ଅନ୍ତଃରାଜ୍ୟ ରାଜପଥ ପାଲଟିଛି ମରଣଯନ୍ତା:ଟ୍ରକ୍‌-ପିକ୍‌ଅପ୍‌ ଧକ୍କା, ଜଣେ ଗୁରୁତର

ଅମ୍ବାଭୋନା: ଛତିଶଗଡ଼ରୁ ବରଗଡ଼କୁ ସଂଯୋଗ କରୁଥିବା ଅନ୍ତଃରାଜ୍ୟ ରାଜପଥ ମରଣଯନ୍ତା ପାଲଟିଛି। ବିଶେଷ କରି ଅମ୍ବାଭୋନାରୁ ରୁଚିଦା ମଧ୍ୟରେ ସଡ଼କ ଦୁର୍ଘଟଣା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଶୁକ୍ରବାର ଭୋର୍‌ରୁ ଏକ ପିକ୍‌ଅପ୍‌ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନାନୁସାରେ ଭୁକ୍ତା ପଟୁ,କ ପିକ୍ଅପ୍‌ (ସିଜି ୧୩ଏଲ୍‌-୮୮୬୦) ଛତିଶଗଡ଼ ଆଡ଼କୁ ଯିବ ବେଳେ ରୁଚିଦା ସ୍ଥିତ ଶ୍ରୀଅରବିନ୍ଦ ଶିକ୍ଷାକେନ୍ଦ୍ର ବୁଲାଣିରେ ସମ୍ମୁଖପଟୁ ଆସୁଥିବା ଏକ ଟ୍ରକ୍‌ (ଓଡି ୧୫ଏମ୍‌-୬୧୮୮) ସହ ଧକ୍କା ହୋଇଥିଲା। ଫଳରେ ପିକ୍‌ଅପ୍‌ ଚାଳକ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କ ଘର ଛତିଶଗଡ଼ ସରିଆ ଥାନା ପିକ୍ରିମାଳ ଗ୍ରାମରେ ବୋଲି ଜଣାପଡ଼ିଛି। ରୁଚିଦା ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ସରିଆ ଡାକ୍ତରଖାନାକୁ ପଠାଇଥିବା ବେଳେ ପରେ ତାଙ୍କୁ ରାୟଗଡ଼ ସ୍ଥାନାନ୍ତର କରାଯାଇଛି। ଗ୍ରାମବାସୀ ଗାଡ଼ି ଦୁଇଟିକୁ ରାସ୍ତା ଉପରୁ ହଟାଇବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା।
ସୂଚନାଯୋଗ୍ୟ ଏହି ରାସ୍ତାରେ ଗତ ୨୦୧୧ରୁ ୨୦୧୮ ମଧ୍ୟରେ ଦୁର୍ଘଟଣା ଘଟି ୧୫ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ୨୦୦୯ରେ ନାରଙ୍ଗପୁର ଓ ବଡ଼ଦର୍ଲିପାଲି ବୁଲାଣିରେ ଟ୍ରାକ୍ଟର-ପିକ୍‌ଅପ୍‌ ଧକ୍କାରେ ୨ ଜଣଙ୍କ, ୨୦୧୨ରେ ବାଇକ୍ ପୋଲରୁ ଖସି ୨ ଜଣଙ୍କ, ୨୦୧୫ ଜୁନ୍‌ ୧୦ରେ ଙ୍କେକ୍ରାଡ଼ି ନାଳା ପୋଲରେ ବାଇକ୍‌-ପିକ୍‌ଅପ୍‌ ଧକ୍କାରେ ଜଣେ, ଉକ୍ତ ବର୍ଷ ଅକ୍ଟୋବର ୨୯ରେ ବଡଦର୍ଲିପାଲି ବୁଲାଣିରେ ଗଛରେ ପିଟି ହୋଇ ଜଣେ ବାଇକ୍‌ ଚାଳକ, ଗଙ୍ଗେଇ ରାସ୍ତାରେ କାର୍‌ ଧକ୍କାରେ ଜଣେ ବାଇକ୍‌ ଚାଳକ, ୨୦୧୬ରେ ପୁଣି ବଡ଼ଦର୍ଲିପାଲି ବୁଲାଣି ସ୍ଥିତ ଗଛରେ ପିଟି ହୋଇ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୧୫ରୁ ୨୦୧୬ ମଧ୍ୟରେ କେବଳ ରୁଚିଦା ଅରବିନ୍ଦ ସ୍କୁଲ୍‌ ବୁଲାଣରେ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇସାରିଛି। ସେହିପରି ଗତ ୨୦୧୮ ଏପ୍ରିଲ୍‌ ୯ରେ ନାରଙ୍ଗପୁର ରାସ୍ତାରେ ଗଛରେ ପିଟି ହୋଇ ଟ୍ରକ୍ ଚାଳକଙ୍କ ମୃତ୍ୟୁ ହୋଇଥିଲା। ଚଳିତ ବର୍ଷ ଗତ ଏପ୍ରିଲ୍‌ ମାସରେ ଅମ୍ବାଭୋନା ଦମକଳ ଅଫିସ୍ ନିକଟ ବୁଲାଣିରେ ଏକ ବସ୍‌ ଓ ବାଇକ୍‌ ମଧ୍ୟରେ ଧକ୍କା ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଅନ୍ତଃରାଜ୍ୟ ରାଜପଥ ଏକ ବ୍ୟସ୍ତ ବହୁଳ ରାସ୍ତା ହୋଇଥିଲେ ହେଁ ବିଭିନ୍ନ କାରଣରୁ ଦୁର୍ଘଟଣାମାନ ଘଟି ଏକ ପ୍ରକାର ମରଣଯନ୍ତା ପାଲଟିଛି। ପୁଲିସ୍‌ ଓ ପ୍ରଶାସନ ପକ୍ଷରୁ ଏ ଦିଗରେ ବିହିତ ପଦକ୍ଷେପ ନିଆଯିବା ସହ ଗାଡ଼ିଚାଳକଙ୍କୁ ସଚେତନ କରାଯିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର