ଯାଜପୁର: ସରସ୍ୱତୀ ପୂଜାକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି

ଯାଜପୁର: ସରସ୍ୱତୀ ପୂଜାକୁ ନେଇ ପ୍ରଥମେ ବାକ୍‌ ଯୁଦ୍ଧ ଏବଂ ପରେ ଏହି ଘଟଣା ଉଗ୍ର ହୋଇ ରବିବାର ଗୋଷ୍ଠୀ ସଂଘର୍ଷରେ ପରିଣତ ହୋଇଛି। ରିପୋର୍ଟ ଅନୁସାରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଗୁରୁତର ଆହତ ହୋଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେବା ପାଇଁ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣକ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ସୂଚନା ଅନୁସାରେ ବିଂଝାରପୁର ଭଅଁରା ପଞ୍ଚାୟତ ଭୁରୁଙ୍ଗା ଗ୍ରାମରେ ଆଜି ସରସ୍ୱତୀ ପୂଜା ସ୍ଥାନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ଉଗ୍ର ହେବାରୁ ଗୋଟିଏ ଗୋଷ୍ଠୀର ୫/୬ ଲୋକ ଠେଙ୍ଗା ଓ ଶାବଳରେ ସେହି ଗ୍ରାମର ଗୋବିନ୍ଦ ଚନ୍ଦ୍ର ମଲିକ, ଗୌରାଙ୍ଗ ମଲିକ, ଗିରିଧାରୀ ମଲିକ, ପୁନେଇ ମଲିକ ଓ ଗୀତା ମଲିକଙ୍କୁ ମରଣାନ୍ତ୍ରକ ଆକ୍ରମଣ କରିଥିଲେ। ସେମାନଙ୍କର ମୁଣ୍ଡ, ହାତ, ଗୋଡ ଓ ଛାତିରେ ଗଭୀର ଆଘାତ ହୋଇଛି।

ଆଜି ଦିନ ୧୧ଟା ସମୟରେ ଏପରି ଘଟଣା ଘଟିଥିବା ବେଳେ ଆକ୍ରମଣକାରୀ ମାଡ ମାରି ଫେରାର ହୋଇଯାଇଥିଲେ। ଏହି ଘଟଣାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି। ଘଟଣାକୁ କେତେକ ରାଜନୈତିକ ମୋଡ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଏନେଇ ବିଂଝାରପୁର ଥାନାରେ କେଣସି ଅଭିଯୋଗ ହୋଇନାହିଁ।

ସମ୍ବନ୍ଧିତ ଖବର