ଥାନା ସମ୍ମୁଖରେ ଭଉଣୀକୁ ଭାଇର ହତ୍ୟା ଘଟଣା: ଶବ ରଖି ଥାନା ଘେରାଉ କଲେ ଗ୍ରାମବାସୀ

ନାକଟିଦେଉଳ : ସମ୍ବଲପୁର ଜିଲ୍ଲା କିସିଣ୍ତା ଥାନା ସମ୍ମୁଖରେ ବୁଧବାର ସନ୍ଧ୍ୟାରେ ଜଣେ ମହିଳାଙ୍କୁ ତାଙ୍କ କାକା ପୁଅ ଭାଇ ଟାଙ୍ଗିଆରେ ହାଣି ଫେରାର୍ ହୋଇଯାଇଛି। ଏହି ଘଟଣାରେ ଗୁରୁବାର ଲୋଇସିଂହ ଗ୍ରାମବାସୀ କିସିଣ୍ତା ଥାନା ସମ୍ମୁଖରେ ମହିଳାଙ୍କ ଶବ ରଖି ଥାନା ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ହତ୍ୟାର ଶିକାର ହୋଇଥିବା କୁମାରୀ ମେହେର (୩୨)ଙ୍କ ପରିବାରକୁ ସୁରକ୍ଷା ପ୍ରଦାନ, ହତ୍ୟାକାରୀକୁ ଗିରଫ କରିବା ଏବଂ କିସିଣ୍ଡା ଅଞ୍ଚଳରୁ ଦେଶୀ ଓ ବିଦେଶୀ ମଦ ଦୋକାନକୁ ସଂପୂର୍ଣ୍ଣ ହଟାଇବା ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସୂଚନା ଥାଉ କି ବୁଧବାର ଲୋଇସିଂହ ଗ୍ରାମର କୁମାରୀଙ୍କ ସହ ତାଙ୍କ ବଡ ବାପା ପୁଅ ଭାଇ କ୍ଷୀରୋଦଙ୍କ ମଧ୍ୟରେ କଳହ ହୋଇଥିଲା। ଏଥିରେ କ୍ଷୀରୋଦ କୁମାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା। ସନ୍ଧ୍ୟା ପ୍ରାୟ ୬ଟା ବେଳେ କୁମାରୀ କ୍ଷୀରୋଦ ବିରୋଧରେ ଅଭିଯୋଗ କରିବାକୁ କିସିଣ୍ତା ଥାନାକୁ ଯାଉଥିଲେ। ତେବେ କ୍ଷୀରୋଦ ତାଙ୍କୁ ପିଛା କରି ଥାନା ସମ୍ମୁଖରେ ଏକ ଟାଙ୍ଗିଆରେ ହାଣି ହତ୍ୟା କରି ଫେରାର୍ ହୋଇଯାଇଥିଲା। ଗୁରୁବାର କିସିଣ୍ଡା ପୁଲିସ ଡଗ୍‌ ସ୍କ୍ବାଡ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ କରିଛି। ଅନ୍ୟପକ୍ଷରେ ପୁଲିସ କୁମାରୀଙ୍କ ଶବ ବ୍ୟବଚ୍ଛେଦ ପାଇଁ ରେଢାଖୋଲ ଡାକ୍ତରଖାନାକୁ ନେବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ଘୋର ବିରୋଧ କରିଥିଲେ। ପୂର୍ବାହ୍ନ ୧୦ ଟାରୁ ଅପରାହ୍‌ଣ ୬ ଟା ପର୍ଯ୍ୟନ୍ତ ଥାନା ସମ୍ମୁଖରେ ଶବ ରଖି ଘେରାଉ କରିଥିଲେ।

ଖବରପାଇ ସମ୍ବଲପୁର ଅତିରିକ୍ତ ଏସପି ଅମରେନ୍ଦ୍ର ପଣ୍ତା, ରେଢାଖୋଲ ଆରକ୍ଷୀ ଉପଅଧୀକ୍ଷକ ପ୍ରଶାନ୍ତ ମେହେର, ଯୁଯୁମୁରା, ଚାରମାଳ ଓ ନାକ୍‌ଟିଦେଉଳ ଥାନା ଅଧିକାରୀଙ୍କ ସମେତ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲା। ସନ୍ଧ୍ୟାରେ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ରେଢାଖୋଲ ଡାକ୍ତରଖାନାକୁ ପଠାଇଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର