ରେମୁଣା ବରବାଙ୍କବାସୀଙ୍କ ଦୂର ହେବ ଦୁଃଖ

ଗାଁକୁ ରାସ୍ତା, ନଦୀରେ ପୋଲ ନିର୍ମାଣ ନେଇ ପ୍ରକ୍ରିୟା ଆରମ୍ଭ

ବାଲେଶ୍ବର: ରେମୁଣା ବରବାଙ୍କ ଗ୍ରାମବାସୀଙ୍କ ଦୁଃଖ ଦୂର ହେବ। ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଥିବା ବରବାଙ୍କବାସୀଙ୍କ ଦୀର୍ଘବର୍ଷର ସ୍ବପ୍ନ ପୂରଣ ହେବାକୁ ଯାଉଛି। ବାଉଁଶ ପୋଲ ଦେଇ ନଦୀ ପାର୍‌ ହେଉଥିବା ଅଞ୍ଚଳବାସୀ ଆଉ ଯାତାୟାତ ପାଇଁଁ ଦହଗଞ୍ଜ ହେବେ ନାହିଁ। ଅଞ୍ଚଳବାସୀଙ୍କ ବହୁ ଦାବି ପରେ ନଦୀ ଉପରେ ପୋଲ ନିର୍ମାଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଦୁଇଦିନ ତଳେ ପୋଲ ନିର୍ମାଣ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମାଟି ପରୀକ୍ଷା ହୋଇଥିବା ଜଣାଯାଇଛି। ଆଗାମୀ ଦିନରେ ଖୁବ୍‌ଶୀଘ୍ର ରାସ୍ତା ନିର୍ମାଣ କାମ ଆରମ୍ଭ ହେବ। ଏହା ଜାଣିବା ପରେ ଅଞ୍ଚଳବାସୀଙ୍କ ଖୁସି ନ କହିଲେ ସରେ। ତେବେ ଏ ସଂପର୍କରେ ବିଧାୟକ ସୁଧାଂଶୁ ଶେଖର ପରିଡ଼ା କହିଛନ୍ତି, ପୋଲ ଓ ରାସ୍ତା ନିର୍ମାଣ ପାଇଁ ‌ବହୁଥର ବିଭାଗକୁ ଲେଖି ଜଣାଇଥିଲି। ବର୍ତ୍ତମାନ ପୋଲ ନିର୍ମାଣ ନେଇ ଦୁଇଟି ସର୍ଭେ ହେଲା ପରେ ଟଙ୍କା ମଞ୍ଜୁର ହୋଇ କାମ ଆରମ୍ଭ ହେବ। ଗୋଟିଏ ବର୍ଷ ମଧ୍ୟରେ ରାସ୍ତା ଓ ପୋଲ କାମ ସଂପୂର୍ଣ୍ଣ କରିବାକୁ ପ୍ରୟାସ କରାଯାଉଛି।

ସୂଚନାଥାଉକି, ବାଲେଶ୍ବର ସହରଠାରୁ ୧୦ କିମି ଦୂର ରେମୁଣା ବ୍ଲକ ବରବାଙ୍କ ଗ୍ରାମବାସୀ ଦୀର୍ଘଦିନ ହେଲା ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ବର୍ଷସାରା ଅଞ୍ଚଳବାସୀ ରାସ୍ତା ପାଇଁ ଦହଗଞ୍ଜ ହେଉଥିଲେ। ବନ୍ୟା ହେଲେ ବହୁଦିନ ଧରି ଜଳବନ୍ଦୀ ହୋଇ ରହୁଥିଲେ ଗ୍ରାମବାସୀ। ଏମିତିକି ଘରୁ ପଦାକୁ ବାହାରିବା ଏକପ୍ରକାର ଠପ୍‌ ହୋଇଯାଉଥିଲା। ବଜାରକୁ ଆସିବାକୁ ହେଲେ ପାଣିରେ ପହଁରି ପହଁରି ଆସିଥାନ୍ତି ଅଞ୍ଚଳବାସୀ। ଗଙ୍ଗାହାର ନଦୀ ପାଖରେ ରହିଥିବା ଏହି ଉପାନ୍ତ ଗାଁକୁ ଆମ୍ବୁଲାନ୍ସ ଯାଇପାରେ ନାହିଁ। ଫଳରେ ରୋଗୀଙ୍କୁ ଖଟିଆରେ ବୋହିବାକୁ ପଡ଼ିଥାଏ। ଗ୍ରାମର ୬୦ ପରିବାର ରାସ୍ତା ପାଇଁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିଲେ।

ସେହିପରି ବନ୍ୟା ଆସିଲେ ଅଧିକାଂଶ ନଳକୂଅ ବୁଡ଼ିଯିବାରୁ ପିଇବା ପାଣି ପାଇଁ ଭାରି କଲବଲ ହୁଅନ୍ତି ଗ୍ରାମବାସୀ। ଗାଁରୁ ଝିଅ ବିବାହ କରିବାକୁ ଅରାଜି ପ୍ରକାଶ କରିଥାନ୍ତି ପୁଅ ଘର। ଭାଗ୍ୟକୁ ଆଦରି ନଦୀ ଉପରେ ନିଜସ୍ବ ଶ୍ରମଦାନ ଓ ଟଙ୍କା ଖର୍ଚ୍ଚ କରି ବାଉଁଶ ପୋଲ ତିଆରି କରିଥିଲେ ଗ୍ରାମବାସୀ। ଆଉ ବର୍ଷ ସାରା ଏହି ପୋଲ ହିଁ ଯାତାୟାତର ମୁଖ୍ୟ ମାଧ୍ୟମ ପାଲଟିଥିଲା। ଏବେ ପୋଲ ନିର୍ମାଣ ହେବା ନେଇ ଜାଣିବା ପରେ, ଡେରି ହେଲେ ବି ଆମ ଦୁଃଖକୁ ଜିଲ୍ଲା ପ୍ରଶାସନ ଓ ବିଧାୟକ ଶ୍ରୀ ପରିଡ଼ା ବୁଝିଥିବା କହିଛନ୍ତି ଅଞ୍ଚଳବାସୀ।

ସମ୍ବନ୍ଧିତ ଖବର