ହକ୍‌ରୁ ବଂଚିତ ୧୦୮ ବର୍ଷର ଶୈଳବାଳା ମହିଳା ମହାବିଦ୍ୟାଳୟ: ମଉଳିଯାଉଛି ବିଶ୍ବବିଦ୍ୟାଳୟ ମାନ୍ୟତା ଆଶା

କଟକ : ଓଡ଼ିଶାର ସର୍ବପ୍ରଥମ ତଥା ଦେଶର ତୃତୀୟ ମହିଳା ମହାବିଦ୍ୟାଳୟ ଭାବେ ପରିଗଣିତ ହୁଏ କଟକର ଐତିହାସିକ ଶୈଳବାଳା ମହିଳା ମହାବିଦ୍ୟାଳୟ। ୧୦୮ ବର୍ଷର ଏହି ପୁରୁଣା କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ବି ଏ କ୍ଷେତ୍ରରେ ସରକାରୀ ଶିଥିଳତା ଏବେ ବିଭିନ୍ନ ମହଲରେ ଅସନ୍ତୋଷର କାରଣ ହୋଇଛି। ଭୁବନେଶ୍ବରର ରମାଦେବୀ ମହିଳା ମହାବିଦ୍ୟାଳୟକୁ ସରକାର ବିଶ୍ବବିଦ୍ୟାଳୟ ମାନ୍ୟତା ଦେଇସାରିଥିଲେ ବି କେଉଁ କାରଣରୁ ଏହି ଐତିହାସିକ କଲେଜ ମାନ୍ୟତାରୁ ବଂଚିତ ହୋଇ ଆସୁଛି, ତାହା ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗର କାରଣ ହୋଇଛି।

୨୦୧୭ରେ ଶୈଳବାଳାକୁ ସ୍ବୟଂଶାସିତ କଲେଜର ମାନ୍ୟତା ମିଳିଥିଲା। ଓଡ଼ିଶା‌ରେ ଏହାପରେ ସ୍ଥାପିତ ହୋଇଥିବା ଅନେକ କଲେଜକୁ ରାଜ୍ୟ ସରକାର ବିଶ୍ବବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଥିବାବେଳେ ରାଜ୍ୟର ପ୍ରଥମ ମହିଳା କଲେଜକୁ ଅଣଦେଖା କରି ଆସିଥିବାର ଅଭିଯୋଗ ହେଉଛି। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ସମସ୍ତ ମାନଦଣ୍ଡ ପୂରଣ କରୁଥିବା ଏହି ସ୍ବୟଂଶାସିତ ମହିଳା କଲେଜ ବିଶ୍ବବିଦ୍ୟାଳୟରେ ପରିଣତ ହୋଇପାରୁନାହିଁ।

Shiksha

ଐତିହାସିକ ଶୈଳବାଳା ମହିଳା କଲେଜ ୧୯୧୩ରେ ସ୍ଥାପିତ ହୋଇଥିଲା। ଏହା ରାଜ୍ୟର ମହିଳାଙ୍କ ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ବହନ କରି ଆସିଛି। କଲେଜରେ ୧୨ଟି ବିଷୟରେ ପିଜି, ୧୦ଟିରେ ଏମ୍‌ଫିଲ, କଳା ଓ ବିଜ୍ଞାନରେ ବିଏଡ୍‌ ପାଠ୍ୟକ୍ରମ ରହିଛି। କଲେଜରେ ଏବେ ସାଢେ ୪ ହଜାରରୁ ଅଧିକ ଛାତ୍ରୀ ପଢୁଛନ୍ତି। ଇତିହାସ, ଓଡ଼ିଆ, ରାଜନୀତି ବିଜ୍ଞାନ, ସଂସ୍କୃତ, ଗୃହ ବିଜ୍ଞାନ, ଅର୍ଥନୀତି, ଏଜୁକେସନ୍‌(ଶିକ୍ଷା), ହିନ୍ଦୀ, ସମାଜ ବିଜ୍ଞାନ, ମନସ୍ତତ୍ତ୍ବ‌, ଇଂରାଜି, ଦର୍ଶନ ଶାସ୍ତ୍ରରେ ସ୍ନାତକୋତ୍ତର ପାଠ୍ୟକ୍ରମ ରହିଛି। ୧୦ଟି ବିଷୟ ଯଥା ଇତିହାସ, ଓଡ଼ିଆ, ରାଜନୀତି ବିଜ୍ଞାନ, ସଂସ୍କୃତ, ଗୃହ ବିଜ୍ଞାନ, ଅର୍ଥନୀତି, ଏଜୁକେସନ୍‌(ଶିକ୍ଷା), ହିନ୍ଦୀ, ସମାଜ ବିଜ୍ଞାନ ଓ ମନସ୍ତତ୍ତ୍ବ‌ ବିଷୟରେ ଏମ୍‌ଫିଲ ରହିଛି। ଶୈଳବାଳା କଲେଜର ବହୁବର୍ଷ ପରେ ସ୍ଥାପନ ହୋଇଥିବା ରାଜ୍ୟର ଖଲ୍ଲିକୋଟ, କଲାହାଣ୍ଡି, ରାଜେନ୍ଦ୍ର କଲେଜ, ରମାଦେବୀ ପରି ଅନେକ କଲେଜକୁ ସରକାର ବିଶ୍ବବିଦ୍ୟାଳୟର ମାନ୍ୟତା ଦେଇସାରିଛନ୍ତି। ପୂର୍ବରୁ ଭିତ୍ତିଭୂମିର ଆଳ ଦର୍ଶାଇ ଏ କ୍ଷେତ୍ରରେ ଟାଳଟୁଳ ନୀତି ଗ୍ରହଣ କରାଯାଉଥିବାବେଳେ ୨୦୧୮ରେ କଟକର ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟକୁ ସରକାର ବିଶ୍ବବିଦ୍ୟାଳୟ ଘୋଷଣା କରିବାପରେ ଏହାକୁ ବିଶ୍ବବିଦ୍ୟାଳୟର ମାନ୍ୟତା ପ୍ରଦାନ ନ କରିବା ପଛର ସମସ୍ତ ଯୁକ୍ତି ମୂଲ୍ୟହୀନ ହୋଇଛି।

ଏହାକୁ ଏକକ ବିଶ୍ବବିଦ୍ୟାଳୟ ଭାବେ ମାନ୍ୟତା ଦେବାରେ ବି କୌଣସି ସମସ୍ୟା ନାହିଁ। ୟୁଜିସି ବି ଏହାକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେଇପାରିବ। ରାଜ୍ୟସଭା ସାଂସଦ ସୁବାସ ସିଂ କିଛି ମାସ ପୂର୍ବ‌େ କଲେଜକୁ ଆସି ଏ ଦାବି ପ୍ରତି ସମର୍ଥନ ଜଣାଇବା ସହିତ ଏ ‌ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବର୍ତ୍ତମାନ ଓଡ଼ିଶାର ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ। ଏଭଳି ସ୍ଥିତିରେ ଶୈଳବାଳାର ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି ପୂରଣ ନ ହେଲେ ହୁଏତ ଆଗକୁ ଏହା ଅଧିକ ବିଳମ୍ବିତ ହେବ। ତେଣୁ ରାଜ୍ୟ ଓ କେନ୍ଦ୍ର ସରକାର ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ କଟକର ବୁଦ୍ଧିଜୀବୀଙ୍କ ପକ୍ଷରୁ ଦାବି ହେଉଛି। ଓଡ଼ିଶାରେ ନାରୀ ଶିକ୍ଷାର ବିକାଶ ପାଇଁ ସରକାର ତୁରନ୍ତ ୧୦୮ ବର୍ଷର ପୁରୁଣା କଲେଜକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବାକୁ କଟକର ରାଜ୍ୟର ବୁଦ୍ଧିଜୀବୀଙ୍କ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର