ଟାଏକୋଣ୍ଡୋ ଦ୍ରୋଣାଚାର୍ଯ୍ୟ ନିର୍ମଳ, ୩ ହଜାର ପିଲାଙ୍କୁ ଦେଲେଣି ତାଲିମ

କେନ୍ଦୁଝର଼: ବର୍ଷବର୍ଷ ଧରି ଗ୍ରାମାଞ୍ଚଳର ଝିଅମାନଙ୍କୁ ଆତ୍ମରକ୍ଷା କୌଶଳ ଶିଖାଉଛନ୍ତି। ଝିଅମାନେ କିଭଳି ନିଜେ ନିଜର ସୁରକ୍ଷା କରିପାରିବେ ‌ସେ ନେଇ ଟାଏକୋଣ୍ଡ ପ୍ରଶିକ୍ଷଣ ଦେଉଛନ୍ତି। ୧୫ ବର୍ଷ ମଧ୍ୟରେ ୩ ହଜାର ପିଲାଙ୍କୁ ତାଲିମ ଦେଇ ଟାଏକୋଣ୍ଡର ଦ୍ରୋଣାଚାର୍ଯ୍ୟ ପାଲଟି ଯାଇଛନ୍ତି ତେଲକୋଇ ବ୍ଲକ୍‌ ଛାମୁଣ୍ଡା ଗ୍ରାମର ନିର୍ମଳ ଚନ୍ଦ୍ର ନାୟକ।

ନିର୍ମଳଙ୍କ ବାପା ହେଉଛନ୍ତି ତେଲକୋଇର ପୂର୍ବତନ ବିଧାୟକ ପ୍ରାଣବଲ୍ଲଭ ନାୟକ। ନିର୍ମଳ ଭୁବନେଶ୍ବରର କ୍ୟାପିଟାଲ ହାଇସ୍କୁଲ୍‌ରେ ପାଠପଢ଼ା ପରେ ସରକାରୀ ଯାନ୍ତ୍ରିକ ବିଦ୍ୟାଳୟରୁ ଇଲେକ୍ଟ୍ରିକାଲ ବିଭାଗରେ ଡିପ୍ଲୋମା ପାସ୍‌ କରିଥିଲେ। ଏହାପରେ ସେ ଇମ୍ଫା, ଓଡ଼ିଶା ସ୍ପଞ୍ଜ ଭଳି କମ୍ପାନିରେ ଉଚ୍ଚ ବେତନରେ ଚାକିରି କରୁଥିଲେ। କ୍ରୀଡ଼ାପ୍ରେମୀ ନିର୍ମଳଙ୍କୁ ଘରୋଇ କମ୍ପାନି ଚାକିରି ସବୁବେଳେ ଅଡ଼ୁଆରେ ପକାଉଥିଲା। କୌଣସି ସ୍ଥାନରେ କ୍ରୀଡ଼ା ପ୍ରତିଯୋଗିତା କିମ୍ବା ତାଙ୍କର ରୁଚି ରହୁଥିବା ଟାଏକୋଣ୍ଡ ପ୍ରତିଯୋଗିତା ହେଲେ କମ୍ପାନିରୁ ଛୁଟି ମିଳୁ ନ ଥିଲା। ଯେଉଁଥିପାଇଁ ସ୍ବାଭିମାନୀ ନିର୍ମଳ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଲେ। ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ଥିବାରୁ ସେ ଚାକିରି ଛାଡ଼ି ୨୦୦୮ରୁ ବିଧିବିଦ୍ଧ ଭାବେ ପିଲାଙ୍କୁ ଟାଏକୋଣ୍ଡ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ।

ପ୍ରଥମେ ଜଣେ ଦୁଇଜଣ ପିଲାଙ୍କୁ ସେ ଟାଏକୋଣ୍ଡ ପ୍ରଶିକ୍ଷଣ ଦେଉଥିଲେ। ପରେ ପିଲାଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା। ନିର୍ମଳ ଇତିମଧ୍ୟରେ ୩ ହଜାରରୁ ଊର୍ଦ୍ଧ୍ବ ପିଲାଙ୍କୁ ଟାଏକୋଣ୍ଡ ପ୍ରଶିକ୍ଷଣ ଦେଇସାରିଲେଣି। ସବୁଠୁ ବଡ଼କଥା ହେଉଛି ନିର୍ମଳ ନିୟମିତ ଭାବେ ବିଭିନ୍ନ ଗ୍ରାମାଞ୍ଚଳକୁ ଯାଇ ଝିଅମାନଙ୍କୁ ମାଗଣାରେ ଆତ୍ମରକ୍ଷା କୌଶଳ ତାଲିମ ଦେଉଛନ୍ତି। ହରିଚନ୍ଦନପୁର ବ୍ଲକ୍‌ର ବାଲିପୋଖରୀ, ପାଟଣା ବ୍ଲକ୍‌ର ଖିରେଇଟାଙ୍ଗିରୀ, କେନ୍ଦୁଝର ସଦର ବ୍ଲକ୍‌ର ମଇଦାନକେଲ, ତେଲକୋଇ ବ୍ଲକ୍‌ର ପଡ଼ାଙ୍ଗ ଗ୍ରାମରେ ଶିବିର କରି ମାଗଣାରେ ଟାଏକୋଣ୍ଡ ସହିତ ପାରମ୍ପରିକ ସାମରିକ କଳା ଶିଖାଉଛନ୍ତି। ବିଶେଷ କରି ଅପରାଧୀମାନଙ୍କ ଠାରୁ ନିଜକୁ କିଭଳି ମୁକୁଳାଇ ହେବ ସେନେଇ ପ୍ରଶିକ୍ଷଣ ଦେଉଛନ୍ତି। ଏ ସମ୍ପର୍କରେ ନିର୍ମଳ କହିଛନ୍ତି, ସେ ସବୁବେଳେ ଅନ୍ତରାତ୍ମାର କଥା ଶୁଣନ୍ତି। ଚାକିରି କରିଥିଲେ ହୁଏତ ଆଜି କେଉଁ କମ୍ପାନି‌ରେ ବଡ଼ ପଦବିରେ ରହିଥାନ୍ତେ। ମାତ୍ର ଜିଲ୍ଲାର ପୁଅଝିଅମାନଙ୍କୁ ପାରମ୍ପରିକ ସାମରିକ କଳା ଓ ଟାଏକୋଣ୍ଡ ଶିକ୍ଷା ଦେଇପାରି ନଥାନ୍ତେ। ଏହି କାମ କରି ସେ ଆତ୍ମସନ୍ତୋଷ ପାଉଥିବା କହିଛନ୍ତି। ସମାଜରେ ଅପରାଧ ବଢ଼ି ଚାଲିଥିବା ବେଳେ ଝିଅମାନେ ଅସୁରକ୍ଷିତ ହୋଇ ପଡ଼ୁଛନ୍ତି। ତେଣୁ ଝିଅମାନଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣ ଦେବା ତାଙ୍କର ଲକ୍ଷ୍ୟ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର