୩ଟି ସ୍ଥାନରେ ହେବ ‘ମତ୍ସ୍ୟ ଅବତରଣ କେନ୍ଦ୍ର’: ସାପକୋଟି ପାଇଁ ୮କୋଟିର ଟେଣ୍ଡର, ପ୍ଲାନ୍‌ ମଞ୍ଜୁରିକୁ ଅପେକ୍ଷା

ଚିହ୍ନଟ ହେଲା ଜାଗା, ଇଡ୍‌କୋ କରିବ କାମ

ପୁରୀ: ସାମୁଦ୍ରିକ ମାଛ ପୁରୀ ସହରର ଅର୍ଥନୀତିର ଅନ୍ୟ ଏକ ବୃହତ୍ତ ଅଂଶବିଶେଷ। ତେବେ ସମୁଦ୍ରରୁ ମାଛ ଧରିବା ପରେ କୂଳରେ ଆଣି ମାଛ ବାଲି ଉପରେ ଖାଲି କରିବା ମତ୍ସ୍ୟଜୀବୀଙ୍କ ପାଇଁ ଆହ୍ୱାନ ପାଲଟିଛି। ଏ ସମସ୍ୟା ଦୂର କରିବା ପାଇଁ ୪ଟି ସ୍ଥାନରେ ମତ୍ସ୍ୟ ଅବତରଣ କେନ୍ଦ୍ର ପାଇଁ ଯୋଜନା କରାଯାଇଛି। ୩ଟି ସ୍ଥାନରେ ଅଦ୍ୟାବଧି ଜାଗା ଚିହ୍ନଟ ସରିଛି। ଲାଇଟ୍‌ହାଉସ ନିକଟସ୍ଥ ସାପକୋଟିରେ ମତ୍ସ୍ୟ ଅବତରଣ କେନ୍ଦ୍ର ନିର୍ମାଣ ପାଇଁ ପ୍ରାୟ ୮କୋଟି ଟଙ୍କାର ଟେଣ୍ଡର୍‌ ବି ସରିଛି। ପ୍ଲାନ୍‌ ମଞ୍ଜୁରି ପାଇଁ ଆବେଦନ କରାଯାଇଛି। ଅନୁମୋଦନ ପରେ ଇଡ୍‌କୋ ପ୍ରଥମେ ସାପକୋଟିରେ କାମ ଆରମ୍ଭ କରିବ। ମତ୍ସ୍ୟ ଅବତରଣ କେନ୍ଦ୍ର ଦ୍ୱାରା ସାମୁଦ୍ରିକ ମତ୍ସ୍ୟଜୀବୀମାନଙ୍କର ବହୁଦିନର ସମସ୍ୟା ଦୂର ହେବ। ପୁରୀ ଜିଲ୍ଲାରେ ୫୮ ହଜାର ମତ୍ସ୍ୟଜୀବୀ ରହିଥିବା ବେଳେ ପ୍ରାୟ ୨୨ ହଜାରରୁ ଅଧିକ ସକ୍ରିୟ ମତ୍ସ୍ୟଜୀବୀ ରହିଛନ୍ତି। ତେଣୁ ପାରମ୍ପରିକ ମତ୍ସ୍ୟଜୀବୀଙ୍କ ଶ୍ରମ ଲାଘବ ପାଇଁ ଏଭଳି ନୂଆ ବ୍ୟବସ୍ଥା ଆପଣାଯାଉଛି। ଫଳରେ ସମୁଦ୍ରରୁ ମାଛ ଆଣିବା ପରେ ମତ୍ସ୍ୟଜୀବୀମାନେ ଏହାକୁ ଆଉ ବାଲିରେ ଖାଲି କରିବେ ନାହିଁ। ସିଧାସଳଖ ଡଙ୍ଗାରୁ ମାଛ ଆସି ସେଇ ଅବତରଣ କେନ୍ଦ୍ରରେ ଗଦା କରାଯାଇ ସେଠାରୁ ବିତରଣ ବ୍ୟବସ୍ଥା ହେବ। ପରିଚ୍ଛନ୍ନତା ମଧ୍ୟ ବଜାୟ ରହିବ। ସେହିଭଳି ଚନ୍ଦ୍ରଭାଗା ଓ ଅସ୍ତରଙ୍ଗର କାଳିଆକଣରେ ମଧ୍ୟ ଜାଗା ଚିହ୍ନଟ ସରିଛି। ଅରଖକୁଦାରେ ଖୁବଶୀଘ୍ର ଜାଗା ଚିହ୍ନଟ ହେବ ବୋଲି ମତ୍ସ୍ୟ ଅଧିକାରୀ ସୂଚନା କହିଛନ୍ତି।

ପୁରୀ ଜିଲ୍ଲା ପାରମ୍ପରିକ ମତ୍ସ୍ୟଜୀବୀ ସଂଘ ସଭାପତି ‌ବାବୁଲା ପ୍ରସାଦ କହିଛନ୍ତି, ପୁରୀ ଜିଲ୍ଲାରେ ପ୍ରାୟ ୩୦ଟି ମତ୍ସ୍ୟଜୀବୀ ଗ୍ରାମ ରହିଛି। ସେମାନେ ସମ୍ପୂର୍ଣ୍ଣ ଭାବେ ମାଛ ଧରି ଗୁଜରାଣ ମେଣ୍ଟାଇଥା’ନ୍ତି। ତେବେ ଡଙ୍ଗାରେ ସମୁଦ୍ରକୁ ପ୍ରବେଶ ଓ ପହଞ୍ଚିବା ପରେ ଡଙ୍ଗା ପଲଟିଯିବା ନିତିଦିନିଆ ସମସ୍ୟା ହୋଇଛି। ଫଳରେ କିଛି ମତ୍ସ୍ୟଜୀବୀ ପ୍ରାଣ ହରାଇଥିବା ନଜିର ରହିଛି। ତେଣୁ ମତ୍ସ୍ୟ ଅବତରଣ କେନ୍ଦ୍ର ନିଶ୍ଚୟ ଭଲ ପଦକ୍ଷେପ, କିନ୍ତୁ ଫିସିଂ ହାର୍ବର କରିବା ମଧ୍ୟ ନିତାନ୍ତ ଆବଶ୍ୟକ। ଏନେଇ ସଂଘ ପକ୍ଷରୁ ସରକାରଙ୍କୁ ବହୁବାର ପ୍ରସ୍ତାବ ଦିଆଯାଇଛି ବୋଲି ସେ କହିଛନ୍ତି। ଏହାବ୍ୟତୀତ ୫୫ ବର୍ଷରୁ ଊର୍ଦ୍ଧ୍ବ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କୁ ପେନ୍‌ସନ୍‌ ବାବଦରେ ୩ ହଜାର ଟଙ୍କା ଯୋଗାଇଦେବାକୁ ସେ ନିବେଦନ କରିଛନ୍ତି। ସଂଘର ସମ୍ପାଦକ କଣ୍ଡା ଏଲେୟାଙ୍କ କହିବା ମୁତାବକ ମତ୍ସ୍ୟ ଅବତରଣ କେନ୍ଦ୍ର ସହ ସେଠାରେ ଡଙ୍ଗା, ଜାଲ ଓ ମେସିନ୍‌ର ସୁରକ୍ଷା ଓ ଶୀତଳଭଣ୍ଡାର ନିର୍ମାଣର ପ୍ରୟୋଜନ ରହିଛି। ସେହିଭଳି କଇଁଛ ସୁରକ୍ଷା ପାଇଁ ପ୍ରଭାବିତ ହେଉଥିବା ମତ୍ସ୍ୟଜୀବୀଙ୍କ ଲାଗି ରାଜ୍ୟ ସରକାର ଦେଉଥିବା ସହାୟତା ରାଶି ବୃଦ୍ଧି କରିବା ମଧ୍ୟ ଆବଶ୍ୟକ ବୋଲି ସେ କହିଛନ୍ତି। ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଭୂତି ଭୂଷଣ ରାଉତ କହିଛନ୍ତି, ପ୍ରଥମ ମତ୍ସ୍ୟ ଅବତରଣ କେନ୍ଦ୍ର ନିର୍ମାଣ କାର୍ଯ୍ୟ ପାଇଁ ଟେଣ୍ଡର ସରିଛି। ଇଡ୍‌କୋ ପ୍ଲାନ ଅନୁମୋଦନ ପାଇଁ ଆବେଦନ କରିଛି। ମଞ୍ଜୁରି ମିଳିବା ପରେ କାମ ଆରମ୍ଭ ହେବ। ଅନ୍ୟ ଦୁଇଟି କେନ୍ଦ୍ର ପାଇଁ ଜାଗା ଚିହ୍ନଟ ସରିଥିବାରୁ ସେଠାରେ ମଧ୍ୟ କାମ ଆରମ୍ଭ ହେବ। ଅରଖକୁଦା ନିକଟରେ ଖୁବଶୀଘ୍ର ଜାଗା ଚିହ୍ନଟ ହୋଇଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର