ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ମହିଳା ମାଓବାଦୀ

ମାଲକାନଗିରି: ଦୁର୍ବଳ ହେବାରେ ଲାଗିଛି ମାଓବାଦୀଙ୍କ ଗଡ଼ | ବିଶେଷ କରି ସରକାରଙ୍କ ପ୍ରୋତ୍ସାହନ ଯୋଗୁଁ ସାମାଜିକ ମୁଖ୍ୟସ୍ରୋତରେ ସାମିଲ ହେବାକୁ ମାଓବାଦୀମାନେ ଏବେ ମାଓ ଦୁର୍ଗ ଛାଡି ଆତ୍ମସମର୍ପଣ କରୁଛନ୍ତି | ଆଜି ଜଣେ ମହିଳା ମାଓବାଦୀ ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି | ତାଙ୍କ ନାମ ଦେବେ ସୋଡି ହୋଇଥିବାବେଳେ ଏରିଆ କମିଟି ମେମ୍ବର ଭାବରେ ସେ କାର୍ଯ୍ୟ କରୁଥିଲେ |

ଦେବେଙ୍କ ଘର ମାଲକାନଗିରି ସୀମାନ୍ତ ସୁକମା ଜିଲ୍ଲାର କୁଶରାଜ ହୋଇଥିବାବେଳେ ଉଭୟ ମାଲକାନଗିରି ଓ ଛତିଶଗଡ଼ର ଦାନ୍ତେୱାଡାରେ ସେ ସକ୍ରିୟ ଥିଲେ | ଦୁଇ ଜଣ ସାଧାରଣ ନାଗରିକ ଓ ବହୁ ଥର ପୁଲିସ ସହ ଗୁଳିବିନିମୟରେ ଦେବେ ସମ୍ପୃକ୍ତି ଥିଲେ ବୋଲି ମାଲକାନଗିରି ଏସପି କହିଛନ୍ତି |

୨୦୧୨ ମସିହାରେ ସେ ସିପିଆଇ(ମାଓବାଦୀ)ରେ ଯୋଗ ଦେଇଥିବାବେଳେ ତାଙ୍କ ଉପରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଓଡିଶା ସରକାର ଘୋଷଣା କରିଥିଲେ | ଦେବେ କହିଛନ୍ତି ଯେ ମାଓ ଶିବିରରେ ମାଓ ନେତାମାନଙ୍କର ଦୁର୍ବ୍ୟବହାର ସହ ଶାରୀରିକ ଓ ମାନସିକ ଶୋଷଣ ଯୋଗୁଁ ସେ ମାଓକ୍ୟାମ୍ପ ଛାଡିଛନ୍ତି | ସେହିପରି ପୁଲିସ ଓ ସିଆରପିଏଫ ଯବାନଙ୍କ ଘନ ଘନ କମ୍ବିଙ୍ଗ ଅପରେସନ ପାଇଁ ସେ ମାଓକ୍ୟାମ୍ପ ଛାଡ଼ିଥିବାର କହିଛନ୍ତି | ଏଠାରେ ସୂଚନା ଥାଉ କି ଗତକାଲି ମଧ୍ୟ ଜଣେ ମହିଳା ମାଓବାଦୀ ମାଲକାନଗିରି ଜିଲ୍ଲା ସୀମାନ୍ତ ଦାନ୍ତେୱାଡା ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ | ଏହି ମହିଳା ନକ୍ସଲ ଜଣକ ହେଲେ ଜୟ ଇସ୍ତାମ। ତାଙ୍କ ନାମରେ ସରକାର ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲେ। ସଂଗଠନରେ ସେ ଇନ୍ଦ୍ରାବତୀ ଏରିଆ କମିଟିର ସଦସ୍ୟା ଏବଂ ଏସିଏମ୍‌ ପଦରେ ଥିଲେ।

ସମ୍ବନ୍ଧିତ ଖବର