କୋଭିଡ୍‌ ମାଡ଼ରେ ଅଢ଼େଇବର୍ଷ ହେଲା ସିନେମା ହଲ୍‌ ବନ୍ଦ

ଆନନ୍ଦପୁର, ୨୯/୮ ): ମାସେ ନୁହେଁ କି ଦୁଇମାସ ଦୀର୍ଘ ଅଢେଇବର୍ଷ ହେଲାଣି ବନ୍ଦ ପଡ଼ିଛି ଆନନ୍ଦପୁରର ଏକମାତ୍ର ସିନେମା ହଲ। କରୋନା ପ୍ରଭାବରେ କ୍ଷତିଗ୍ରସ୍ତ ଅନେକ ବ୍ୟବସାୟରେ ସୁଧାର ଆସିଥିବାବେଳେ ପ୍ରେକ୍ଷାଳୟରେ ବ୍ୟବସାୟରେ ସୁଧାର ଆସିପାରୁ ନାହିଁ।  ସରକାରଙ୍କ ପକ୍ଷରୁ କୌଣସି ପ୍ରୋତ୍ସାହନ ମିଳୁ ନଥିବାରୁ ପ୍ରେକ୍ଷାଳୟ ଖୋଲିବା ସମ୍ଭବ ହୋଇନାହିଁ।

ବିଶିଷ୍ଟ ସମାଜସେବୀ  ଯୁବରାଜ ମୁଦୁଲିଙ୍କ ଉଦ୍ୟମରେ ୧୯୭୯ ଡିସେମ୍ବର ୧୪ରେ ଆନନ୍ଦପୁରର ପ୍ରଥମ ସିନେମାହଲ ଲକ୍ଷ୍ମୀ ଟକିଜର ଭିତ୍ତିପ୍ରସ୍ତର କରାଯାଇଥିଲା।  କେନ୍ଦୁଝର ଜିଲ୍ଲା ସମେତ ପଡ଼ୋଶୀ ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଜିଲ୍ଲାର ‌ଦର୍ଶକମାନେ ଏଠାକୁ ସିନେମା ଦେଖିବାକୁ ଆସୁଥିଲେ। ପ୍ରବଳ ଗହଳି ଲାଗୁଥିଲା। ମାତ୍ର କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ୨୦୨୦ ମାର୍ଚ୍ଚ ୨୩ ତାରିଖରୁ ସିନେମାହଲ ଉପରେ କଟକଣା ଜାରି କରାଯିବାରୁ ସେହିଦିନଠାରୁ ପ୍ରେକ୍ଷାଳୟରେ ତାଲା ପଡ଼ିଯାଇଥିଲା। ସରକାରଙ୍କ ପକ୍ଷରୁ କଟକଣା କୋହଳ କରାଯାଇ ସନେମାହଲଗୁଡିକୁ ଚାଲିବାକୁ ଅନୁମତି ପ୍ରଦାନ କରାଯାଇଥିଲେ ମଧ୍ୟ ଆନନ୍ଦପୁର ସମେତ ରାଜ୍ୟର ଅନେକ ସିନେମାହଲ ଏବେବି ଖୋଲି ପାରିନାହ‌ିଁ।

କୋଭିଡ଼୍ ସମୟରେ କେଜିଏଫ୍ ଚାପ୍ଟର-୨, ପୁଷ୍ପା, ଆରଆରଆର, କାର୍ତ୍ତିକେୟ ଭଳି ବିଗ୍ ବଜେଟ୍ ହିନ୍ଦି ସିନେମା ସାରା ଦେଶରେ ରେକର୍ଡ ବ୍ୟବସାୟ କରି ଚର୍ଚ୍ଚାକୁ ଆସିଥିଲେ ମଧ୍ୟ ଆନନ୍ଦପୁର ସିନେମାହଲ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ସିନେମାହଲ ମାଲିକ ରମେଶ ଚନ୍ଦ୍ର ମୁଦୁଲି କହିଛନ୍ତି ଦୀର୍ଘବର୍ଷ ହେ‌ଲା ସିନେମାହଲ ଚାଲିବା ସମ୍ଭବ ହୋଇ ନଥିବାବେଳେ ଏହାଉପରେ ନିର୍ଭର କରୁଥିବା ଅନେକ କର୍ମଚାରୀଙ୍କ ସମେତ ବ୍ୟବସାୟୀଙ୍କ ରୋଜଗାର ଠପ୍ ହୋଇଯାଇଛି। ସିନେମା ହଲ ପୁଣିଥରେ ଆରମ୍ଭ କରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ଏହା ସମ୍ଭବ ହୋଇନାହିଁ। ବିଶେଷକରି ଏହି ହଲରେ ଅଧିକ ଓଡ଼ିଆ ସିନେମା ଚାଲିଥାଏ।

ପୂର୍ବରୁ ଗୋଟିଏ ଗୋଟିଏ ଓଡ଼ିଆ ସିନେମା ୫ ସପ୍ତାହରୁ ୧୦ ସପ୍ତାହ ପର୍ଯ୍ୟନ୍ତ ଚାଲୁଥିଲା ଏବଂ ବ୍ୟବସାୟିକ ସଫଳତା ଲାଭକରି ରେକର୍ଡ ସୃଷ୍ଟି କରିଥିଲା। ଏବେ ଆଉ ଗୁଣାତ୍ମକ ଓଡ଼ିଆ ସିନେମା ନିର୍ମାଣ ହେଉ ନଥିବାରୁ ହଲରେ ସେଇଭଳି ବ୍ୟବସାୟିକ ସଫଳତା ମିଳୁନାହିଁ। ସରକାରଙ୍କ ତରଫରୁ ମଧ୍ୟ ପ୍ରେକ୍ଷାଳୟ ଚଲାଇବାପାଇଁ କୌଣସି ପ୍ରୋତ୍ସାହନ ମିଳୁନାହିଁ। ଏହା ତାଙ୍କ ପରିବାରର ପ୍ରମୁଖ ଅନୁଷ୍ଠାନ ହୋଇଥିବାରୁ ଆଗାମୀ ଦିନରେ ଏହାକୁ ଚଲାଇବାକୁ ଉଦ୍ୟମ ଚାଲିଛି ‌ବୋଲି ଶ୍ରୀ ମୁଦୁଲି କହିଛନ୍ତି। ଆନନ୍ଦପୁରର ଏକମାତ୍ର ସିନେମାହଲ ବନ୍ଦ ରହିଥିବାରୁ ଉପଖଣ୍ଡର ସିନେପ୍ରେମୀଙ୍କୁ ନିରାଶ କରିଛି। ଲୋକମାନେ ବଡ଼ପରଦାରେ ସିନେମା ଦେଖିବାରୁ ବଞ୍ଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର