କୃଷକ ଓଡ଼ିଶା ଡାଟାବେସ୍‌ରେ ୭୬.୩ଲକ୍ଷ ଚାଷୀ

୧୬୨୪ ଛାତ୍ରଛାତ୍ରୀଙ୍କୁ ୩.୯୦ କୋଟି ଟଙ୍କା କାଳିଆ ବୃତ୍ତି, ୧୭୭ଟି ବ୍ଲକ୍‌କୁ ମିଲେଟ୍‌ ମିସନ ସଂପ୍ରସାରିତ

ଭୁବନେଶ୍ବର : ରାଜ୍ୟର ସମସ୍ତ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର କୃଷକ, କୃଷି ପରିବାର ଓ କୃଷି ଶ୍ରମିକଙ୍କ ‘କୃଷକ ଓଡ଼ିଶା’ ଡାଟାବେସ୍ ପ୍ରସ୍ତୁତ କରାଯାଇଛି। ସମସ୍ତ କୃଷି ସାମଗ୍ରୀ ପ୍ରଦାନ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ତଦାରଖ ପ୍ରକ୍ରିୟାକୁ ଅନଲାଇନ କରାଯାଇଛି। ବର୍ତ୍ତମାନସୁଦ୍ଧା ‘କୃଷକ ଓଡ଼ିଶା’ ଡାଟାବେସ୍‌ରେ ୭୬ଲକ୍ଷ ୩୦ହଜାର ଚାଷୀଙ୍କ ସଂପର୍କରେ ୯୦ କିସମର ବିଭିନ୍ନ ସୂଚନା ଉପଲବ୍ଧ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଗତ ୪ବର୍ଷର ବିଭିନ୍ନ ଯୋଜନାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି। ପରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ଶ୍ରୀ ସ୍ବାଇଁ କହିଥିଲେ ଯେ ଓଡ଼ିଶା ଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ ଏକ ବଳକା ରାଜ୍ୟରେ ପରିଣତ ହୋଇଛି। ୨୦୦୦-୦୧ରେ ରାଜ୍ୟରେ ୫୫.୩୫ଲକ୍ଷ ଟନ ଖାଦ୍ୟଶସ୍ୟ ଉତ୍ପାଦନ ହେଉଥିବା ବେଳେ ଗତ ୨୩ବର୍ଷରେ ଏହା ୧୩୬.୦୭ ଲକ୍ଷ ଟନ୍‌ରେ ପହଞ୍ଚିଛି। ପନିପରିବା ଉତ୍ପାଦନ ୩ଗୁଣ ବଢ଼ି ୯୮.୫୨ ଲକ୍ଷ ମେଟ୍ରିକ ଟନ୍‌ରେ ପହଞ୍ଚିଛି। ୨୦୧୮ ମସିହାରେ ‘କାଳିଆ’ ଯୋଜନାର ଶୁଭାରମ୍ଭ ହୋଇଥିବା ବେଳେ ବର୍ତ୍ତମାନସୁଦ୍ଧା ଏହି ଯୋଜନାରେ ୪୩.୦୪ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ୧୮.୭୨ ଲକ୍ଷ ଭୂମିହୀନ କୃଷି ପରିବାରକୁ ସହାୟତା ପ୍ରଦାନ କରାଯାଇଛି। ଏହାସହ ୧୬୨୪ ଜଣ ଛାତ୍ରଙ୍କୁ କାଳିଆ ଛାତ୍ରବୃତ୍ତି ପାଇଁ ୩.୯୦ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଓଡ଼ିଶା ମିଲେଟ ମିସନ ୩୦ଟି ଜିଲ୍ଲାର ୧୭୭ ବ୍ଲକ୍‌କୁ ସଂପ୍ରସାରିତ ହୋଇଛି। ସର୍ବନିମ୍ନ ସହାୟକ ମୂଲ୍ୟରେ ମାଣ୍ଡିଆ ସଂଗ୍ରହ କରୁଥିବା ଦେଶର ଏକମାତ୍ର ରାଜ୍ୟ ହେଉଛି ଓଡ଼ିଶା।

କୃଷି ଋଣ ପାଇଁ ‘ସଫଲ’ ଜରିଆରେ ୪୦ରୁ ଅଧିକ ବିଭିନ୍ନ ସରକାରୀ ଓ ବେସରକାରୀ ବ୍ୟାଙ୍କଗୁଡ଼ିକର ୩ଶହ ପ୍ରକାରର ଋଣ ସେବାକୁ ଏକକ ଅନଲାଇନ ପୋର୍ଟାଲ କାର୍ଯ୍ୟକାରୀ କରାଯାଇଛି। ଏହି ବ୍ୟବସ୍ଥା ଆରମ୍ଭ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ। ‘ଗୋ ସୁଗମ’ ପୋର୍ଟାଲ ପୋର୍ଟାଲ ରାଜ୍ୟରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ବିକାଶ ପାଇଁ ସୁବିଧା ଯୋଗାଇ ଦେବା ଓ କାର୍ଯ୍ୟକ୍ରମ ପାଇଁ ଏକକ ବାତାୟନ ପୋର୍ଟାଲ ଭାବେ ବିକଶିତ ହୋଇଛି। କୃଷକମାନଙ୍କୁ ମୋବାଇଲ ଫୋନ୍ ଆଧାରିତ ବାର୍ତା ବିନିମୟ ସଂପ୍ରସାରଣ ପାଇଁ ‘ଆମ କୃଷି’ କାର୍ଯ୍ୟକାରୀ କରାଯାଇଛି। ଏ ପର୍ଯ୍ୟନ୍ତ ୫୪.୪୭ ଲକ୍ଷ ଚାଷୀ ଏହି କାର୍ଯ୍ୟକ୍ରମରେ ପଞ୍ଜିକୃତ ହୋଇଛନ୍ତି। ବର୍ତ୍ତମାନସୁଦ୍ଧା ୬୩.୩୧ କୋଟିରୁ ଅଧିକ କୃଷି ସଂପର୍କିତ ପରାମର୍ଶ ଚାଷୀମାନଙ୍କୁ ପ୍ରେରଣ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର