ସ୍କୁଲ୍‌ ବାଳିକାଙ୍କ ପ୍ରତି ଅସଭ୍ୟ ଆଚରଣ କରି ପୋକ୍‌ସୋରେ ଗିରଫ ହେଲେ ପୁଲିସ ସବ୍‌-ଇନ୍‌ସ୍‌ପେକ୍ଟର୍‌

ଚେନ୍ନାଇ: ଶନିବାର ଦିନ ବିଲ୍ଲିବକ୍କମ୍‌ ଠାରେ ଜଣେ ୧୦ ବର୍ଷୀୟ ବାଳିକା ସମ୍ମୁଖରେ ଅସଭ୍ୟ ଅଙ୍ଗ ପ୍ରଦର୍ଶନ କରାଇଥିବା ଅଭିଯୋଗରେ ରବିବାର ଦିନ ଜଣେ ୫୭ ବର୍ଷିୟ ସ୍ପେସାଲ୍‌ ସବ୍‌-ଇନ୍‌ସ୍‌ପେକ୍ଟର୍‌ଙ୍କୁ ପୋକ୍‌ସୋ ଆଇନ ବଳରେ ଗିରଫ କରାଯାଇଛି।

ସମ୍ପୃକ୍ତ ଅଞ୍ଚଳରେ ଥିବା ସ୍କୁଲ୍‌ ନିକଟରେ ଡିୟୁଟି କରିବା ବେଳେ ବାଳିକାମାନଙ୍କ ପ୍ରତି ଅଭଦ୍ର ଇଙ୍ଗିତ ଦେଉଥିବା ସେ ଅଭିଯୁକ୍ତ ପୁଲିସ ସ୍ଥାନୀୟ ଯୁବକମାନେ ଧରିଥିଲେ।

ମାଧବରମଣ ମିଲ୍‌କ୍‌ କଲୋନି ଥାନାରେ ନିଯୁକ୍ତ ୫୭ ବର୍ଷିୟ କେ ବାସୁ ନାମକ ସେ ପୁଲିସ ସନ୍ଧ୍ୟାବେଳେ ବିଲ୍ଲିବକ୍କମ ଠାରେ ଥିବା ସରକାରୀ ସ୍କୁଲ୍‌ ନିକଟରେ ଅଟକି ଛାତ୍ରଛାତ୍ରୀଙ୍କ ପ୍ରତି ଅଶୋଭନୀୟ ଅଙ୍ଗଠାଣି କରନ୍ତି। ଛାନିଆରେ ପ୍ରାୟ ସବୁ ପିଲା ସେ ସ୍ଥାନ ଛାଡ଼ି ଚାଲି ଯାଆନ୍ତି। ଜଣେ ୧୦ ବର୍ଷୀୟ ବାଳିକା ଏ କଥା ନିଜର ବାପାମାଆଙ୍କୁ ଦୁଇ ଥର କହିଥିଲେ ସୁଦ୍ଧା ସେମାନେ ଏଥିପ୍ରତି ଧ୍ୟାନ ଦେଇ ନ ଥିଲେ।

ଶନିବାର ଦିନ ସ୍କୁଲ୍‌ ପାଖରେ ରହୁଥିବା ଅନ୍ୟ ଜଣେ ୧୦ ବର୍ଷୀୟ ଝିଅ ସମ୍ମୁଖରେ ସେ ଅସଭ୍ୟ ଅଙ୍ଗ ପ୍ରଦର୍ଶନ କରୁଥିବା ବେଳେ ଦଳେ ସ୍ଥାନୀୟ ଯୁବକ ଦେଖି ପକାଇଥିଲେ।

ଯୁବକମାନେ ଏ କଥା ତାଙ୍କୁ ପଚାରିବାରୁ ସେ କିଛି ନ ଜାଣିବା ପରି ନିଜ ଗାଡ଼ି ନେଇ ସିଡ୍‌କୋ ନଗରକୁ ଚାଲିଯାଇଥିଲେ। କିନ୍ତୁ ୬ ଜଣ ଯୁବକ ବାଇକ୍‌ରେ ତାଙ୍କୁ ଅନୁସରଣ କରି ମାରଧର କରିଥିଲେ। ପୁଲିସ ମାଡ଼ ଖାଉଥିବା ଦେଖି ସ୍ଥାନୀୟ ବାସିନ୍ଦା କଣ୍ଟ୍ରୋଲ୍‌ ରୁମ୍‌କୁ ସୂଚନା ଦେଇଥିଲେ। ତୁରନ୍ତ ଘଟନାସ୍ଥଳରେ ପୁଲିସ ଟିମ୍‌ ପହଞ୍ଚି ଉତ୍‌କ୍ଷିପ୍ତ ଯୁବକମାନଙ୍କୁ ବୁଝାଶୁଝା କରିବା ସହ ବାସୁଙ୍କୁ ଥାନାକୁ ନେଇଥିଲେ।

ଝିଅର ବାପା ଥାନାରେ ଅଭିଯୋଗ କରିବା ପରେ ବାସୁଙ୍କୁ ଚେତାବନୀ ଦିଆଯାଇ ଛଡ଼ା ଯାଇଥିଲା। କିନ୍ତୁ, ଝିଅର ଅଭିଭାବକ କଠୋର ପଦକ୍ଷେପ ଦାବି କରି ବରିଷ୍ଠ ପୁଲିସ ଅଧିକାରୀଙ୍କ ଠାରେ ଫେରାଦ ହୋଇଥିଲେ।

ଆଉ ଚାରିମାସ ଚାକିରି ଥିବା ଅଭିଯୁକ୍ତ ପୁଲିସଙ୍କୁ ଶେଷରେ ପୋକ୍‌ସୋ ଆଇନ୍‌ରେ ଗିରଫ କରାଯାଇ ନିଲମ୍ବିତ କରାଯାଇଛି।

ସମ୍ବନ୍ଧିତ ଖବର