ବଦଳିବ ଅଦା, ହଳଦୀ ଚାଷୀଙ୍କ ଭାଗ୍ୟ

କୋରାପୁଟ: ବଦଳିବ କୋରାପୁଟ ଜିଲ୍ଲାର ଅଦା ଓ ହଳଦୀ ଚାଷୀଙ୍କ ଭାଗ୍ୟ। ଚାଷୀ ପାଇବେ ଉଚିତ ମୂଲ୍ୟ। ଉଭୟ କୃଷିଜାତ ସାମଗ୍ରୀ ଛତିଶଗଡ଼କୁ ରପ୍ତାନି ହେବ। ଏଥି ପାଇଁ କୃଷି ଉତ୍ପାଦକ ଗୋଷ୍ଠୀଙ୍କ ସହ ରାୟପୁରସ୍ଥିତ ସନଫ୍ଲାଗ୍‌ ଆଗ୍ରୋଟେକ୍‌ କଂପାନି ଚୁକ୍ତି ସ୍ବାକ୍ଷର କରିଛି। କୋରାପୁଟ ନିୟନ୍ତ୍ରିତ ବଜାର କମିଟି ସହଯୋଗରେ ଏହି ଚୁକ୍ତି ହୋଇଛି। ସେହିପରି ଆଗାମୀ ଦିନରେ ନନ୍ଦପୁର, ପଟାଙ୍ଗୀ ଓ ଜୟପୁରରେ ପ୍ରକ୍ରିୟାକରଣ ୟୁନିଟ୍‌ ସ୍ଥାପନ କରିବାକୁ ମଧ୍ୟ କଂପାନି ସହମତି ଦେଇଛି। ପ୍ରତି ଋତୁରେ ବଜାର ଦର ଅନୁସାରେ ୪୦୦ଟନ୍‌ ହଳଦୀ ଏବଂ ୨୦୦ ଟନ୍‌ ଅଦା କିଣି ପ୍ରକ୍ରିୟାକରଣ କରିବାକୁ ଯୋଜନା ହୋଇଛି।

ଯାହାଫଳରେ ଜିଲ୍ଲାର ୫୦୦ରୁ ୬୦୦ ପରିବାରକୁ ପ୍ରତ୍ୟକ୍ଷ ଭାବେ ରୋଜଗାର ମିଳିବ ବୋଲି ସୂଚନା ମିଳିଛି। ପ୍ରକ୍ରିୟାକରଣ ୟୁନିଟ୍‌ରେ ଅଦାରୁ ଗୁଣ୍ଡ ଓ ତେଲ, ହଳଦୀରୁ ଗୁଣ୍ଡ ଓ ସାବୁନ ପ୍ରସ୍ତୁତ କରି ବିକ୍ରି କରାଯିବ ବୋଲି ଜଣାପଡ଼ିଛି। କୋରାପୁଟ ନିୟନ୍ତ୍ରିତ ବଜାର କମିଟି ଆନୁକୂଲ୍ୟରେ କ୍ରେତା-ବିକ୍ରେତା ସମାବେଶର ଆୟୋଜନ ହୋଇଥିଲା। ଏଥିରେ ଜିଲ୍ଲାର ଏକାଧିକ କୃଷି ଉତ୍ପାଦକ ଗୋଷ୍ଠୀ ଯୋଗ ଦେଇଥିଲେ। ଓର୍‌ମାସ, ନାବାର୍ଡ ସହାୟତାରେ ଗଠିତ କୃଷି ଉତ୍ପାଦକ ଗୋଷ୍ଠୀ ସମେତ ଜିଲ୍ଲାର କେତେକ ଚାଷୀ ଉତ୍ପାଦକ ଗୋଷ୍ଠୀଙ୍କ ଠାରୁ ସନ୍‌ ଫ୍ଲାଗ୍‌ ଏଗ୍ରୋଟେକ୍‌ ହଳଦୀ ଏବଂ ଅଦା ସିଧାସଳଖ କିଣିବା ପାଇଁ ଚୂଡ଼ାନ୍ତ ହୋଇଥିଲା। ଅଭାବୀ ବିକ୍ରିକୁ ରୋକିବା ସହ ଚାଷୀଙ୍କୁ ଉଚିତ ମୂଲ୍ୟ ଦେବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି। କୋରାପୁଟ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଅରୁଣ କୁମାର ଜେନାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ସମ୍ମିଳନୀରେ ରାଜ୍ୟ କୃଷି ବିପଣନ ନୋଡାଲ ଅଧିକାରୀ କେଦରନାଥ ସ୍ୱାଇଁ, ଇ-ନାମ ରାଜ୍ୟ ସଂଯୋଜକ ପ୍ରସନ୍ନଜିତ ସାହା, ସନ୍ ଫ୍ଲାଗ୍ ଏଗ୍ରୋଟେକ୍‌ ପରିଚାଳନା ନିର୍ଦ୍ଦେଶକ ରଜନୀଶ ଅୱସ୍ତି, ଇତିଶ୍ରୀ କାନୁନଗୋ ଏବଂ ଓର୍‌ମାସ କାର୍ଯ୍ୟ ନିର୍ବାହୀ ଅଧିକାରୀ ରୋଶନ କାର୍ତ୍ତିକ ପ୍ରମୁଖ ଯୋଗ ଦେଇଥିଲେ। ହଳଦୀ, ଅଦା ବ୍ୟତୀତ କଫି ଓ ଲେମନଗ୍ରାସ୍ ତେଲ ବିକ୍ରି ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଚାଷୀଙ୍କ ସୁରକ୍ଷା ପାଇଁ ଆର୍‌ଏମ୍‌ସି, ଚାଷୀ ଉତ୍ପାଦକ ଗୋଷ୍ଠୀ ଏବଂ ସନ୍ ଫ୍ଲାଗ୍ ଏଗ୍ରୋଟେକ ମଧ୍ୟରେ ତ୍ରିପାକ୍ଷିକ ବୁଝାମଣା ସ୍ବାକ୍ଷର ହୋଇଛି ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି। ଚୁକ୍ତି ସ୍ବାକ୍ଷର ହେବା ଐତିହାସିକ ପଦକ୍ଷେପ ବୋଲି ଡୁଡ଼ୁମା ଚାଷୀ ଉତ୍ପାଦକ କଂପାନିର ସିଇଓ ଗଙ୍ଗଧର ଶିଶା କହିଛନ୍ତି। ପୂର୍ବରୁ ଉତ୍ପାଦନ ବିକ୍ରି ପାଇଁ ଆମକୁ କ୍ରେତା ଖୋଜିବାକୁ ପଡ଼ୁଥିଲା। କିନ୍ତୁ ଇ-ନାମ ଯୋଗୁ ତାହା ଅତି ସହଜ ଓ ସରଳ ହୋଇପାରିଛି ବୋଲି ପ୍ରକାଶ କରିଛନ୍ତି। ସମ୍ମିଳନୀକୁ କୋରାପୁଟ ଆର୍‌ଏମ୍‌ସିର ବରିଷ୍ଠ ସହାୟକ କୈଳାସ ଚନ୍ଦ୍ର ସାହୁ ପରିଚାଳନା କରିଥିବା ବେଳେ ଅନ୍ୟମାନେ ସହାୟତା କରିଥିଲେ।

ସମ୍ବନ୍ଧିତ ଖବର