ବିନା କାରଣରେ ୫୦ହଜାର ଟଙ୍କା ଲାଂଚ ନେଇଥିଲେ ବୈପାରୀଗୁଡା ଆଇଆଇସି

ଜୟପୁର: କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କ ନିକଟରୁ ଦୁଇ ଦିନରେ ୩୭ଲକ୍ଷ ଟଙ୍କା ଭିଜିଲାନ୍ସ ଠାବ କରିବା ପରେ ତାଙ୍କ କଳାକାରନାମା ଧିରେ ଧିରେ ବାହାରୁଛି। ଏଭଳିକି ସେ କରିଥିବା ଦବଙ୍ଗଗିରି ସଂପର୍କରେ ପାଟି ଖୋଲିଛନ୍ତି ଜୟପୁରର ଜଣେ ପିଡୀତ କାଉନସିଲର। କାଉନସିଲର ଦେବେନ୍ଦ୍ର ଚୌଧୁରୀ ନିଜେ କିଭଳି ଏହି ଅଧିକାରୀଙ୍କ ଦାଦାଗିରି ଓ ଭୟର ଶିକାର ହୋଇଛନ୍ତି ଗଣମାଧ୍ୟମ ଆଗରେ ବଖାଣିଛନ୍ତି। ଢ଼େପଗୁଡା ଅଂଚଳର ଜୈନେକ ଟ୍ରକ ମାଲିକଙ୍କୁ ବିନା କାରଣରେ ରାୟଗଡ଼ାରେ ହୋଇଥିବା ଏକ ଲୁହା ଚୋରି ମାମଲାରେ ଜୟପୁର ଟାଉନଥାନାକୁ ଡକାଇଥିଲେ। ସେ ସାହି ବାସିନ୍ଦା ଜଣକ କାଉନସିଲର ଶ୍ରୀ ଚୌଧୁରୀଙ୍କୁ ଜଣାଇବା ପରେ ସେ ଘଟଣା ସଂପର୍କରେ ବୁଝିବାକୁ ଟାଉନଥାନାକୁ ଯାଇଥିଲେ। ତେବେ ଟାଉନଥାନାରେ ଜଣେ ସବଇନିସପେକ୍ଟରଙ୍କ ସମ୍ମୁଖରେ ତାଙ୍କୁ ସେ କାଉନସିଲର ବୋଲି କହିବା ପରେ ତାଙ୍କୁ ଦୁର୍ବବ୍ୟବହାର କରିବା ସହ ଅସଭ୍ୟ ଭାଷା ବ୍ୟବହାର କରିଥିଲେ।

ଉକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଥାନାକୁ ନ ଆଣିଲେ ସେ କାଉନସିଲରଙ୍କୁ ଗଂଜେଇ ମାମଲାରେ ପସାଇ ଜେଲ୍ କୁ ପଠାଇ ଦେବେ ବୋଲି ଧମକ ଦେଇଥିବା କହିଛନ୍ତି କାଉନସିଲର ଶ୍ରୀ ଚୌଧୁରୀ। ଉକ୍ତ ରାୟଗଡ଼ାର ଚୋରି ମାମଲାରେ ଜୟପୁରର ଟ୍ରକ ସଂପୃକ୍ତ ନଥିଲେ ହେଁ ଜୋର ଜବରଦସ୍ତ ଟ୍ରକର କାଚକୁ ଭାଙ୍ଗି ଅନ୍ୟ ଜଣେ ଡ୍ରାଇଭର ହାତରେ ଟ୍ରକକୁ ରାୟଗଡ଼ା ନେଇଯାଇଥିଲେ। ଅଭିଯୁକ୍ତ ଜଣକ ଟ୍ରକ ଚୋରିରେ ଜଡ଼ିତ ନଥିବା କହିଥିଲେ ହେଁ ଶତପଥୀ ନ ଶୁଣି ଟ୍ରକ ମାଲିକଙ୍କୁ ଡରାଇ ଧମକାଇ, ଭୟ ଦେଖାଇ ୫୦ହଜାର ଟଙ୍କା ଲାଂଚ ନେଇଥିବା ଅଭିଯୋଗ କରିଛନ୍ତି କାଉନସିଲର। ଲାଂଚ ନେବା ପରେ ଗାଡ଼ି ଜିମା ଦେଇନଥିଲେ। କୋର୍ଟର ନିର୍ଦ୍ଦେଶକ୍ରମେ ଉକ୍ତ ଟ୍ରକ ମାଲିକ ଟ୍ରକ ଆଣିଥିବା କହିଛନ୍ତି କାଉନସିଲର। ଟ୍ରକରେ ଲୋଡ ହୋଇଥିବା କିଛି ସାମଗ୍ରୀ ବି ଗାୟବ ହୋଇଥିବା କହିଛନ୍ତି କାଉନସିଲର। ଏଭଳି ଲାଂଚୁଆ, ଆଇନକୁ ହାତକୁ ନେଇ ଲୋକଙ୍କୁ ହଇରାଣ ହରକତ କରୁଥିବା ପୁଲିସ ବାବୁ ଜଣକ ନିଶ୍ଚିତ ରୁପେ ବଡ଼ କିଛି ମାମଲାରେ ସଂପୃକ୍ତ ରହି ଏତେ ଟଙ୍କା ଜମା କରିଥିବେ। ଭିଜିଲାନ୍ସ ଏହାର ଭଲ ଭାବେ ଖୋଳତାଡ଼ କରିଲେ ଏହି ୩୭ଲକ୍ଷ ଟଙ୍କାର ସତ୍ୟାସତ୍ୟ ଜଣା ପଡ଼ିବ ବୋଲି କହିଛନ୍ତି କାଉନସିଲର ‌ଶ୍ରୀ ଚୌଧୁରୀ।

ସମ୍ବନ୍ଧିତ ଖବର