ଆଜି ବିଶ୍ୱ ଆଦିବାସୀ ଦିବସ: ନିଜ ମାଟିରେ ପରିଚୟ ଖୋଜୁଛନ୍ତି ବନବାସୀ

ଅନୁମୋଦିତ ୮୨ ଗାଁକୁ ଗୋଷ୍ଠୀ ଅଧିକାର ମିଳିନି

ସୁନ୍ଦରଗଡ଼ : ମହାମାରୀ କରୋନାର ପ୍ରଥମ ଲହର କଟକଣା ସମୟରେ ଗାଁ ଲୋକଙ୍କ ହାତରୁ ରୋଜଗାର ଚାଲି ଯାଇଥିଲା। ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଓ କିଛି ଚାଷକରି ଚଳୁଥିବା ପରିବାର ଏହି ସମୟରେ ବାହାରକୁ ବାହାରି ନପାରି ଛଟପଟ ହେଲେ। ଓଳିଏ ଖାଇଲେ, ଓଳିଏ ଉପାସ ଗରିବ ବନବାସୀଙ୍କ ସ୍ଥିତିକୁ ବିଗାଡ଼ି ଦେଇଥିଲା। ତେବେ କରୋନା କଟକଣା କୋହଳ ହେବାପରେ ଲୋକଙ୍କ ଦାବି ମୁତାବକ ବ୍ଲକ୍‌ କର୍ତ୍ତୃପକ୍ଷ ଗାଁକୁ ମନରେଗାରେ କାମ ଯୋଗାଇ ଦେଇଥିଲେ। କିଛିଦିନ କାମ କରିବା ପରେ ବନବିଭାଗ ଆସି କାମ ବନ୍ଦ କରିଦେଲା। କାରଣରେ ବନବିଭାଗ କହିଲା, ଗାଁଟି ସଂରକ୍ଷିତ ଜଙ୍ଗଲରେ ରହିଛି। ସେତେବେଳେ ଗାଁ ଲୋକେ ପ୍ରଶାସନକୁ ବହୁବାର ଗୁହାରି କରିଥିଲେ। କିନ୍ତୁ ପ୍ରଶାସନ ବି ହାତ ଟେକି ଦେଇଥିଲା। ଏ କାହାଣୀ ଟାଙ୍ଗରପାଲି ବ୍ଲକ ମେଘଡେଗା ପଞ୍ଚାୟତ କହପାନି ଗାଁର। ୧୦ ମାସ ତଳେ ଗାଁର ଏ ଦୁର୍ଦ୍ଦଶା ସମ୍ପର୍କରେ ବିସ୍ତୃତ ଖବର ପ୍ରକାଶ କରିଥିଲା ‘ସମ୍ବାଦ’। ମାତ୍ର ଆଜି ମଧ୍ୟ ଚିତ୍ର ବଦଳିନି। ଏବେ ବି ଗାଁଟି ପରିଚୟ ବିହୀନ (ଅଣ-ସର୍ବେକ୍ଷଣ) ହୋଇରହିଛି। ଏ ଯାଏଁ ଗାଁଟି ଗୋଷ୍ଠୀଗତ ଅଧିକାର ପାଇ ନାହିଁ କି ଜଙ୍ଗଲ ଗାଁରୁ ରାଜସ୍ବ ଗାଁକୁ ପରିବର୍ତ୍ତିତ କାର୍ଯ୍ୟକ୍ରମରେ ସାମିଲ ହୋଇପାରିନାହିଁ।

ଅନ୍ୟ ଏକ ଗାଁ ହେଲା ବାଲିଶଙ୍କରା ବ୍ଲକର ବାଘିଆବେର୍ଣ୍ଣି। ଏଠାକୁ ମଧ୍ୟ ସରକାରୀ ଉନ୍ନୟନ ମୁହଁ ମୋଡ଼ିଛି। ଜଙ୍ଗଲ ଅଧିକାର ଆଇନ-୨୦୦୬, ନିୟମ- ୨୦୦୭ ଓ ସଂଶୋଧିତ ନିୟମାବଳୀ-୨୦୧୨ ଅନୁଯାୟୀ ଗାଁ ଓ ସମସ୍ତ ଅଧିବାସୀଙ୍କୁ ଏ ଯାଏଁ ମିଳିପାରିନି ଜଙ୍ଗଲ ଜମି ଅଧିକାର। ଯେଉଁଥିପାଇଁ ଏ ଦୁଇଗାଁର ନିରୀହ ବନବାସୀ ଅଭିଶପ୍ତ ଜୀବନ ଜିଉଁଛନ୍ତି।

କହପାନି ଓ ବାଘିଆବେର୍ଣ୍ଣି ପରି ସୁନ୍ଦରଗଡ଼ ଜିଲ୍ଲାର ୨୨୩ ଗାଁ ସରକାରୀ ‌ଭୂଗୋଳପୋଥିରେ ନିଜ ପରିଚୟ ଖୋଜିଖୋଜି ହତାଶ ହୋଇଛନ୍ତି। ବହୁ ଦାବି, ଆବେଦନ ପ‌ରେ ଯଦିଓ ଜିଲ୍ଲାସ୍ତରୀୟ କମିଟିରେ ୮୨ଟି ଗାଁ ଅନୁମୋଦିତ ହୋଇଛି, କିନ୍ତୁ ଏ ଯାଏଁ ମାତ୍ର ୩ଟି ଗାଁ ବାଲିଶଙ୍କରା ବ୍ଲକର ଢାବାଡୋଲି, ପୁଟୁଡିହି ଓ ହେମଗିର ବ୍ଲକର ବାଲିଯୋରି ବ୍ୟତୀତ ଅନ୍ୟ ସବୁ ଗାଁକୁ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ମିଳିନାହିଁ। ଅନୁମୋଦନ ପରେ ବି ପ୍ରଶାସନ ଆଦିବାସୀ ଗାଁଗୁଡ଼ିକୁ ନ୍ୟାଯ୍ୟ ଅଧିକାର ନଦେଇ ପକାଇ ରଖିଥିବାରୁ ବଣମୁଲକର ଅଧିବାସୀଙ୍କ ମନରେ ସୃଷ୍ଟି ହୋଇଛି ଅସନ୍ତୋଷ। କେବଳ ଗାଁକୁ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଦେବାରେ ଯେ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କରିଛି ତାହା ନୁ‌ହେଁ, ଜଙ୍ଗଲ ଗାଁକୁ ରାଜସ୍ବ ଗାଁରେ ପରିବର୍ତ୍ତିତ କରିବାକୁ ମଧ୍ୟ ପ୍ରଶାସନ ଆଗ୍ରହ ପ୍ରକାଶ କରୁ ନଥିବା ବନବାସୀ ଅଭିଯୋଗ କରିଛନ୍ତି। ଜଙ୍ଗଲ ଗାଁରୁ ରାଜସ୍ବ ଗାଁରେ ପରିବର୍ତ୍ତିତ କରିବା ପାଇଁ ଉଦ୍ଦିଷ୍ଟ ସର୍ବେକ୍ଷଣ ଜଙ୍ଗଲ ଗାଁ ତାଲିକାରେ ବଣାଇଁ ଓ ପାନପୋଷ ଉପଖଣ୍ଡରେ ୨ଟି ଓ ସୁନ୍ଦରଗଡ଼ ଉପଖଣ୍ଡରେ ୪୭ଟି ଗାଁ ରହିଛି। କିନ୍ତୁ ସେସବୁକୁ ମଧ୍ୟ ପ୍ରଶାସନ ଫାଇଲ ଭିତରେ ବନ୍ଦକରି ରଖିଛନ୍ତି। ଏହା ମଧ୍ୟରେ ଏସବୁ ପ୍ରକ୍ରିୟା ତ୍ବରାନ୍ବିତ କରିବା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ୮ରୁ ୧୦ ଥର ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହେଲାଣି, କିନ୍ତୁ ଫଳ ଶୂନ୍‌।

ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲା ପଞ୍ଚମ ଅନୁସୂଚୀ ଅଞ୍ଚଳ ହୋଇଥିବା ବେଳେ ଜଙ୍ଗଲ ଓ ଜଙ୍ଗଲଜମି ଉପରେ ଚାଷବାସ କରି ଚଳି ଆସୁଥିବା ଅନେକ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କୁ ସେହି ଜମିର ମାଲିକାନା ବା ପଟ୍ଟା ଦିଆଯାଇ ନଥିବାରୁ ସେମାନେ ସରକାରୀ ଯୋଜନାର ଲାଭ ଉଠାଇପାରୁ ନାହାନ୍ତି। ଜଙ୍ଗଲଜମି ଅଧିକାର ଆଇନ ଆସିବାର ୧୫ ବର୍ଷ ବିତିଯାଇଥିଲେ ମଧ୍ୟ ଯୋଗ୍ୟ ହିତାଧିକାରୀ ଓ ଗାଁଗୁଡ଼ିକୁ ଅଧିକାର ମିଳିନାହିଁ। ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଆଇନରେ ୨୫ ହଜାର ଆବେଦନରୁ ୨୧ ହଜାର ବନବାସୀଙ୍କୁ ଶିରୋନାମା ଦିଆଯାଇଥିବା ଆଇଟିଡିଏ କହୁଥିଲେ ମଧ୍ୟ ବାସ୍ତବତା ଭିନ୍ନ। ହିତାଧିକାରୀ ଏବେ ବି ତହସିଲ, ବନବିଭାଗ ଓ ଆଇଟିଡିଏ କାର୍ଯ୍ୟାଳୟକୁ ଧାଇଁ ଧାଇଁ ନୟାନ୍ତ ହେଉଛନ୍ତି। ଯୁଗ ଯୁଗ ଧରି ନିଜ ମାଟିରେ ପରିଚୟହୀନ ହୋଇ କଲବଲ ଜୀବନ ଜିଉଁଛନ୍ତି ନିରୀହ ବନବାସୀ।

ସମ୍ବନ୍ଧିତ ଖବର