ଏସିଏସ୍‌ଓଙ୍କ ବିରୋଧରେ ଭିଜିଲାନସ୍ ତଦନ୍ତରେ ଶିଥିଳତା, ତଥ୍ୟ ଦେବାରେ ବିଳମ୍ବ 

ଭଦ୍ରକ: ଭଦ୍ରକ ଯୋଗାଣ ବିଭାଗରେ କାର୍ଯ୍ୟ କରୁଥିବା ଜଣେ  ଏସିଏସଓଙ୍କ କାର୍ଯ୍ୟକଳାପ ଉପରେ  ସନ୍ଦେହ ପ୍ରକଟ କରି ଭିଜିଲାନସ୍ ବିଭାଗ ପକ୍ଷରୁ ତାଙ୍କ ନାମରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁଥିବା ବେଳେ ଏହି ତଦନ୍ତରେ ଶିଥିଳତା ପଡିଯାଇଥିବାରୁ  ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଯେଉଁ ଏସିଏସଓଙ୍କ ନାମରେ ଭିଜିଲାନସ୍ ପକ୍ଷରୁ ମାମଲା ରୁଜୁ କରାଗଲା। ତାଙ୍କ ଉପରେ ଏବେ ସୁଦ୍ଧା କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଭଦ୍ରକର ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି। ଏହିି ମାମଲାକୁ ଚାପି ଦେବାକୁ ଉଦ୍ୟମ ଚାଲୁଛି ବୋଲି ଚର୍ଚ୍ଚା ହେଉଛି।

ଭଦ୍ରକ ଯୋଗାଣ ବିଭାଗ ପକ୍ଷରୁ କିରୋସିନି, ଗହମ ଓ ଚାଉଳ ଯୋଗାଣ ବେଳେ ହେରଫେର୍ କରାଯାଉଥିବା ବେଳେ ଖରିଫ୍ ଧାନ ସଂଗ୍ରହ ବେଳେ ଜିଲ୍ଲା ଯୋଗାଣ ବିଭାଗର ଦୁର୍ନୀତି ଚର୍ଚ୍ଚାରେ ରହିଥିଲା। ଭଦ୍ରକର ପୂର୍ବତନ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଶରତ କୁମାର ବେହେରାଙ୍କ ବିରୋଧରେ ଖୋର୍ଦ୍ଧା ଭିଜିଲାନସ୍ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ଭିଜିଲାନ୍ସର ତଦନ୍ତ ଚାଲୁଥିବା ବେଳେ ବିଭାଗ ପକ୍ଷରୁ ଭଦ୍ରକ ଜିଲ୍ଲା ଯୋଗାଣ ବିଭାଗକୁ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀଙ୍କର ଭଦ୍ରକରେ ଚାକିରୀ ସଂପର୍କରେ ନଥିପତ୍ର ମାଗିଥିଲେ।

ଏହି ନଥିପତ୍ର ଦେବାରେ ଜିଲ୍ଲା ଯୋଗାଣ ବିଭାଗ ଟାଳଟୁଳ ନୀତି ଅବଲମ୍ବନ କରୁଛି। ଯେଉଁଥିପାଇଁ ଭିଜିଲାନସ୍ ମାମଲା ଆଗକୁ ବଢି ପାରୁନାହିଁ। ଗତ ମାର୍ଚ୍ଚ ମାସ ୧୮ ତାରିଖରେ ପିପିଲି ଟୋଲ୍ ଗେଟ୍ ପାଖରୁ ଖୋର୍ଦ୍ଧା ଜିଲ୍ଲା ଭିଜିଲାନସ୍ ଟିମ୍ ଭଦ୍ରକ ଏସିଏସଓ ଶ୍ରୀ ବେହେରାଙ୍କ ନିକଟରୁ  କିଛି  ଟଙ୍କା  ଜବତ କରିଥିଲା। ଏତେ ଟଙ୍କା  କୁଆଡେ  ନେଇ  ଯାଉଥିବା ବେଳେ ତାଙ୍କୁ  ଭିଜିଲାନସ୍ ଟିମ୍ ଧରିବା ସହ ପଚରାଉଚରା କରି ଛା‌ଡି ଦେଇଥିଲା। କିନ୍ତୁ ଏହି ଘଟଣା ପରେ ଖୋର୍ଦ୍ଧା ଭିଜିଲାନ୍ସ ବିଭାଗ ପକ୍ଷରୁ   ଶ୍ରୀ  ବେହେରାଙ୍କ ନାମରେ ଏକ ଆୟ ବହିର୍ଭୁତ  ସଂପତ୍ତି ଠୁଳ ମାମଲା  ନମ୍ବର ୭/୨୨ରେ   ରୁଜୁ କରାଯାଇଥିଲା। ଏହି ମାମଲାରେ ତଦନ୍ତ କରୁଥିବା  ଭିଜିଲାନସ୍ ଅଧିକାରୀ  ଭଦ୍ରକ ଜିଲ୍ଳା ଯୋଗାଣ ଅଧିକାରୀଙ୍କୁ ଗତ ମାର୍ଚ୍ଚ ମାସ ୨୯ ତାରିଖରେ ଭଦ୍ରକ ଯୋଗାଣ ବିଭାଗରେ କାମ କରୁଥିବା ଅତିରିକ୍ତ ଯୋଗାଣ ଅଧିକାରୀ ଶରତ ବେହେରାଙ୍କ ସଂପର୍କରେ ତଥ୍ୟ ପ୍ରଦାନ କରିବାକୁ ଚିଠି ଲେଖିଥିଲେ। ଶ୍ରୀ ବେହେରାଙ୍କର ଚାକିରୀକାଳ ଓ ତାଙ୍କର ଆୟ ସଂପର୍କରେ ତଥ୍ୟ ମଗାଯାଇଥିଲା।  ଏହା ଭିତରେ ୩ ମାସ ପୂରଣ ହୋଇଛି। ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ସଂପୃକ୍ତ ଏସିଏସଓଙ୍କ ସଂପର୍କରେ ତଥ୍ୟ ଦେବାକୁ ଟାଳଟୁଳୁ ନୀତି ଅବଲମ୍ବନ କରାଯାଉଥିଲା।

ଏ ସଂପର୍କରେ ଖବର ପ୍ରସାରଣ ହେବା ପରେ ଗତ ୩ ଦିନ ତଳେ ଭଦ୍ରକ ଜିଲ୍ଳା ଯୋଗାଣ ଅଧିକାରୀ  ଶ୍ରୀ ବେହେରାଙ୍କ ଚାକିରୀ, ଦରମା  ଓ  ଅନ୍ୟାନ୍ୟ ତଥ୍ୟ  ସଂପର୍କରେ  ଖୋର୍ଦ୍ଧା  ଜିଲ୍ଲା  ଭିଜିଲାନ୍ସ୍  ନିକଟରେ ତଥ୍ୟ ଉପସ୍ଥାପନ କରିଛନ୍ତି। ଏହି ମାମଲାକୁ ଏବେ ୪ ମାସ ଚାଲିଥିବା ବେଳେ ଭିଜିଲାନ୍ସ ପକ୍ଷରୁ ଏହି ମାମଲାର ଉପଯୁକ୍ତ ତଦନ୍ତ କରିବ ନା ପୁଣି ଦିନ ଗଡାଇ ଚାଲିବ ତାହାକୁ ନେଇ ଚର୍ଚ୍ଚା ହେଉଛି। ଶ୍ରୀବେହେରା  ସେତେବେଳେ ଜିଲ୍ଳାରେ ସରକାରୀ ଧାନ କିଣା ଦାୟିତ୍ବରେ ରହିଥିବା ବେଳେ ତାଙ୍କ ନାମରେ  ଭିଜିଲାନସ୍ ମାମଲା ରୁଜୁ ହେବା ପର ଠାରୁ ସେ ବିବାଦୀୟ ହୋଇ ପଡିଛନ୍ତି। ଜିଲ୍ଲାରେ  ସରକାରୀ ମଣ୍ଡିରେ  ଧାନ କିଣା ବେଳେ ୩୮ ହଜାର କ୍ୟୁଣ୍ଟାଲ ଧାନ ହେରଫେର ହୋଇଥିବା ନେଇ  ରାଜ୍ୟ ଯୋଗାଣ ନିଗମର ଯାଞ୍ଚ ଟିମ୍ ରିପୋର୍ଟ ଦେବା ପର ଠାରୁ ଭଦ୍ରକ ଜିଲ୍ଳା ଯୋଗାଣ ବିଭାଗ ବିବାଦ ଘେରକୁ ଠେଲି ହୋଇଯାଇଛି। ଏହି ମାମଲାର ତଦନ୍ତ ଆଗକୁ କେଉଁଠି ରହୁଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର