କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ମନ୍ତବ୍ୟକୁ ଆପ୍‌ର ନିନ୍ଦା

ଭୁବନେଶ୍ବର : ଦୁଇ ଦିନ ତଳେ ଏକ ସାକ୍ଷାତକାରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାନୀତିକୁ ନେଇ ରଖିଥିବା ମତକୁ ନିନ୍ଦା କରିଛନ୍ତି ଆମ୍‌ ଆଦ୍‌ମି ପାର୍ଟି ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର। ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି, ଶିକ୍ଷା ମନ୍ତ୍ରୀଙ୍କ ମତ ଗରିବ ବିରୋଧୀ। ଶିକ୍ଷା ମନ୍ତ୍ରୀ କହିଥିଲେ ଯେ ‘ରାଷ୍ଟ୍ରପତିଙ୍କ ନାତୁଣୀର ସ୍କୁଲ୍‌ ଫି’ ଏବଂ ଘରେ କାମ କରୁଥିବା ଚାକରାଣୀର ‌ସ୍କୁଲ୍‌ ଫି’ ସମାନ ହେବା ଉଚିତ ନୁହେଁ। ବର୍ଦ୍ଧିତ ସ୍କୁଲ ଫି’କୁ ବିରୋଧ କରିବା ଦ୍ୱାରା ଶିକ୍ଷା ବେପାରୀମାନେ ଉନ୍ନତି କରିପାରୁନାହାନ୍ତି। ଦିଲ୍ଲୀର ଆମ୍‌ ଆଦମୀ ପାର୍ଟି ସରକାର ଗରିବମାନଙ୍କ କଥା କହି ଧନୀମାନଙ୍କୁ ଗାଳି ଦେଉଛି।’ ଶିକ୍ଷାମନ୍ତ୍ରୀଙ୍କର ଏ ପ୍ରକାର ମାନସିକତା ଦେଶ ଏବଂ ସମ୍ବିଧାନ ବିରୋଧୀ।

କିଛି ଦିନ ତଳେ ରାଷ୍ଟ୍ରପତି ନିର୍ବାଚନ ସମୟରେ ରାଷ୍ଟ୍ରପତି ଆଦିବାସୀ ଓ ମହିଳା ଅଟନ୍ତି ବୋଲି ବିଜେପି ପ୍ରଚାର କରିଥିଲା। କିନ୍ତୁ ଏବେ କେନ୍ଦ୍ରମନ୍ତ୍ରୀଙ୍କ ବୟାନ ତାଙ୍କୁ ଏକ ସମ୍ଭ୍ରାନ୍ତ ବୋଲି ଚିତ୍ରିତ କରୁଛି। ଏହା ଦ୍ବାରା ସେ ଜଣେ ଘରର ଚାକରାଣୀର ଦାରିଦ୍ର୍ୟକୁ ଉପହାସ କରୁଛନ୍ତି। ଦିଲ୍ଲୀର ଆପ୍‌ ସରକାର ପ୍ରାଇଭେଟ ସ୍କୁଲ ଗୁଡିକର ଅଡିଟ କରାଉଥିବାରୁ ଶିକ୍ଷା ବେପାରୀମାନେ ମନଇଚ୍ଛା ସ୍କୁଲ ଫି’ ବଢ଼ାଇପାରୁନାହାନ୍ତିl ମାତ୍ର କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କର ଏ ପ୍ରକାର ଯୋଜନା ଆଗାମୀ ଦିନରେ ଶିକ୍ଷା ବେପାରୀଙ୍କୁ ପ୍ରୋତ୍ସାହିତ କରିବା ସହିତ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଅଧିକ ତଳିତଳାନ୍ତ କରିବ ଏବଂ ଧନୀ ଓ ଦରିଦ୍ର ମଧ୍ୟରେ ତାରତମ୍ୟକୁ ଅଧିକ କରିବ। ସାମ୍ବାଦିକ ସମ୍ମିଳନୀ ସମ୍ପାଦକ ସୌମ୍ୟରଂଜନ ସ୍ବାଇଁ, ଉପସଭାପତି ଦୁର୍ଗା ପ୍ରସାଦ ଦାସ ଓ ଯୁବ ସଭାପତି ସୋମନାଥ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର