ଜୟଦେବରେ ଚିତ୍ର ଅସ୍ପଷ୍ଟ: ବିଜେଡି ରଣନୀତି ଉପରେ ସମସ୍ତଙ୍କ ନଜର

ଢାଲିଙ୍କୁ ନେଇ ବିଜେପି ସଂଗଠନରେ ଫାଟ, କଂଗ୍ରେସ‌ରେ ବି ଏକାଧିକ ଦାବିଦାର

ଭୁବନେଶ୍ୱର: ଜୟଦେବ ନିର୍ବାଚନମଣ୍ଡଳୀର ରାଜନୈତିକ ସ୍ଥିତି ଏବେ ରୋଚକ ମୋଡ଼ ନେଇଛି। ତିନି ପ୍ରମୁଖ ଦଳରେ ପ୍ରାର୍ଥିତ୍ବ ନେଇ ସ୍ପଷ୍ଟ ସଙ୍କେତ କାହାକୁ ଏ ଯାଏ ମିଳିନି। ମେଣ୍ଟକୁ ନେଇ କିଛି ଦିନ ଅନିଶ୍ଚିତତା ଥିଲା ବେଳେ ଏବେ ସେ ଦ୍ବନ୍ଦ୍ବ ଦୂର ହୋଇଛି ସତ। କିନ୍ତୁ ତିନି ଦଳର ଶୀର୍ଷ ନେତାଙ୍କ ଆଭିମୁଖ୍ୟ କେହି ଠଉରାଇପାରୁ ନାହାନ୍ତି। ଫଳରେ ନେତା ଓ କର୍ମୀମାନେ ଦ୍ବନ୍ଦ୍ବରେ ଅଛନ୍ତି। ୨୦୦୯ ମସିହାରେ ବାଲିପାଟଣା ଓ ବାଲିଅନ୍ତା ବ୍ଲକକୁ ନେଇ ଗଠିତ ଏହି ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି। ଏହା ଗଠନ ହେବା ଦିନ ଠାରୁ ଆସନଟି ବିଜେଡି କବ୍‌ଜାରେ ରହିଛି। ୨୦୦୯ ଓ ୨୦୧୯ରେ ଅରବିନ୍ଦ ଢାଲି ବିଧାୟକ ରହିଥିବା ବେଳେ ୨୦୧୪ରେ ଶଶୀଭୂଷଣ ବେହେରା ଏଠାରେ ସୁଯୋଗ ପାଇଥିଲେ। ଲଗାତାର ତିନିଟି ନିର୍ବାଚନରେ ବିଜେଡି ଦଖଲ‌ରେ ଥିବାରୁ ୪ର୍ଥ ପାଇଁ ଏହି ଆସନଟିକୁ ବିଜେଡି ହାତେଇବା ପାଇଁ ଅଣ୍ଟା ଭିଡ଼ିଛି। ବର୍ତ୍ତମାନର ବିଧାୟକ ଅରବିନ୍ଦ ଢାଲି ବିଜେପିରେ ଯୋଗ ଦେଇସାରିଛନ୍ତି। ତେଣୁ ପ୍ରାର୍ଥୀ କିଏ ହେବ, ତାହାର ସାମାନ୍ୟ ସୁରାକ୍ ବି କେହି ପାଉ ନାହାନ୍ତି। ନିକଟରେ ନବୀନ ନିବାସରେ ହୋଇଥିବା ଭୁବନେଶ୍ବର ସଂସଦୀୟ ‌କ୍ଷେତ୍ରର ସମୀକ୍ଷା ବେଳେ କେବଳ ଜୟଦେବ ନିର୍ବାଚନମଣ୍ଡଳୀର କୌଣସି ନେତାଙ୍କୁ ଡକାଯାଇ ନଥିଲା। ଜୟଦେବକୁ ବାଦ୍ ଦେଇ ଅନ୍ୟ ୬ଟି ନିର୍ବାଚନମଣ୍ଡଳୀର ସମୀକ୍ଷା ହୋଇଥିଲା। ଏହି ନିର୍ବାଚନମଣ୍ଡଳୀକୁ ନେଇ ବିଜେଡି ଶୀର୍ଷ ନେତୃତ୍ବ କି ରଣନୀତି କରୁଛନ୍ତି, ତାହା ଉପରେ ସ୍ଥାନୀୟ ବିଜେଡି ସଂଗଠନର ‌ନଜର ରହିଛି। କେନ୍ଦ୍ରାପଡ଼ାରେ ବିଧାୟକ ଶଶୀଭୂଷଣ ବେହେରାଙ୍କୁ ଟିକେଟ୍‌ ମିଳିବା ସମ୍ଭାବନା କ୍ଷୀଣ ଥିବାରୁ ତାଙ୍କୁ ପୁଣି ଜୟଦେବ ଫେରାଇ ଅଣାଯାଇପାରେ ବୋଲି ଗୋଟିଏ ମହଲରେ ଚର୍ଚ୍ଚା ହେଉଛି। ଗତ ନିର୍ବାଚନରେ ସ୍ବାଧୀନ ଭାବେ ଛିଡ଼ା ହୋଇ ଦ୍ବିତୀୟ ସ୍ଥାନରେ (୪୪,୩୦୦ ଭୋଟ)ଥିବା ନବକିଶୋର ମଲ୍ଲିକଙ୍କ ନାମ ମଧ୍ୟ ବିଜେଡି ମହଲରେ ଆଲୋଚନା ହେଉଛି। ସେହିଭଳି ଅକ୍ଷୟ ବେହେରା ଓ ଦେଉଳଧରପୁର ପଞ୍ଚାୟତ ସମିତି ସଭ୍ୟା ସୌଭାଗ୍ୟଲକ୍ଷ୍ମୀ ପ୍ରିୟଦର୍ଶିନୀ ମଧ୍ୟ ସମାନ୍ତରାଳ ଭାବରେ ସଂଗଠନ ଓ କ୍ୟାମ୍ପେନିଂ ଜାରି ରଖିଛନ୍ତି। ତେବେ ଏଠାରେ ଦୀର୍ଘ ଦିନରୁ ନିଜର ସଂଗଠନ ମଜବୁତ ରଖିଥିବା ଚନ୍ଦନ ପାତ୍ର ବିଜେଡି ସପକ୍ଷରେ ରହିଛନ୍ତି। ସଂରକ୍ଷିତ ଆସନ ହୋଇଥିବାରୁ ତାଙ୍କ ସମର୍ଥିତ ପ୍ରାର୍ଥୀଙ୍କୁ ବିଜେଡି ଟିକେଟ୍‌ ଦେବାର ସମ୍ଭାବନା ଅଧିକ।

ଏଠାରେ ସବୁଠାରୁ ଗୋଳମାଳିଆ ସ୍ଥିତିରେ ରହିଛି ବିଜେପି। ଅରବିନ୍ଦ ଢାଲି ବି‌ଜେପିରେ ମିଶିବା ପରେ ତାଙ୍କର ପ୍ରାର୍ଥିତ୍ବକୁ ନେଇ ସର୍ବାଧିକ ଚର୍ଚ୍ଚା ହେଉଛି। କିନ୍ତୁ ପୁରୁଣା ବିଜେପି କର୍ମୀମାନେ ତାଙ୍କୁ ଗ୍ରହଣ କରିବାକୁ ନାରାଜ। ଫଳରେ ସଂଗଠନରେ ଫାଟ ଦେଖାଦେଇଛି। ନିକଟ ଅତୀତରେ ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ ସତ୍ୟପ୍ରିୟ ବେହେରା ବିଜେପିରେ ଯୋଗ ଦେବା ପରେ ସେ ତାଙ୍କ ପ୍ରଚାର ଚଳାଇଛନ୍ତି। ସାଂସଦଙ୍କ ସହ ସମସ୍ତ ବୈଠକରେ ତାଙ୍କୁ ଦେଖିବାକୁ ମିଳୁଛି। ୨୦୧୪ ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା ବସନ୍ତ ନାୟକଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ୨୦୧୯ ବିଜେପି ପ୍ରାର୍ଥୀ ନରେନ୍ଦ୍ର ନାଥ ନାୟକଙ୍କର ଇତିମଧ୍ୟରେ ଦେହାନ୍ତ ହୋଇଛି। ପୂର୍ବରୁ ଏହା ବାଲିପାଟଣା ନିର୍ବାଚନମଣ୍ଡଳୀ ଥିଲା। ସେତେବେଳେ ଏଠାରେ କଂଗ୍ରେସ ରାଜତ୍ବ କରୁଥିଲା। କିନ୍ତୁ ୧୯୯୫ ମସିହା ପରଠାରୁ କଂଗ୍ରେସ ବହୁ ପଛରେ ପଡ଼ିଛି। ୨୦୦୪ରେ କଂଗ୍ରେସ ପ୍ରାର୍ଥୀ ବେଣୁଧର ଭୋଇ ୪୧ ପ୍ରତିଶତ ଭୋଟ ପାଇଥିଲେ। କଂଗ୍ରେସ ପ୍ରାର୍ଥୀ ୨୦୦୯ରେ ୧୧ପ୍ରତିଶତ ଓ ୨୦୧୪ରେ ୨୩ ପ୍ରତିଶତ ଭୋଟ୍‌ ପାଇଥିଲେ। ୨୦୧୯ରେ କଂଗ୍ରେସର ପ୍ରାର୍ଥୀପତ୍ର ନାକଚ ହୋଇଯାଇଥିଲା। ଚଳିତ ଥର ଯଦିଓ ପ୍ରାର୍ଥୀତ୍ବ ପାଇଁ ଅଧିକ ଆବେଦନ ଆସିଛି ତେବେ ପୁଣି ଥରେ ଦଳ ପୁରୁଣା ପ୍ରାର୍ଥୀଙ୍କ ଉପରେ ଭରସା କରିବ ବୋଲି କୁହାଯାଉଛି। ପୁରୁଣା ପ୍ରାର୍ଥୀ ବେଣୁଧର ଭୋଇ ଓ ୨୦୧୪ରେ ଦ୍ବିତୀୟ ସ୍ଥାନରେ ରହିଥିବା ନଳିନୀ ବେହେରାଙ୍କ ନାମ ଚର୍ଚ୍ଚାର ଆଗରେ ରହିଛି।

ସମ୍ବନ୍ଧିତ ଖବର