‘ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ’ ଲକ୍ଷ୍ୟ ହାସଲ ହେବ ତ?

ସବୁ ଜିଲ୍ଲାରେ ନାହାନ୍ତି ଚକ୍ଷୁ ସହାୟକ, କାର୍ଯ୍ୟକାରୀ ହୋଇପାରିଲାନି ‘ଡ୍ରପ୍’ ଆପ୍‌, ‌ମୋତିଆବିନ୍ଦୁ ଅସ୍ତ୍ରୋପଚାରରେ ମଧ୍ୟ ରାଜ୍ୟ ଧାର୍ଯ୍ୟ ଲକ୍ଷ୍ୟରୁ ପଛରେ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୭ ମସିହାରେ ଆରମ୍ଭ ହୋଇଥିବା ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ଲକ୍ଷ୍ୟ ହାସଲକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ୨୦୨୨ ମସିହା ସୁଦ୍ଧା ରାଜ୍ୟରେ ୨୫ ପ୍ରତିଶତ ଅନ୍ଧତ୍ବ ଦୂରୀକରଣ ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ରହିଥିବା ବେଳେ ଯୋଜନାରେ ଯେଉଁ ନିଷ୍ପତ୍ତି ହୋଇଥିଲା ତହିଁରେ ଅଧା କାର୍ଯ୍ୟ ମଧ୍ୟ ଶେଷ ହୋଇନାହିଁ। ଏପରିକି ଚକ୍ଷୁରୋଗୀଙ୍କ ଡାଟାବେସ୍ ସଂଗ୍ରହ କାର୍ଯ୍ୟ ମଧ୍ୟ ସମ୍ଭବ ହୋଇପାରିନାହିଁ। ଏହି ଯୋଜନାରେ ସରକାର ୫ବର୍ଷରେ ୬ଶହ କୋଟି ଟଙ୍କା ଖର୍ଚ କରିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଧାର୍ଯ୍ୟ ସମୟ ପୂର୍ବରୁ ଏହା ଏକ ପ୍ରକାର ବିଫଳ ହେବାକୁ ବସିଛି।

୩ବର୍ଷ ତଳେ ବିଶ୍ବ ଚକ୍ଷୁ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଚକ୍ଷୁରୋଗୀଙ୍କ ପାଇଁ ରାଜ୍ୟରେ ଏହା ଉଲ୍ଲେଖନୀୟ ଯୋଜନା ବୋଲି ସରକାରଙ୍କ ତରଫରୁ କୁହାଯାଇଥିଲା। ଏହି ଯୋଜନା ଅନ୍ତର୍ଗତ ‘ସୁନେତ୍ର’ ଅଧୀନରେ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଏଥିରେ ପ୍ରାରମ୍ଭରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି)ରେ ଭିଜନ୍ କେନ୍ଦ୍ର ଖୋଲିବା ଓ ପରବର୍ତୀ ସମୟରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର(ପିଏଚ୍‌ସି) ଓ ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବା ଲକ୍ଷ୍ୟ ରହିଥିଲା। ମାତ୍ର ୨୦୧୯ ଶେଷ ସୁଦ୍ଧା ରାଜ୍ୟରେ ଅଧିକାଂଶ ସିଏଚ୍‌ସିରେ ଭିଜନ୍ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇନାହିଁ। ୧୦୦ଟି ଭିଜନ୍ କେନ୍ଦ୍ର ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ଯୋଗାଣର ବ୍ୟବସ୍ଥା ହୋଇଥିଲେ ହେଁ ଏସବୁର ନିର୍ମାଣ ଶେଷ ହୋଇନାହିଁ। ଏହାସହ ୩ଶହରୁ ଅଧିକ ସିଏଚ୍‌ସିରେ ଭିଜନ୍ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି ସତ ମାତ୍ର ସେଠାରେ ଆବଶ୍ୟକ ଯନ୍ତ୍ରପାତି ଦିଆଯାଇ ନାହିଁ କି କର୍ମଚାରୀ ମଧ୍ୟ ନାହାନ୍ତି। ତେଣୁ ତୃଣମୂଳସ୍ତରରେ ଚକ୍ଷୁ ପରୀକ୍ଷା ସମ୍ଭବ ହେଉନାହିଁ।

ଭିଜନ୍ କେନ୍ଦ୍ର କିମ୍ବା ସ୍ବାସ୍ଥ୍ୟକେନ୍ଦ୍ରକୁ ଚକ୍ଷୁ ପରୀକ୍ଷା ପାଇଁ ଆସୁଥିବା ରୋଗୀମାନଙ୍କ ଡାଟାବେସ୍ ପ୍ରସ୍ତୁତ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ ରହିଥିଲା। ଯାହାଫଳରେ ଅଧାରୁ ଚିକିତ୍ସା ଛାଡ଼ୁଥିବା ଓ ନିୟମିତ ଚିକିତ୍ସା ସଂପର୍କରେ ସୂଚନା ଦେବା ପାଇଁ ରୋଗୀମାନଙ୍କ ଡିଜିଟାଲ ରେକର୍ଡ ପ୍ରସ୍ତୁତ ହେବାର ଥିଲା। ଏଥିପାଇଁ ସ୍ବତନ୍ତ୍ରଭାବେ ଏକ ‘ଡ୍ରପ୍’ ଆପ୍ ପ୍ରସ୍ତୁତ କରିବା ପାଇଁ ଘୋଷଣା ହୋଇଥିଲା। ମାତ୍ର ୩ବର୍ଷ ଭିତରେ ଏହି ମୋବାଇଲ୍ ଆପ୍ ପ୍ରସ୍ତୁତ ହୋଇପାରିଲା ନାହିଁ। କିଏ ଏହି ଆପ୍ ପ୍ରସ୍ତୁତ କରୁଛି ଓ କେବେ ଏହି ଆପ୍ କାର୍ଯ୍ୟକାରୀ ହେବ ତାହା ମଧ୍ୟ ଅଧିକାରୀମାନେ ସ୍ପଷ୍ଟ କରିପାରୁ ନାହାନ୍ତି। ଯାହାଫଳରେ ଚକ୍ଷୁ ଅସ୍ତ୍ରୋପଚାର କରୁଥିବା ରୋଗୀମାନଙ୍କୁ ମାଗଣାରେ ଚଷମା ପ୍ରଦାନ କରିବା ପାଇଁ ଯେଉଁ ଲକ୍ଷ୍ୟ ରହିଥିଲା ତାହା ମଧ୍ୟ ବିଫଳ ହୋଇଛି।

ସାବର୍ଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ମୋତିଆବିନ୍ଦୁ ଅସ୍ତ୍ରୋପଚାରକୁ ତ୍ବରାନ୍ବିତ କରିବା ଏହାର ଅନ୍ୟତମ ଲକ୍ଷ୍ୟ ରହିଥିଲା। ମାତ୍ର ପରିସଂଖ୍ୟାନ ଅନୁସାରେ ରାଜ୍ୟରେ ମୋତିଆବିନ୍ଦୁ ‌ଅସ୍ତ୍ରୋପଚାର ଜାତୀୟ ହାରଠାରୁ ମଧ୍ୟ ବହୁ ପଛରେ ରହିଛି। ୨୦୧୭/୧୮ରେ ୨ଲକ୍ଷ ୭୬ହଜାର ୮୫୩ଜଣଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଲକ୍ଷ୍ୟ ରହିଥିବା ବେଳେ ୧ଲକ୍ଷ ୩୨ହଜାର ୮୮୭ ଜଣଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଥିଲା। ୨୦୧୮/୧୯ରେ ୨ଲକ୍ଷ ୭୬ହଜାର ୮୫୩ଜଣଙ୍କ ମଧ୍ୟରୁ ୧ଲକ୍ଷ ୩୯ହଜାର ୫୬୫ଜଣଙ୍କର ଅସ୍ତ୍ରୋପଚାର ହୋଇପାରିଛି। ପ୍ରତିବର୍ଷ ଯେତିକି ଲକ୍ଷ୍ୟ ରଖାଯାଉଛି ତାହାର ୫୦ ପ୍ରତିଶତ ପର୍ଯ୍ୟନ୍ତ ଅସ୍ତ୍ରୋପଚାର ସମ୍ଭବ ହେଉଛି। ରାଜ୍ୟରେ ଏବେ କେବଳ ଗୋଟିଏ ଜିଲ୍ଲାରୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାରେ ଚକ୍ଷୁ ବିଶେଷଜ୍ଞ ଅଛନ୍ତି। ମାତ୍ର ଏହା ଯଥେଷ୍ଟ ନୁହେଁ। ଫଳରେ ଅଧିକାଂଶ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କୁ ହିଁ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରିବା ସହିତ ଅସ୍ତ୍ରୋପଚାର କରିବାକୁ ପଡ଼ୁଛି। ଏହାସହ ସବୁ ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ଚକ୍ଷୁ ସହାୟକ ନାହାନ୍ତି। ଚକ୍ଷୁ ସହାୟକଙ୍କୁ ନିଯୁକ୍ତି ଦେବା ଲାଗି ରାଜ୍ୟର ୩ଟି ପୁରାତନ ମେଡିକାଲ କଲେଜ ସମେତ କ୍ୟାପିଟାଲ ହସ୍ପିଟାଲ ଓ ଏଲ୍‌ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନକୁ ମିଶାଇ ସମୁଦାୟ ୯୦ ଜଣ ତାଲିମ ନେଉଛନ୍ତି। ଅପରପକ୍ଷରେ ଏହି ଯୋଜନା ପାଇଁ ଗଠିତ ହୋଇଥିବା କମିଟିରେ କେହି ଅପ୍‌ଥାଲମୋଲୋଜିଷ୍ଟ ବା ଚକ୍ଷୁ ବିଶେଷଜ୍ଞ ନାହାନ୍ତି। ମାତ୍ର ଏହି ତାଲିମ କାର୍ଯ୍ୟକ୍ରମର ନିୟମିତ ତଦାରଖ ହେଉ ନ ଥିବା ଅଭିଯୋଗ ହେଉଛି।

‘ସୁନେତ୍ର’ର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ବିଦ୍ୟାଳୟ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ପିଲାମାନଙ୍କୁ ଚଷମା ପ୍ରଦାନ କରାଯାଉଛି। ଏବେ ୧୫ଟି ଜିଲ୍ଲାରେ ମୋବାଇଲ ଭିଜନ୍ କେନ୍ଦ୍ର କାର୍ଯ୍ୟ କରୁଥିବା ବେଳେ ଆସନ୍ତାବର୍ଷ ବଳକା ଜିଲ୍ଲାରେ ଏହା କାର୍ଯ୍ୟ କରିବ। ଭିଜନ୍ କେନ୍ଦ୍ରଗୁଡ଼ିକୁ ଯନ୍ତ୍ରପାତି ଯୋଗାଇବା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ନୂତନ ଭାବେ ନିର୍ମାଣ ହେବାକୁ ଥିବା କେନ୍ଦ୍ର ପାଇଁ ଟଙ୍କା ପ୍ରଦାନ କରାଯାଇଛି। ମୋତିଆବିନ୍ଦୁ ଅସ୍ତ୍ରୋପଚାରକୁ ଅଧିକ ତ୍ବରାନ୍ବିତ କରିବା ପାଇଁ ଆଶା କର୍ମୀମାନଙ୍କୁ ପୁନର୍ବାର ସ୍ବତନ୍ତ୍ର ତାଲିମ ପ୍ରଦାନ କରାଯିବା ସହିତ ଅଧିକରୁ ଅଧିକ ଏନ୍‌ଜିଓମାନଙ୍କୁ ଏଥିରେ ସାମିଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ରୋଗୀଙ୍କ ଡାଟାବେସ୍ ଓ ଡ୍ରପ୍ ଆପ୍ ପ୍ରସ୍ତୁତ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏହାସହ କମିଟିରେ ନିର୍ଦ୍ଦିଷ୍ଟଭାବେ କୌଣସି ଚକ୍ଷୁ ବିଶେଷଜ୍ଞ ନ ଥିଲେ ମଧ୍ୟ ବିଭିନ୍ନ ସମୀକ୍ଷା ବୈଠକରେ ଚକ୍ଷୁ ବିଶେଷଜ୍ଞମାନଙ୍କୁ ଆହ୍ବାନ କରାଯାଉଛି। ଚକ୍ଷୁ ସହାୟକଙ୍କ ତାଲିମ୍ କାର୍ଯ୍ୟକ୍ରମକୁ ମଧ୍ୟ ତଦାରଖ କରାଯାଉଛି। ତେଣୁ ୨୦୨୨ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ କିଭଳି ହାସଲ ହୋଇପାରିବ ତାହାର ଯୋଜନା କରାଯାଉଛି ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର