କ ଏହି ଯୋଜନାରୁ ବଞ୍ଚିତ ହେଲେ। ଦଲାଲମାନେ ଗାଁ ଗାଁ ବୁଲି ଗ୍ୟାସ୍‌ ନେବାକୁ କହି ମହିଳାଙ୍କଠାରୁ କାଗଜପତ୍ର ଆଣି ଆଉ ଗ୍ୟାସ୍‌ ଦେଲେ ନାହିଁ। ସେମାନଙ୍କ ନାଁରେ ଓଡ଼ଗାଁର ବିଭିନ୍ନ ହୋଟେଲ, ଫ୍ୟାକ୍ଟ୍ରିରେ ଚୋରାଲୁଚାରେ ଗ୍ୟାସ୍‌ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି। ଏଭଳି ଘଟଣାକୁ ନେଇ ଓଡ଼ଗାଁ ଆକ୍ସିସ୍‌ ବ୍ୟାଙ୍କ ନିକଟରେ ଏଚ୍‌ପି ଗ୍ୟାସ୍‌ ଏବଂ ଭାରତ ଗ୍ୟାସ୍‌ ଦୋକାନୀଙ୍କ ମଧ୍ୟରେ ତୁମୁଳ କାଣ୍ତ ଘଟି ଦୁଇ ବ୍ୟବସାୟୀ ଗୁରୁତର ଆହତ ହୋଇଥିଲେ। ଏହି ଘରୋଇ ଗ୍ୟାସ୍‌ ଜଣେ ନେଇ ଗୋଟିଏ ଦୋକାନରେ ବିକ୍ରି କରୁଥିବା ବେଳେ ଆଉ ଜଣେ ଦୋକାନୀ ନେଇ କମ୍ ଦରରେ ବିକ୍ରି କରିବାରୁ ଏଭଳି ଘଟଣା ଘଟିଥିଲା। ଗ୍ୟାସ୍‌ ବିତରକ କଂପାନି ଭଲ ଲାଭ ପାଇବା ଆଶାରେ ଦଲାଲମାନଙ୍କୁ ହାତବାରିସି କରି ଗ୍ୟାସ୍‌ ଯୋଗାଣ କରି ଆସୁଛି। ଏଭଳି ହଜାର ହଜାର ଉପଭୋକ୍ତା ଗ୍ୟାସ୍‌ ପାଇବାରୁ ବଂଚିତ ଥିଲାବେଳେ ହଜାର ହଜାର ଗ୍ୟାସ୍‌ କଲାବଜାରୀ ହେଉଛି।

ଓଡ଼ଗାଁ ବ୍ଲକ୍‌ର ଅଧିକାଂଶ ଆଦିବାସୀ ପରିବାରଙ୍କୁ ଗ୍ୟାସ୍‌ ଦେବା ନାଁରେ ଠକେଇ କରାଯାଇଥିବା ଅଭିଯୋଗ ହୋଇଛି। ଘରୋଇ ଗ୍ୟାସ୍‌ ନେଇ ବ୍ୟବସାୟୀମାନେ ବେଶ ଲାଭବାନ୍ ହେଉଥିବା ଜଣାପଡ଼ିଛି। ନିୟମ କହୁଛି ବ୍ୟବସାୟୀକ କ୍ଷେତ୍ରରେ ଦୋକାନୀମାନେ ଘରୋଇ ଗ୍ୟାସ୍‌ ବ୍ୟବହାର କରିପାରିବେ ନାହିଁ। ଖାଉଟିଙ୍କ ପାଇଁ ସରକାର ଗୋଟିଏ ଦର ଲାଗୁ କରିଥିବା ବେଳେ ହୋଟେଲ କିମ୍ବା ବଡ଼ ବଡ଼ କଂପାନିଙ୍କ ପାଇଁ ସରକାର ଆଉ ଗୋଟିଏ ଦର ଲାଗୁ କରିଛନ୍ତି। କିନ୍ତୁ ଘରୋଇ ଗ୍ୟାସ୍‌ ଦରଠାରୁ ବ୍ୟବସାୟ କ୍ଷେତ୍ରରେ ବ୍ୟବହାର ହେଉଥିବା ଗ୍ୟାସ୍‌ ଦର ଅଧିକ ଥିବାରୁ ସମସ୍ତେ ଚୋରା ଲୁଚାରେ ଏହି ଘରୋଇ ଗ୍ୟାସ୍‌ ଆପଣାଉଛନ୍ତି। ଏଭଳି ବର୍ଷ ବର୍ଷ ଧରି ଦଲାଲ ଖାଉଟିମାନଙ୍କୁ ଶୋଷଣ କରି ହୋଟେଲ କିମ୍ବା ଫ୍ୟାକ୍ଟ୍ରିଗୁଡ଼ିକୁ ଗ୍ୟାସ୍‌ ଯୋଗାଇ ଆସୁଛନ୍ତି। ବର୍ଷ ବର୍ଷ ଧରି ଲୋକଙ୍କ ଗ୍ୟାସ୍‌ ଲୁଟ୍ ହେଉଥିଲେ ମଧ୍ୟ ଜାଣି ଅଜଣା ରହିଛି ଯୋଗାଣ ବିଭାଗ। କେବେ ହୋଟେଲ କିମ୍ବା ବଡ଼ ବଡ଼ ଦୋକାନକୁ ଖାନତଲାସୀ କରାଯାଇନାହିଁ। ମହିଳାଙ୍କ ଗ୍ୟାସ୍‌କୁ ନେଇ କଳାବଜାରୀ କରୁଥିବା ଗ୍ୟାସ୍‌ ବିତରକ କଂପାନିଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଏବେ ଏଲପିଜି ଗ୍ୟାସ୍‌ର ସୁବିଧା ନ ପାଇ ମହିଳାମାନେ ହଟହଟା ହେଉଛନ୍ତି। ତୁରନ୍ତ ଗ୍ୟାସ୍‌ ବିତରକଙ୍କ ତାଲିକା ବାହାର କରି ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରି ଗ୍ୟାସ୍‌ କଂପାନି ଏବଂ ଦଲାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି। ଏହି ଘଟଣାରେ ଜିଲ୍ଲା ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକ କହିଛନ୍ତି ଏହା ମୋ ନଜରକୁ ଆସିନଥିଲା। ତଥାପି ମୁଁ ବ୍ଲକ୍ ଯୋଗାଣ ଅଧିକାରୀଙ୍କୁ କହିବି ତଦନ୍ତ କରି ରିପୋର୍ଟ ଦେବାକୁ।

ସମ୍ବନ୍ଧିତ ଖବର