ଦିବ୍ୟାଙ୍ଗଙ୍କୁ ଦୁଷ୍କର୍ମ କରି ଭିଡିଓ ଭାଇରାଲ

ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ମୁଖ୍ୟ ବଜାରର ଗୋଟିଏ ଭିଡିଓ ବିଳମ୍ବିତ ରାତିର ଭୟଙ୍କର ସତକୁ ଉଜାଗର କରିଛି। ଜଣେ ମାନସିକ ଦିବ୍ୟାଙ୍ଗ ସହ ଦୁଷ୍କର୍ମ ଭଳି ପାଶବିକ ଅତ୍ୟାଚାର ହୋଇଛି। ଥରେ ନୁହଁ ବାରମ୍ବାର ଦିବ୍ୟାଙ୍ଗ ସହ ଏକାଧିକ ମଦ୍ୟପ ଦୁଷ୍କର୍ମ କରିଥିବା ଜଣାପଡ଼ିଛି। ଦୁଇ ଦିନ ତଳର ସିସି କ୍ୟାମେରା ଫୁଟେଜ୍‌ ଭାଇରାଲ ହେବାପରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି। ମଦ୍ୟପ ସବୁ ସୀମା ଟପି ଯାଇଥିବା ବେଳେ ମହିଳାଙ୍କ ପାଇଁ ମୁଖ୍ୟ ବଜାର ସଂପୂର୍ଣ୍ଣ ଅସୁରକ୍ଷିତ ହୋଇଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି।

ସୂଚନା ଅନୁଯାୟୀ, ଜଣେ ମାନସିକ ଦିବ୍ୟାଙ୍ଗ ମହିଳା କିଛି ଦିନ ହେଲା ମୁଖ୍ୟ ବଜାରରେ ଘୂରି ବୁଲୁଛନ୍ତି। କିଏ କିଛି ଖାଇବାକୁ ଦେଲେ ଖାଇବା ପରେ ‌କୌଣସି ଦୋକାନ ବାରଣ୍ଡା ଦେଖି ଶୋଇ ପଡ଼ୁଛନ୍ତି। ତେବେ ଦିବ୍ୟାଙ୍ଗଙ୍କ ହାବଭାବରେ ହଠାତ୍‌ ପରିବର୍ତ୍ତନ ହୋଇଥିଲା। ତେଣୁ ସନ୍ଦେହ ହେବାରୁ ଗୋଟିଏ ଦୋକାନରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍‌କୁ ଯାଞ୍ଚ କରିବାରୁ ସାଂଘାତିକ ଦୃଶ୍ୟ ଦେଖିବାକୁ ମିଳିଥିଲା। ମଦ ପିଇବା ପରେ ନିଶାସକ୍ତ ହୋଇ ବୁଲୁଥିବା ଜଣେ ବ୍ୟକ୍ତି ବିଳମ୍ବିତ ରାତିରେ ଶୋଇଥିବା ଦିବ୍ୟାଙ୍ଗଙ୍କୁ ନିଦରୁ ଉଠାଇ ଗୋଟିଏ ଦୋକାନ ବାରଣ୍ଡାକୁ ନେଇ ଆସିଥିଲେ। ଦିବ୍ୟାଙ୍ଗ ସହ ଦୁଷ୍କର୍ମ କରିବା ପରେ ଚୁପ୍‌ଚାପ୍‌ ସେଠାରୁ ଚାଲି ଯାଇଥିଲେ। ଦିବ୍ୟାଙ୍ଗ ହୋଇଥିବାରୁ ପୀଡ଼ିତା ତାଙ୍କ ସହ କଣ ହେଉଛି ଜାଣିନଥିଲେ କିମ୍ବା ପ୍ରତିବାଦ ମଧ୍ୟ କରିନଥିଲେ। ଏଭଳି ଘଟଣା ଦିବ୍ୟାଙ୍ଗ ସହ ପ୍ରଥମ ଥର ହୋଇନାହିଁ, ବରଂ ବାରମ୍ବାର ମଦ୍ୟପ ତାଙ୍କ ସହ ଦୁଷ୍କର୍ମ କରିଥିବା କୁହାଯାଉଛି। ଯାହା ଦିବ୍ୟାଙ୍ଗଙ୍କ ଜୀବନ ପ୍ରତି ବଡ଼ ବିପଦ ସୃଷ୍ଟି କରିଛି। ତୁରନ୍ତ ଦିବ୍ୟାଙ୍ଗଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ଦେବାକୁ ମଧ୍ୟ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର