କୋଭିଡ ଟିକା ନେବାପରେ ଏସବୁ ଅସୁବିଧାର ସାମ୍ନା କରିଛି

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଶ୍ରେୟସ ତଲପଡେ ନିଜ ଦମଦାର ଅଭିନୟ ପାଇଁ ବେଶ୍ ଚର୍ଚ୍ଚାର ପରିସରରେ ରହିଥାଆନ୍ତି। ଗତବର୍ଷ ଡିସେମ୍ବର ମାସରେ ଶ୍ରେୟସ ତଲପଡେଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା।

୨୦୨୩ ଡିସେମ୍ବର ୧୪ ତାରିଖରେ ଶ୍ରେୟସ ତଲପଡେଙ୍କୁ ହଠାତ ନିଶ୍ବାସ ନେବା‌ରେ ଅସୁବିଧା ହୋଇଥିଲା। ତେଣୁ ତାଙ୍କୁ ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କର ଚିକିତ୍ସା ପରେ ତଲପଡ଼େ ହୃତଘାତର ଶିକାର ‌ହୋଇଥିବା ଜାଣିବାକୁ ପାଇଥିଲେ।

ହସ୍ପିଟାଲରେ କିଛିଦିନ ଚିକିତ୍ସିତ ହେବାପରେ ଅଭିନେତା ଘରକୁ ଫେରି ଆସିଥିଲେ। ଏହାପର ଠାରୁ ଡାକ୍ତର କହିଥିବା ସମୟ ଅନୁସାରେ ଶ୍ରେୟସ ତଲପଡେ ଔଷଧ ସେବନ କରୁଛନ୍ତି । ଏବେ ସେ ସୁସ୍ଥ ଅଛନ୍ତି।

ନିକଟରେ ଶ୍ରେୟସ ତଲପଡେଙ୍କ ସହିତ ଏକ ସାକ୍ଷାତକାର ହୋଇଥିଲା। ଏହି ସାକ୍ଷାତକାରେ ତଲପଡେ ନିଜ ସ୍ବାସ୍ଥ୍ୟ ଓ କୋଭିଡ଼ ଟିକାକୁ ନେଇ ଚାଞ୍ଚଲ୍ୟକର କଥା କହିଛନ୍ତି।

ଅଭିନେତା ତଲପଡେ କହିଛନ୍ତି, ‘ସତ କହିବାକୁ ଗଲେ ମୁଁ ମାସକୁ ଥରେ ମଦ ପିଇଥାଏ। ପାନ, ଗୁଟଖା ଆଦୌ ସେବନ କରେ ନାହିଁ। ମୋର କୋଲେ‌ଷ୍ଟ୍ରଲସ୍ତର ଅଧିକ ଥିଲା। ତେଣୁ ମୁଁ ଚିକିତ୍ସାରେ ଥିଲି। ମୋ‌ର ଶରୀରରେ ମଧୁମେହ ଓ ରକ୍ତଚାପ ଭଳି କୌଣସି ସମସ୍ୟା ନାହିଁ। ଏହା ସତ୍ତ୍ବେ ବି ହୃଦଘାତର ଶିକାର ହେବା ମୋ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। କେଉଁ କାରଣରୁ ମୋର ହୃଦଘାତ ହୋଇଥାଇପାରେ ବୋଲି ସବୁବେଳେ ମନରେ ପ୍ରଶ୍ନ ଉଙ୍କି ମାରୁଥାଏ।

ଦାବିର ସହ ତ କହିପାରିବି ନାହିଁ କିନ୍ତୁ ମୁଁ ଅନୁମାନ କରିଛି କୋଭିଡ଼ ଟିକା ନେବା ପରେ ମୋର ଶରୀର ପୂର୍ବ ଅପେକ୍ଷା ଦୁର୍ବଳ ହୋଇଯାଇଛି। ସେ ସମୟରେ ମୋତେ ବହୁତ କ୍ଲାନ୍ତ ଲାଗୁଥିଲା। ଏବେ ବି ସମୟ ସମୟରେ ସେମିତି ଅନୁଭବ ହେଉଛି। ତେ‌ବେ ମୁଁ କହିବି ୧୦୦ ପ୍ରତିଶତ ନହେଲେ ବି କୋଭିଡ ଟିକାର କିଛି ପ୍ରତିଶତ ମୋ ହୃତଘାତର କାରଣ ହୋଇପାରେ।’

ସମ୍ବନ୍ଧିତ ଖବର