ପରୀକ୍ଷାଖାତା ଘରକୁ ନେଇଥିବା ଛାତ୍ରୀ ଏମ୍‌ପି ହେବା ଘଟଣା: ନ୍ୟାୟ ପାଇଁ ମାଆଝିଅଙ୍କ ଧାରଣା

କାର୍ଯ୍ୟାନୁଷ୍ଠାନ ପାଇଁ ଆସିଲା ଚିଠି

ସିମୁଳିଆ: ସିମୁଳିଆ ବ୍ଲକ୍‌ ଜାମୁଝାଡ଼ିସ୍ଥିତ ଦାମୋଦର ସରକାରୀ ଉଚ୍ଚବିଦ୍ୟାଳୟ ମାଟ୍ରିକ୍‌ ପରୀକ୍ଷା କେନ୍ଦ୍ରରେ ମାର୍ଚ୍ଚ ୨୦ ତାରିଖ ଦିନ ଗଣିତ ପରୀକ୍ଷା ହୋଇଥିଲା। ପରୀକ୍ଷା ସରିବା ପରେ ରାଣୀ ମଲ୍ଲିକ ନାମକ ଜଣେ ପରୀକ୍ଷାର୍ଥୀ ନିଜର ଉତ୍ତରଖାତା ଘରକୁ ନେଇଯାଇଥିଲେ। ମୂଲ୍ୟାୟନ ପାଇଁ ଖାତା କଟକ ଜିଲ୍ଲା ସାଲେପୁରସ୍ଥିତ ଏକ କେନ୍ଦ୍ରକୁ ଯାଇଥିଲା। ସେଠାରେ ମୂଲ୍ୟାୟନ କରୁଥିବା ଶିକ୍ଷକ ଉପସ୍ଥାନ ତାଲିକାରେ ପରୀକ୍ଷାର୍ଥୀଙ୍କ ରୋଲ୍‌ ନମ୍ବର ଓ ଦସ୍ତଖତ ଥିବା ବେଳେ ତାଙ୍କ ଉତ୍ତରଖାତା ପାଇ ନଥିଲେ। ଯାହାକୁ ନେଇ ଖୋଳତାଡ଼ କରାଯାଇଥିଲା।

ତତ୍‌କାଳୀନ ପରୀକ୍ଷା କେନ୍ଦ୍ର ପରିଚାଳକ ତଥା ପ୍ରଧାନଶିକ୍ଷକଙ୍କୁ ଘଟଣା ସମ୍ପର୍କରେ ଜଣାଯାଇଥିଲା। ସେ ସମ୍ପୃକ୍ତ ପରୀକ୍ଷାର୍ଥୀ; ରାଣୀଙ୍କ ସହ ଯୋଗାଯୋଗ କରିଥିଲେ। ପରୀକ୍ଷାର୍ଥୀ ଜଣକ ସାଙ୍ଗରେ ନେଇଆସିଥିବା ଉତ୍ତରଖାତା ଦେବା ପରେ ତାକୁ ପରୀକ୍ଷାର ୩ ସପ୍ତାହ (୨୨ ଦିନ) ପରେ ମୂଲ୍ୟାୟନ କେନ୍ଦ୍ରକୁ ପଠାଯାଇଥିଲା। ତେବେ ମାଟ୍ରିକ୍‌ ଫଳ ପ୍ରକାଶ ପାଇବା ପରେ ରାଣୀ ଏମ୍‌ପି ହୋଇଥିବା ଜଣାପଡ଼ିଥିଲା। ହେଲେ ପ୍ରକୃତରେ ସେ ଏମ୍‌ପି ହୋଇ ନଥିଲେ। ଫଳ‌ରେ ରାଣୀ ପରୀକ୍ଷା ପରିଚାଳନା ନେଇ ପ୍ରଶ୍ନ ଉଠାଇବା ସହ ନ୍ୟା‌ୟ ପାଇଁ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଓ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏପରି ସମୟରେ ଆଜି ସେ ସିମୁଳିଆ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତାଙ୍କ ମାଆଙ୍କ ସହ ଧାରଣା ଦେଇଥିଲେ।

ବିଇଓ ପ୍ରକାଶ ଚନ୍ଦ୍ର ମହାଳିକ ରାଣୀ ଓ ତାଙ୍କ ମାଆଙ୍କ ସହ ଆଲୋଚନା କରିବା ସହ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ କଥା ହୋଇଥିଲେ ଏବଂ ୭ ଦିନ ମଧ୍ୟରେ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଫଳରେ ସେମାନେ ଧାରଣାରୁ ଓହରିଥିଲେ। ଅନ୍ୟପଟେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଗତକାଲି ୧୩୫୭୩ ମୂଳେ ଏକ ଚିଠି ବାଲେଶ୍ବର ଜିଲ୍ଲା ଶିକ୍ଷାଧିକାରୀ ବିଷ୍ଣୁଚରଣ ସୂତାରଙ୍କୁ ପ୍ରଦାନ କରିଛନ୍ତି। ଯେଉଁ ଚିଠିରେ ପରୀକ୍ଷାକେନ୍ଦ୍ର ନିରୀକ୍ଷକ ତଥା ଦାମୋଦର ସରକାରୀ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ଦତ୍ତଙ୍କ ବିରୁଦ୍ଧରେ କାର୍ଯ୍ୟା‌ନୁଷ୍ଠାନ ନେବାକୁ ନିର୍ଦ୍ଦେଶ ରହିଛି।

ସମ୍ବନ୍ଧିତ ଖବର