୬୫ବର୍ଷିୟା କନକଲତା ହାର ମାନିନାହାନ୍ତି: ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ  

ଜୟପୁର:  ସଂପ୍ରତି ଜୋର ଧରିଛି ନାମାଙ୍କନ ପ୍ରକ୍ରିୟା । ସବୁଠାରେ ପ୍ରାର୍ଥୀ ମାନଙ୍କ ଭିଡ଼। କିଏ ନିଜ ସମର୍ଥିତ ଦଳ ସହ ଆସିଛି ତ କିଏ ନିଜର କର୍ମୀଙ୍କ ସହ।  ସବୁଠି ଯୁବପିଢିଙ୍କ ଗହଳି ଆଉ ଏସବୁ ଭିତରେ ଏମିତି ଜଣେ ୬୫ବର୍ଷିୟା ବୃଦ୍ଧା ମହିଳା ରହିଛନ୍ତି ଯିଏ କି ୪୭ବର୍ଷ ଧରି ରାଜନିତୀରେ ରହିବା ପରେ ବି ହାର ନ ମାନି ଏବେ ବି ନିର୍ବାଚନ ମଇଦାନରେ ଓହ୍ଲାଇବା ପାଇଁ ନାମାଙ୍କନଦାଖଲ କରିଛନ୍ତି।  ସେ ହେଉଛନ୍ତି କୁନ୍ଦ୍ରାର କନକଲତା ପେଣ୍ଟିଆ । କନକଲତା ୪୭ ବର୍ଷର ରାଜନୈତିକ ଜୀବନରେ ସେ ପଞ୍ଚାୟତି ରାଜ ବ୍ୟବସ୍ଥା ଆରମ୍ଭ ଠାରୁ ନିର୍ବାଚନ ଲଢି ଆସୁଛନ୍ତି । ଆଜି ସେ କୋରାପୁଟ ଜିଲ୍ଲା କୁନ୍ଦ୍ରା ବ୍ଲକର ଜୋନ-୨ର ବିଜେଡି ସମର୍ଥିତ ଜିଲ୍ଲାପରିଷଦ ସଭ୍ୟା ପାଇଁ ପ୍ରାର୍ଥୀ ଭାବେ କନକଲତା ନାମାଙ୍କନ ଦାଖଲ କରିଛନ୍ତି।

୧୯୭୫ମସିହାରୁ ସେ ରାଜନିତୀରେ ସକ୍ରିୟ ହୋଇଥିଲେ। ତାଙ୍କ ସ୍ବାମୀ କାଳିଚରଣ ପଣ୍ଡା କୁନ୍ଦ୍ରା ପଂଚାୟତରେ ୧୯୭୫ ଓ୧୯୮୦ମସିହାରେ ୨ଥର ସରପଂଚ ହୋଇଥିଲେ। ତାଙ୍କ ସହ ରହିବା ଏବଂ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରଭାବରେ ସେ ଅଣକଂଗ୍ରେସ ଦଳ ଜନତା ଦଳରେ ରହି ଆସିଥିଲେ। ଏହା ପରେ ସେ  ୧୯୯୨ରେ କୁନ୍ଦ୍ରା ସମିତି ସଭ୍ୟା, ୧୯୯୭ରେ କୁନ୍ଦ୍ରା ସରପଞ୍ଚ, ୨୦୦୨ରେ କୁନ୍ଦ୍ରା ବ୍ଳକ ଅଧ୍ୟକ୍ଷା , ୨୦୧୨ରେ କୁନ୍ଦ୍ରା ଜୋନ-୧ର ଜିଲ୍ଲାପରିଷଦ ସଭ୍ୟା, ଏବଂ ୨୦୧୭ରୁ ଏବେ ପର୍ଯ୍ୟନ୍ତ କୁନ୍ଦ୍ରା ବ୍ଲକର ଲିମା ପଂଚାୟତର ସମିତିସଭ୍ୟା ରହି ଆସିଥିଲେ। ବୟସର ଅପରାହ୍ନରେ ବି ସେ ହାର ମାନି ନାହାନ୍ତି।  ଏଥରକ ବି ସେ ବିଜୟୀ ହୋଇ ଜନସେବା କରିବେ ବୋଲି କହିଛନ୍ତି। ବୟସର ଶେଷ ପର୍ଯ୍ୟନ୍ତ ଲୋକସେବାରେ ନିଜକୁ ନିୟୋଜିତ କରିବ ବୋଲି କନକଲତା କହିଛନ୍ତି। ଯୁବପିଢ଼ୀ ସୁସ୍ଥ ରାଜନିତୀ କରିବାକୁ ଆଗେଇ ଆସିବା ଦରକାର। ଯୁବକ ମାନେ ଆସିଲେ ନିଜ ଅଂଚଳ, ଜିଲ୍ଲା, ରାଜ୍ୟ ଓ ଦେଶର ସାମଗ୍ରୀକ ବିକାଶ ହୋଇପାରିବ ବୋଲି କନକଲତା କହିଛନ୍ତି।

 

ସମ୍ବନ୍ଧିତ ଖବର