କାଲିଠୁ ବଦଳିପାରେ ପାଗ: ୭ ତାରିଖରେ ୨୦ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ବର: ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଆଜି ଟିଟିଲାଗଡ଼ ରାଜ୍ୟର ସବୁଠାରୁ ଉତପ୍ତ ସହର ହୋଇଛି। ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ କଲବଲ ହେଉଛନ୍ତି ରାଜ୍ୟବାସୀ। ୨୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ପାର କରିଛି। ତାତି ସାଙ୍ଗକୁ ଗୁଳୁଗୁଳି ବଢ଼ିଥିବା ବେଳେ ଏହା ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଗୁଳୁଗୁଳି ଯୋଗୁଁ ଅନୁଭୁତ ତାପମାତ୍ରା ଅଧିକ ରହୁଛି, ଯାହା ରାଜ୍ୟବାସୀଙ୍କୁ ବେଶି କଷ୍ଟ ଦେଉଛି। ଆଗକୁ ବର୍ଷା ସମ୍ଭାବନା ଥିଲେ ମଧ୍ୟ କିଛି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ କାଲିଠୁ ପାଗରେ ପରିବର୍ତ୍ତନ ଆସିପାରେ। ଦିନର ସର୍ବୋଚ୍ଚ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ କମିପାରେ। ୬ ତାରିଖରେ ୬ ଜିଲ୍ଲା ଏବଂ ୭ ତାରିଖରେ ୨୦ ଜିଲ୍ଲାକୁ କାଳବୈଶାଖୀ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ୮ ତାରିଖରେ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାକୁ ଛାଡ଼ି ଅନ୍ୟ ସ୍ଥାନରେ ବଜ୍ରପାତ ଓ ଝଡ଼ ତୋଫାନ ଆଶଙ୍କା ରହିଛି। କିଛି ସ୍ଥାନରେ ପବନର ବେଗ ଘଂଟା ପ୍ରତି ୪୦ରୁ ୫୦ କିଲୋମିଟର ରହିପାରେ। ଏହି ସମୟରେ ସମୁଦ୍ର ମଧ୍ୟ ଅଶାନ୍ତି ରହିବ। ତେଣୁ ୬ରୁ ୮ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ତାତି ଅତିଷ୍ଟ କରୁଥିବା ବେଳେ ବର୍ଷା ସମ୍ଭାବନା ଖବର ଆଶ୍ୱସ୍ତି ଆଣିଛି। ତେବେ କାଳବୈଶାଖୀ ଝଡ଼ତୋଫାନ ଯେତିକିି ଆଶ୍ୱସ୍ତି ଦେଇଛି ଝଡ଼ ତୋଫାନ ଆଶଙ୍କା ମନରେ ଛନକା ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର