ଗୁରୁଜୀଙ୍କ ରଚିତ ‘ଗୋପ୍ୟରୁ ଅଗୋପ୍ୟ’ ଗ୍ରନ୍ଥର ସିନ୍ଧି ସଂସ୍କରଣ ଉନ୍ମୋଚିତ

ନାଗପୁର  : ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ବାରା ରଚିତ ସୃଷ୍ଟି ତତ୍ତ୍ବ ସମ୍ବଳିତ ପ୍ରସିଦ୍ଧ କାବ୍ୟଗ୍ରନ୍ଥ ‘ଗୋପ୍ୟରୁ ଅଗୋପ୍ୟ’ର ସିନ୍ଧି ସଂସ୍କରଣ ଉନ୍ମୋଚିତ ହୋଇଯାଇଛି । ନାଗପୁରଠାରେ ଆୟୋଜିତ ଏକ ଉତ୍ସର୍ବରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ପୁସ୍ତକକୁ ଉନ୍ମୋଚନ କରି ଗୁରୁଜୀଙ୍କ ରଚିତ ପୁସ୍ତକର ମହନୀୟତା ଏବଂ ଲୋକକଲ୍ୟାଣ ନିମନ୍ତେ ଏହାର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ।

ସିନ୍ଧି କଚରାଲ୍ ଗ୍ରୁପ ଏବଂ ସିବିଏସ୍‌ କଲଚରାଲ ଫାଉଣ୍ଡେସନ, ଗୁରୁଗ୍ରାମର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ।

ଗୂଢ଼ ଆଧ୍ୟାୟିକ ଦର୍ଶନ ଓ ତତ୍ତ୍ୱ ସମ୍ବଳିତ ଏହି ପବିତ୍ର ଗ୍ରନ୍ଥକୁ ଗୁରୁଜୀ ମୂଳ ଓଡ଼ିଆ ଭାଷାରେ ରଚନା କରିଥିବାବେଳେ ପ୍ରଥମେ ସଂସ୍କୃତ ଭାଷାରେ ଏହାର ଅନୁବାଦିତ ସଂସ୍କରଣ ପ୍ରକାଶ ପାଇଥିଲା। ପରେ ଏହାର ହିନ୍ଦୀ ସଂସ୍କରଣ ‘ବ୍ୟକ୍ତରୁ ଅବ୍ୟକ୍ତ’ ଶୀର୍ଷକରେ ପ୍ରକାଶ ପାଇଥିବାବେଳେ ଏବେ ଆଞ୍ଚଳିକ ଭାଷାର ସଂସ୍କରଣ ରୂପେ ସିନ୍ଧି ଭାଷାରେ ପ୍ରକାଶ ପାଇଛି ।

ସୃଷ୍ଟିର ଉତ୍ପତ୍ତିଠାରୁ ଆରମ୍ଭ କରି ଗୁରୁଜୀ ଏହି ଗ୍ରନ୍ଥରେ ଗୂଢ଼ ଓ ଜଟିଳ ଆଧ୍ୟାତ୍ମିକ ରହସ୍ୟ ବିଜ୍ଞାନକୁ ସରଳ ଭାଷାରେ ରଚନା କରିଛନ୍ତି। ଏହାସହ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ସମ୍ପର୍କରେ ମଧ୍ୟ ଏଥିରେ ସୂଚନା ଦିଆଯାଇଛି, ଯାହାର କେତେକ ଦୃଷ୍ଟାନ୍ତ ନିକଟ ଅତୀତରେ ଦେଖିକୁ ମିଳିସାରିଛି। ୨୦୧୦ ମସିହାରେ ଓଡ଼ିଶାର ତତ୍କାଳୀନ ରାଜ୍ୟପାଳ ମୂଳ ଓଡ଼ିଆ ଭାଷାରେ ରଚିତ ଏହି ଗ୍ରନ୍ଥକୁ ଉନ୍ମୋଚନ କରିଥିଲେ।

ସିନ୍ଧି ସାହିତ୍ୟ ଏକାଡେମୀର ଉପସଭାପତି ଜେସାଭାଇ ମୋଟୱାନୀ ଏବଂ ସାଧନା ଶଙ୍ଖାରି ସମବାୟ ବ୍ୟାଙ୍କର ଅଧ୍ୟକ୍ଷ ଘନଶ୍ୟାମ କୁକରେଜା ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର