ଡକାୟତି ଯୋଜନା ପଣ୍ଡ: ଧରାପଡ଼ିଲେ ୪, ଜଣେ ଫେରାର

ଜୟପୁର: ଶନିବାର ସଂଧ୍ୟାରେ ବିଶ୍ବସ୍ତସୂତ୍ରରୁ ସୂଚନା ପାଇ ଜୟପୁର ସଦରଥାନା ପୁଲିସ ଗାଗନାପୁର ବାଲୁଙ୍କେଶ୍ବର ଶିବ ମନ୍ଦିର ପଛ ପାର୍ଶ୍ବରେ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ୪ଜଣ ଅଭିଯୁକ୍ତଙ୍କୁ ଧରିଛି। ଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା କହିଛନ୍ତି ଜୟପୁର ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି। ୪ଅଭିଯୁକ୍ତଙ୍କୁ ପଚାରାଉଚାରା ବେଳେ ଆଉ ଜଣେ ଅଭିଯୁକ୍ତଙ୍କ ସଂପର୍କରେ ବି ସୂଚନା ଦେଇଥିଲେ। ଏମାନଙ୍କ ନିକଟରୁ ଗୋଟିଏ ୟୁଏସଏରେ ତିଆରି ବନ୍ଧୁକ, ୭.୬୫ଏମଏଏମର ୨ଟି ଜୀବନ୍ତ ଗୁଳି, ଖଣ୍ଡା ଓ ଛୁରୀ ଗୋଟିଏ ଲେଖାଏଁ, ୫ଟି କଳାମାସ୍କ, ୪ଟି ସ୍କାର୍ଟ ମୋବାଇଲ ଫୋନ, ୨ଟି ବାଇକ ଓଡି -୧୦ୟୁ ୫୭୩୬ ଏବଂ ଓଡି-୧୦ଏଫ୍-୦୬୪୦  ଓ ଧଳା ରଂଗର ଟାଟା ଟିଆଗୋର କାର ନଂ ଓଡି-୧୦ଭି-୪୪୧୮କୁ ଜବତ କରାଯାଇଥିବା କହିଛନ୍ତି ସଦରଥାନା ଅଧିକାରୀ।

ସୂଚନା ଅନୁଯାୟୀ, ଗତ କାଲି ସଂଧ୍ୟାରେ ଜୟପୁର ସଦରଥାନା ଅର୍ନ୍ତଗତ ଗାଗନାପୁର ଶିବ ମନ୍ଦିର ପଛ ପାର୍ଶ୍ବରେ କାର ଓ ବାଇକ ଆଦି ରଖି କିଛି ଜଣ ଡକାୟତି କରିବା ଯୋଜନା କରୁଥିବା ସୂଚନା ପାଇଥିଲା ପୁଲିସ। ସେଠାରେ ଅଚାନକ ଚଢ଼ାଉ କରିବା ପରେ ସେଠାରୁ  ଅଭିଯୁକ୍ତ ସିଆଡିମାଳ ଗାଁର ଶିବ ମୁଦୁଲି(୨୪), ସୁନିଲ ହରିଜନ(୩୦), କୌଳାଶ ଦଣ୍ଡସେନା(୧୯), ଓ ନନ୍ଦଗୁଡାର ସନ୍ତୋଷ ବାଘ(୧୯)କୁ ଧରିଥିଲେ। ପୁଲିସ ଚଢ଼ାଉ ବେଳେ ସେଠାରୁ ଜଣେ ଖସି ପଳାଇଥିଲେ। ଖସି ପଳାଇଥିବା ବ୍ୟକ୍ତି ଜଣକ କୁନ୍ଦ୍ରା ଥାନା ଅଂଚଳର ବାବୁ ଓରଫ ବିନୋଦ ବାରିକ(୨୫)। ଅଭିଯୁକ୍ତ ଶିବ, ସୁନିଲ, କୌଳାଶଓ ସନ୍ତୋଷକୁ କୋର୍ଟକୁ ଚାଳାଣ କରାଯାଇଥିବା ବେଳେ କୋର୍ଟ ଅଭିଯୁକ୍ତ ମାନଙ୍କୁ ବିଚାର ବିଭାଗୀୟ ହାଜତ ଜୟପୁର ସ୍ବତନ୍ତ୍ର କାରାଗାରକୁ ପଠାଇଦେଇଥିବା କହିଛନ୍ତି ସଦରଥାନା ଅଧିକାରୀ। ଫେରାର ଅଭିଯୁକ୍ତ ବିନୋଦ ଗୋଟିଏ ଫେସାଦାର ଅପରାଧି ହୋଇଥିବା ବେଳେ ତା ନାଁରେ ଅନ୍ୟ କିଛି ଅପରାଧିକ ମାମଲା ରହିଥିବା  ବେଳେ ଘଟଣାର ତଦନ୍ତ ଜାରୀ ରହିଛି ବୋଲି କହିଛନ୍ତି ସଦରଥାନା ଅଧିକାରୀ।

ସମ୍ବନ୍ଧିତ ଖବର