ବିଜେପିର ହିଂସା ରାଜନୀତିକୁ ଘୃଣା କରନ୍ତି ଓଡ଼ିଶାବାସୀ: ବିଜେଡି

ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ସର୍ବଦା ପ୍ରାର୍ଥୀ କରିଥାଏ ବିଜେପି

ଭୁବନେଶ୍ୱର : ଓଡ଼ିଶାବାସୀ ଅତ୍ୟନ୍ତ ଶାନ୍ତିପ୍ରିୟ। ସେମାନେ ଉଭୟ ଅପରାଧ ଓ ଅପରାଧୀଙ୍କୁ ଘୃଣା କରନ୍ତି। ଓଡ଼ିଶାର ସଂସ୍କୃତି ଓ ପରମ୍ପରାରେ ଶାନ୍ତି ଓ ସୌହାର୍ଦ୍ଦ୍ୟକୁ ଗୁରୁତ୍ୱ ଦିଆଯାଏ ଏବଂ ଅପରାଧିକ ପୃଷ୍ଠଭୂମି ଥିବା ଲୋକଙ୍କୁ ଘୃଣା ଚକ୍ଷୁରେ ଦେଖାଯାଇଥାଏ। ତେବେ ଓଡ଼ିଶା ବିଜେପି ରାଜନୀତିରେ ଅପରାଧିକ ପୃଷ୍ଠଭୂମି ଥିବା ଲୋକଙ୍କୁ ଉତ୍ସାହିତ କରୁଥିବାବେଳେ ଓଡ଼ିଶାକୁ ଆଇନହୀନ ବୋଲି ଦର୍ଶାଇବାକୁ ଚେଷ୍ଟା କରୁଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଥିଲେ ଯେ ଝାରସୁଗୁଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା ଶ୍ରୀ ଟଙ୍କଧର ତ୍ରିପାଠୀଙ୍କ ନାମରେ ହତ୍ୟା ଉଦ୍ୟମ ସମେତ ୧୨ଟି ମାମଲା ରହିଛି। ଏହା ଏକମାତ୍ର ଉଦାହରଣ ନୁହେଁ, ଓଡିଶା ବିଜେପି ସବୁବେଳେ ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କୁ ହିଁ ସ୍ଥାନ ଦେଇଥାଏ। ଝାରସୁଗୁଡା ଉପନିର୍ବାଚନରେ ବିଜେପି ନିଜର ଆସନ୍ନ ପରାଜୟକୁ ଦେଖି ବିଜୁ ଜନତା ଦଳର ନେତା ତଥା କର୍ମୀଙ୍କ ଉପରେ ନିର୍ବାଚନ ହିଂସା ଆରମ୍ଭ କରିଦେଇଛି। ଅତୀତରେ ପଦ୍ମପୁର ଓ ବିଜେପୁର ଉପନିର୍ବାଚନରେ ଏବଂ ବର୍ତ୍ତମାନ ଝାରସୁଗୁଡା ଉପନିର୍ବାଚନରେ ପରାଜୟକୁ ଭୟ କରି ସେମାନେ ପୁଣି ଏଭଳି କାଣ୍ଡ ଆରମ୍ଭ କରିଛନ୍ତି। ମଇ ୨ ତାରିଖରେ ଓଡ଼ିଶା ବିଜେପି କର୍ମୀ ବିପ୍ର ବାଞ୍ଚୋରଙ୍କ ସମେତ ଓଡ଼ିଶା ବିଜେପିର ବହୁ ସମର୍ଥକ ବିଜେଡି କର୍ମୀ ଗୋବିନ୍ଦ ଝରାଙ୍କ ଉପରେ ମରଣାତ୍ମକ ଆକ୍ରମଣ କରିଥିଲେ।

ଝାରସୁଗୁଡା ବିଧାନସଭା ନିର୍ବାଚନୀ କ୍ଷେତ୍ରର ଗୌରପଡ଼ା, ଧୁବେନବୁଡ଼ା, କୁଲିହାମଲ, କୋଲାବିରା ବ୍ଲକରେ ବିଜେଡି କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ବିଜେଡି କର୍ମୀ ଶ୍ରୀ ଝରା ଗୁରୁତର ଭାବେ ଆହତ ହୋଇଛନ୍ତି । ମଇ ୩ ତାରିଖ ସନ୍ଧ୍ୟାରେ ବିଜେପି ବିଧାୟିକା କୁସୁମ ଟେଟେଙ୍କ ସମେତ ଝାରସୁଗୁଡା ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଟଙ୍କଧର ତ୍ରିପାଠୀ ତାଙ୍କର ଦଳ ବଳ ସହିତ ଲୋଇକେରା ବ୍ଲକର ନିକିଟିମାଳ ଠାରେ ପହଞ୍ଚିଥିଲେ। ସେଠାରେ ଜଣେ ବିଜେପି କର୍ମୀ ଲାଇକେରା ବ୍ଲକ ନିକିଟିମାଳର ଦିଲ୍ଲୀପ ପ୍ରଧାନଙ୍କ ମୋଟରସାଇକେଲକୁ ଗୋଇଠା ମାରି ଭାଙ୍ଗି ଦେଇଥିଲେ। ବିଜେପି ନେତାଙ୍କ ଅପରାଧିକ ମାମଲା, ଝାରସୁଗୁଡା ଉପନିର୍ବାଚନରେ ନିର୍ବାଚନୀ ହିଂସା ତଥା ପଦ୍ମପୁର ଓ ବିଜେପୁର ଉପନିର୍ବାଚନର ସମସ୍ତ ଉଦାହରଣ ଦର୍ଶାଉଛି ଯେ ଅପରାଧିକ ରେକର୍ଡ ଥିବା ଲୋକଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଓଡ଼ିଶା ବିଜେପି କିପରି ଉତ୍ସାହିତ କରୁଛି ଏବଂ ଯେତେବେଳେ ନିର୍ବାଚନରେ ନିଶ୍ଚିତ ପରାଜୟ ଦେଖୁଛି ମୁଖ ଲଜ୍ଜା ବଞ୍ଚାଇବାକୁ ଏଭଳି ହିଂସାକାଣ୍ଡ ଭିଆଉଛି। ଏଥିପାଇଁ ଓଡ଼ିଶାବାସୀ ବିଜେପିକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି ଏବଂ ଝାରସୁଗୁଡ଼ା ଉପନିର୍ବାଚନରେ ମଧ୍ୟ ଅନୁରୂପ ଭାବେ ପ୍ରତ୍ୟାଖ୍ୟାନ କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଲୋରା ମହାପାତ୍ର ଓ ମଧୁସ୍ମିତା ସାହୁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର