ପାଠପଢ଼ା: ଏବେ ବି ମହିଳା ପଛରେ

ଭୁବନେଶ୍ୱର: ପାଠପଢ଼ା କ୍ଷେତ୍ରରେ ଓଡ଼ିଶାରେ ଏବେ ବି ମହିଳାମାନେ ଢେର୍‌ ପଛରେ ପଡ଼ିଛନ୍ତି। ୧୬ରୁ ୪୯ ବର୍ଷ ବୟସ୍କା ମହିଳାମାନଙ୍କ ମଧ୍ୟରୁ ମାତ୍ର ୨୬.୭ ପ୍ରତିଶତ ୧୦ ବର୍ଷ କିମ୍ବା ତଦୁର୍ଦ୍ଧ ସମୟ ସ୍କୁଲରେ କାଟିଛନ୍ତି। ଏହି ତଥ୍ୟ ଅନୁଯାୟୀ ଉକ୍ତ ବୟସର ମହିଳାମାନଙ୍କ ମଧ୍ୟରୁ ଅନ୍ୟୁନ ୧ କୋଟି ୧୦ ଲକ୍ଷ ଦଶମ ଶ୍ରେଣୀ ଟପିପାରିନାହାନ୍ତି।ସଦ୍ୟ ଉନ୍ମୋଚିତ ହୋଇଥିବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୪ ରିପୋର୍ଟରେ ଓଡ଼ିଶା ସମ୍ପର୍କରେ ୨୦୧୫-୧୬ ବର୍ଷ ଆଧାରରେ ଯେଉଁ ତଥ୍ୟ ଦିଆଯାଇଛି ତାହାର ବିଶ୍ଳେଷଣରୁ ଏହା ଜଣାପଡ଼ିଛି। ତେବେ ବିଗତ ୧୦ ବର୍ଷ ମଧ୍ୟରେ ଅବଶ୍ୟ ଏ କ୍ଷେତ୍ରରେ ମହିଳାମାନଙ୍କ ହାର ବୃଦ୍ଧି ପାଇଥିବା ଆଶ୍ୱାସନାର ବିଷୟ।

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୪ର ସର୍ବଶେଷ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ୨୦୦୫-୦୬ ବେଳକୁ ଓଡ଼ିଶାରେ ମହିଳାମାନଙ୍କ ଭିତରେ ସାକ୍ଷରତା ହାର ୫୨.୨ ପ୍ରତିଶତ ଥିବା ବେଳେ ୨୦୧୫-୧୬ ବେଳକୁ ତାହା ୬୭.୪ ପ୍ରତିଶତରେ ପହଞ୍ଚିଛି। ସହରାଞ୍ଚଳରେ ମହିଳାମାନଙ୍କ ମଧ୍ୟରେ ସାକ୍ଷରତା ହାର ୮୦.୭ ପ୍ରତିଶତ ଥିବା ବେଳେ ଗ୍ରାମାଞ୍ଚଳରେ ତାହା ୬୪.୫ ପ୍ରତିଶତ ରହିଛି। ତେବେ ରାଜ୍ୟର ପୁରୁଷମାନଙ୍କ ମଧ୍ୟରେ ସାକ୍ଷରତା ହାର ୧୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇ ୨୦୧୫-୧୬ ବେଳକୁ ୮୪.୩ ପ୍ରତିଶତରେ ପହଞ୍ଚିଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ବିଶ୍ୱବିଦ୍ୟାଳୟ ଓ ସ୍କୁଲ ସ୍ତରର ବିଭିନ୍ନ ପରୀକ୍ଷା ଏମିତିକି ଚାକିରି ଲାଗି ହେଉଥିବା ପ୍ରତିଯୋଗିତାରେ ପୁଅମାନଙ୍କ ତୁଳନାରେ ଝିଅମାନେ ବେଶ୍‌ ଦକ୍ଷତା ପ୍ରତିପାଦନ କରୁଛନ୍ତି। ହେଲେ ବିଦ୍ୟାଳୟରେ ୧୦ ବର୍ଷ କିମ୍ବା ତଦୁର୍ଦ୍ଧ ସମୟ କାଟୁଥିବା ମହିଳାମାନଙ୍କ ହାର ଢେର୍‌ କମ୍‌ ଅଛି। ୧୫ରୁ ୪୯ ବର୍ଷ ବୟସ୍କା ମହିଳାମାନଙ୍କ ଉପରେ କରାଯାଇଥିବା ଏହି ସର୍ଭେରେ ଦର୍ଶାଯାଇଛି ଯେ ୧୦ ବର୍ଷ ବା ତାହାଠରୁ ଅଧିକ ସମୟ ବିଦ୍ୟାଳୟରେ କାଟିଥିବା ଝିଅମାନଙ୍କ ହାର ୨୦୦୫-୦୬ ବେଳକୁ ଓଡ଼ିଶାରେ ୧୫.୬ ପ୍ରତିଶତ ଥିବା ବେଳେ ୨୦୧୫-୧୬ରେ ତାହା ୨୬.୭ ପ୍ରତିଶତ ହୋଇଛି। ସହରାଞ୍ଚଳରେ ଏବେ ଏହି ବର୍ଗର ମହିଳାମାନଙ୍କ ହାର ୪୩.୯ ପ୍ରତିଶତ ଥିବା ବେଳେ ଗ୍ରାମାଞ୍ଚଳରେ ତାହା ମାତ୍ର ୨୩ ପ୍ରତିଶତରେ ସୀମିତ ରହିଛି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୪ର ଏହି ତଥ୍ୟ ବିଶ୍ଳେଷଣରୁ ଜଣାପଡ଼ୁଛି ଯେ ରାଜ୍ୟରେ ୧୫ରୁ ୪୯ ବର୍ଷ ବୟସ୍କା ମହିଳାମାନଙ୍କ ମଧ୍ୟରୁ ପ୍ରାୟ ୧ କୋଟି ୧୧ ଲକ୍ଷ ବିଦ୍ୟାଳୟରେ ୧୦ ବର୍ଷ କିମ୍ବା ତଦୁର୍ଦ୍ଧ ସମୟ କାଟି ନାହାନ୍ତି। ଏହି ବୟସର ମହିଳାମାନଙ୍କ ମଧ୍ୟରେ ମାଟ୍ରିକୁଲେସନ୍‌ ସୀମା ୩୦ ଲକ୍ଷ ଡେଇଁଥିବା ଘେନି ସନ୍ଦେହ ରହିବା ସ୍ୱାଭାବିକ।

ସମ୍ବନ୍ଧିତ ଖବର