ଲୁଫ୍ଟାଞ୍ଜା ପାଇଲଟ୍‌ ବୋଲି ପରିଚୟ ଦେଇ ୧୫ରୁ ଊର୍ଦ୍ଧ୍ୱ ବିମାନରେ ଯାତ୍ରା କରିଥିବା ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ: ଲମ୍ବାଧାଡ଼ି ଏବଂ ସିକ୍ୟୁରିଟି ଚେକିଙ୍ଗ୍‌ ଏଡ଼ାଇବା ନିମନ୍ତେ ଲୁଫ୍ଟାଞ୍ଜା ଏୟାର୍‌ଲାଇନ୍‌ସ୍‌ର ଜଣେ ପାଇଲଟ୍‌ ବୋଲି ପରିଚୟ ଦେଉଥିବା ଦିଲ୍ଲୀର ଜଣେ ବ୍ୟକ୍ତିଙ୍କୁ ଇନ୍ଦିରା ଗାନ୍ଧୀ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଏୟାର୍‌ପୋର୍ଟରୁ ସିଆଇଏସ୍‌ଏଫ୍‌ କର୍ମଚାରୀମାନେ ଗିରଫ କରିଥିବା କଥା ମଙ୍ଗଳବାର ଦିନ କହିଛନ୍ତି।

ସୋମବାର ଦିନ ବିମାନ ବନ୍ଦରର ଡିପାର୍‌ଚର୍‌ ଗେଟ୍‌ରୁ ଏୟାର୍‌ଲାଇନ୍‌ ପାଇଲଟ୍‌ ୟୁନିଫର୍ମ ପରିହିତ ୪୮ ବର୍ଷିୟ ରାଜନ ମହବୁବାନି ନାମକ ସେ ବ୍ୟକ୍ତିଙ୍କୁ ଗରିଫ କରାଯାଇଥିଲା। କୋଲ୍‌କାତା ଅଭିମୁଖେ ଯିବାକୁ ଥିବା ଏୟାର୍‌ ଏସିଆର ବିମାନରେ ଚଢ଼ିବାକୁ ସେ ଉଦ୍ୟତ ହେଉଥିଲେ।

ଅଧିକ ତଦନ୍ତ ଲାଗି ତାଙ୍କୁ ଦିଲ୍ଲୀ ପୁଲିସକୁ ହସ୍ତାନ୍ତର କରାଯାଇଛି।

Image Source: India Today

ଲୁଫ୍ଟାଞ୍ଜା ଏୟାର୍‌ଲାଇନ୍‌ସ୍‌ର କ୍ୟାପ୍‌ଟେନ୍‌ ବେଶରେ ଜଣେ ସନ୍ଦିଗ୍ଧ ଯାତ୍ରୀ ଅଛନ୍ତି ବୋଲି ଜର୍ମାନ୍‌ ଏୟାର୍‌ଲାଇନ୍‌ସ୍‌ର ମୁଖ୍ୟ ନିରାପତ୍ତା ଅଧିକାରୀଙ୍କ ପ୍ରଦତ୍ତ ସୂଚନା ଆଧାରରେ ସିଆଇଏସ୍‌ଏଫ୍‌ ଏ ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ସେଣ୍ଟ୍ରାଲ୍‌ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି: ଜାତୀୟ ରାଜଧାନୀର ବସନ୍ତକୁଞ୍ଜ ଅଞ୍ଚଳରେ ବାସ କରୁଥିବା ସେ ବ୍ୟକ୍ତିଜଣକଙ୍କ ନିକଟରେ ଲୁଫ୍ଟାଞ୍ଜା ଏୟାର୍‌ଲାଇନ୍‌ସ୍‌ କ୍ୟାପ୍‌ଟେନ୍‌ଙ୍କର ଗୋଟାଏ ଜାଲ୍‌ ପରିଚୟ ପତ୍ର ଅଛି। ବିମାନ ବନ୍ଦରଗୁଡ଼ିକରେ ସୁବିଧା ପାଇବାକୁ ସେ ଏହାକୁ ବ୍ୟବହାର କରନ୍ତି। ପାଇଲଟ୍‌ ବେଶରେ ସେ ୧୫ରୁ ଊର୍ଦ୍ଧ୍ୱ ବିମାନରେ ଯାତ୍ରା କରିଥିବା କଥା ସ୍ୱୀକାର କରିଛନ୍ତି।

ସେ କହିଛନ୍ତି ଯେ ବିମାନ ବିଷୟରେ ୟୁଟ୍ୟୁବ୍‌ ଭିଡିଓ ଉତ୍ତୋଳନ କରନ୍ତି। ବ୍ୟାଙ୍ଗ୍‌କକ୍‌ରେ ସେ ଲୁଫ୍ଟାଞ୍ଜାର ଜାଲ୍‌ ପରିଚୟ ପତ୍ର ପାଇଥିଲେ।
ପୁଲିସ ପଚରାଉଚୁରାରୁ ଜଣାପଡ଼ିଛି ଯେ ମହବୁବାନି ବିଭିନ୍ନ ବୃତ୍ତିର ୟୁନିଫର୍ମ ପିନ୍ଧି ବିଭିନ୍ନ ପୋଜ୍‌ରେ ଫଟୋ ଉଠାଇବାକୁ ସୁଖ ପାଆନ୍ତି।

ସମ୍ବନ୍ଧିତ ଖବର