ଗର୍ଭପାତ କରାଇ ପ୍ରେମିକ ଫେରାର୍‌, ଯୁବତୀ ଏସ୍‌ପିଙ୍କ ଦ୍ୱାରସ୍ଥ

ଅତାବିର/ଗୋଡ଼ଭଗା: ଗୋଡ଼ଭଗା ଫାଣ୍ଡି ଅଂଚଳର ଜଣେ ୨୨ ବର୍ଷୀୟ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଇ ଦୈହିକ ସଂପର୍କ ରଖିବା ସହ ସେ ଗର୍ଭବତୀ ହେବା ପରେ ପ୍ରେମିକ ଉକ୍ତ ଫାଣ୍ଡି ଦୁଲମପୁର ଝାଙ୍କରପାଲି ଗାଁର ସୁଧୀର ଭୁଏ ତାଙ୍କ ଗର୍ଭପାତ କରାଇ ଫେରାର୍‌ ହୋଇଯାଇଛି। ଏ ନେଇ ଯୁବତୀ ଜଣକ ଅତାବିରା ଥାନା ଓ ପରେ ଗୋଡ଼ଭଗା ଫାଣ୍ଡିକୁ ଅଭିଯୋଗ କରିବାକୁ ଯାଇଥିଲେ ହେଁ ସେଠାରେ ପୁଲିସ୍‌ ମାମଲା ରୁଜୁ ନ କରିବାରୁ ଶନିବାର ବରଗଡ଼ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶ ପରେ ଅତାବିରା ଥାନା ପୁଲିସ୍‌ ମାମଲା ରୁଜୁ କରି ସଂପୃକ୍ତା ଯୁବତୀଙ୍କ ବୟାନ ରେକର୍ଡ କରିଥିବା ଜଣାପଡ଼ିଛି। ଲଡୁଖାଇର ଜଣେ କ୍ୱାକ୍‌ଙ୍କ ଦ୍ୱାରା ଅଭିଯୁକ୍ତ ପ୍ରେମିକ ତାଙ୍କ ଗର୍ଭପାତ କରାଇଥିବା ଯୁବତୀ ଜଣକ କହିଛନ୍ତି। ରବିବାର ଯୁବତୀଙ୍କ ଡାକ୍ତରୀ ମାଇନା ପାଇଁ ଅତାବିରା ଡାକ୍ତରଖାନାକୁ ପଠାଯାଇଥିବା ବେଳେ ମହିଳା ଡାକ୍ତର ଅନୁପସ୍ଥିତ ଥିବାରୁ ସୋମବାର କରାଯିବ ବୋଲି ସୂଚନା ମିଳିଛି।

ଯୁବତୀଙ୍କ ଅଭିଯୋଗ ଅନୁସାରେ ସୁଧୀର ତାଙ୍କ ସହ ପ୍ରେମ ସଂପର୍କ ରଖିବା ସହ ବିବାହ ପ୍ରଲୋଭନ ଦେଇ ଦୈହିକ ସଂପର୍କ ସ୍ଥାପନ କରି ଆସୁଥିଲା। ତେବେ ସେ ଗର୍ଭବତୀ ହେବା ଜଣାପଡ଼ିବା ପରେ ସୁଧୀର ତାଙ୍କୁ ନେଇ ଗତ ମାସ ସମ୍ବଲପୁର ଫାଟକ ସ୍ଥିତ ଏକ ପଡ଼ାରେ ଘର ଭଡ଼ା ନେଇ ରଖିଥିଲା। ଗତ ୩୧ ତାରିଖ ଦିନ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ସୁଧୀର କହି ଗୋଶାଳା ଫାଣ୍ଡି ଅନ୍ତର୍ଗତ ଲଡୁଖାଇ ସ୍ଥିତ ଜଣେ କ୍ୱାକ୍‌ଙ୍କ କ୍ଲିନିକ୍‌ୁ ନେଇ ତାଙ୍କ ଗର୍ଭପାତ କରାଇବା ପରେ ପୁଣି ଉକ୍ତ ଭଡ଼ା ଘରକୁ ନେଇ ଯାଇଥିଲା। ମାତ୍ର ସେଠାରେ ଯୁବତୀଙ୍କ ଅବସ୍ଥା ଗୁରୁତର ହେବାରୁ ସୁଧୀର ତାଙ୍କୁ ଛାଡ଼ି ଫେରାର୍‌ ହୋଇଯାଇଥିଲା। ଘଟଣା ପ୍ରଘଟ ହେବା ପରେ ପରିବାର ଲୋକେ ସାହି ପଡ଼ିଶାଙ୍କ ପରାମର୍ଶକ୍ରମେ ସମ୍ବଲପୁର ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ। ଫଳରେ ସେଠାରେ ଅତାବିରା ଥାନାରେ ମାମଲା ଦେବାକୁ କୁହାଯାଇଥିଲା।

ଯଦ୍ୱାର ଯୁବତୀ ଜଣକ ପରିବାର ଲୋକଙ୍କ ସହ ଗତ ୫ ତାରିଖ ଅତାବିରା ଥାନାରେ ପହଞ୍ଚିଥିଲେ। ମାତ୍ର ସେଠାରେ ବି ତାଙ୍କୁ ଗୋଡ଼ଭଗା ଫାଣ୍ଡିରେ ଯାଇ ଏତଲା ଦେବାକୁ କୁହାଯାଇଥିଲା। ଫାଣ୍ଡିରେ ପହଞ୍ଚି ଅଭିଯୋଗ କରିଥିଲେ ହେଁ ଗୁରୁତ୍ୱ ଦିଆ ନଯିବା ଓ ମାମଲା ରୁଜୁ କରା ନଯିବାରୁ ସେ ନିଜ ଗାଁକୁ ଫେରି ଯାଇଥିଲେ। ଗାଁରେ ଅଭିଯୁକ୍ତ ପକ୍ଷର ଲୋକେ ତାଙ୍କୁ ନାନା ପ୍ରକାରେ ନିର୍ଯାତନା ଦେବାରେ ୬ ତାରିଖ ଆପୋଷ ସମାଧାନ ପାଇଁ ଗାଁରେ ଆଲୋଚନା ହୋଇଥିଲା। ମାତ୍ର କୌଣସି ସମାଧାନ ନ ହେବାରୁ ଶନିବାର ଯୁବତୀ ଜଣକ ବରଗଡ଼ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଏସ୍‌ପିଙ୍କ ସହ ସାକ୍ଷାତ ହୋଇ ନଥିଲେ ହେଁ ତାଙ୍କ ନିର୍ଦ୍ଦେଶକ୍ରମେ ଅତାବିରା ଥାନାରେ ମାମଲା ରୁଜୁ ହୋଇଛି।  ମାମଲାର ତଦନ୍ତ ଚାଲିଥିବା ବେଳେ ଅଭିଯୁକ୍ତ ସୁଧୀର ଫେରାର୍‌ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର