ମହିଳା ଦିବସରେ ପ୍ରଶାନ୍ତଙ୍କ ଶକ୍ତି ପ୍ରଦର୍ଶନ

ରାଉରକେଲା: ସାଧାରଣ ନିର୍ବାଚନ ଘୋଷଣା ହୋଇନି। ବିଜେପି, ବିଜେଡି ଓ କଂଗ୍ରେସର ଟିକେଟ ଆଶାୟୀ ନେତାମାନେ ଶକ୍ତିପ୍ରଦର୍ଶନ କରିବାକୁ ଗୋଟିଏ ପରେ ‌ଗୋଟିଏ କାର୍ଯ୍ୟକ୍ରମମାନ କରୁଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ନିକଟରେ କଂଗ୍ରେସ ଦଳ ଛାଡିଥିବା ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ପ୍ରଶାନ୍ତ ସେଠୀ। ନିର୍ବାଚନ ଘୋଷଣା ପୂର୍ବରୁ ସେ ବିଜେଡିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି। ଦଳୀୟ ଟିକେଟ୍‌ ହାତେଇବାକୁ ଗତ ପ୍ରାୟ ୨ ବର୍ଷଧରି ରଘୁନାଥପାଲି ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ବସ୍ତିରେ କିଛି ନା କିଛି କାର୍ଯ୍ୟକ୍ରମ କରୁଛନ୍ତି। ଆଜି ସେକ୍ଟର-୫ସ୍ଥ ଭଞ୍ଜ ଭବନ ସମ୍ମିଳନୀ କକ୍ଷରେ ଅର୍ନ୍ତଜାତୀୟ ମହିଳା ଦିବସ ପାଳନ ନାଁରେ ନିଜର ଶକ୍ତିପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ମହିଳାଭୋଟର ନିକଟତର ହେବାକୁ ରଘୁନାଥପାଲି ନିର୍ବାଚନମଣ୍ଡଳୀ ପ୍ରାୟ ୨ ହଜାରରୁ ମହିଳାଙ୍କୁ ଏକାଠି କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶର୍ମିଷ୍ଠା କବି ଶତପଥୀ ଓ ବକ୍ତାଭାବେ ମୋନାଲିସା ମିଶ୍ର, ସମ୍ମାନିତ ଅତିଥି ନିରୁପମା ସ୍ବାଇଁ ଯୋଗଦେଇଥିଲେ। ମହିଳା ସଶକ୍ତୀକରଣ ଓ ଆତ୍ମନିର୍ଭରଶୀଳ ସମ୍ପର୍କରେ ପ୍ରଶାନ୍ତ ନିଜର ବକ୍ତବ୍ୟ ରଖିଥିଲେ। କେବଳ ଏତିକି ନୁହେଁ ମହିଳାମାନଙ୍କୁ ଆଗକୁ ନେବାରେ ସରକାରଙ୍କ ଯୋଜନା ସମ୍ପର୍କରେ ମଧ୍ୟ କହିବାକୁ ପଛାଇ ନଥିଲେ। ପ୍ରଶାନ୍ତଙ୍କ ଏମିତି କିଛି ରାଜନୈତିକ ଭା‌ଷଣ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ସେପଟେ ଗତ ୨୦୧୯ ରଘୁନାଥପାଲି ନିର୍ବାଚନରେ ବିଧାୟକ ସୁବ୍ରତ ତରାଙ୍କ ବିରୋଧରେ କଂଗ୍ରେସ ଟିକଟରୁ ପ୍ରଶାନ୍ତ​ ସେଠୀ ଲଢ଼ିଥିଲେ। ପ୍ରଶାନ୍ତଙ୍କୁ ରାଉରକେଲା ବିଧାୟକ ତଥା ରାଜ୍ୟଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ଭିତିରିଆ ସମର୍ଥନ ଦେଇଥିବା ନେଇ ସେତେବେଳେ ଚର୍ଚ୍ଚା ହୋଇଥିଲା। କାରଣ କଂଗ୍ରେସ ଛାଡ଼ିବା ପୂର୍ବରୁ ପ୍ରଶାନ୍ତ ବିଜେଡ଼ିରେ ଥିଲେ। ସେ ସାରଦାଙ୍କ ପ୍ରତ୍ୟେକଟି କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ। ରଘୁନାଥପାଲିରୁ ତାଙ୍କୁ ଟିକେଟ୍‌ ନ ମିଳିବାରୁ ବିଜେଡ଼ିରୁ ଇସ୍ତଫା‌ ଦେଇ କଂଗ୍ରେସରେ ସାମିଲ ହୋଇଥିଲେ। ରଘୁନାଥପାଲି ବିଧାୟକ ସୁବ୍ରତ ତରାଙ୍କ ବିରୋଧରେ କଂଗ୍ରେସରୁ ଲଢ଼ିଥିଲେ। ହେଲେ ତାଙ୍କୁ ପରାଜୟର ମୁହଁ ଦେଖାଇବାକୁ ପଡ଼ିଥିଲା। ଯେତେବେଳେ ସୁବ୍ରତଙ୍କୁ ନିଜ ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିନଥିଲା। ସେତେବେଳେ ପ୍ରଶାନ୍ତ ନିଜର ସମର୍ଥକମାନଙ୍କୁ ନେଇ ଗୋଟିଏ ପରେ ଗୋଟିଏ ସଭା କରୁଥିଲେ। ଅବଶ୍ୟ ଗତ କିଛି ମାସ ଧରି ବିଧାୟକ ସୁବ୍ରତ ତରାଇଙ୍କୁ ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳୁଛି। ଉଭୟ ସୁବ୍ରତ ଓ ପ୍ରଶାନ୍ତ ନିଜର ସମାନ୍ତରାଳ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଦୁହିଁଙ୍କ ମଧ୍ୟରୁ ବିଜେଡ଼ି କାହାକୁ ଟିକେଟ୍‌ ଦେଉଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର