ଅସଦାଚରଣ ଅଭିଯୋଗ କରିବାରୁ ଚାକିରିରୁ ତଡ଼ା ଖାଇଲେ ମହିଳା ଶ୍ରମିକ:କୋଇଲା ଖଣି ଭବିଷ୍ୟନିଧି କାର୍ଯ୍ୟାଳୟ ଅଧିକାରୀଙ୍କ ବିରୋଧରେ ସଂଗିନ ଅଭିଯୋଗ

ସମ୍ବଲପୁର: ସ୍ଥାନୀୟ କୋଇଲା ଖଣି ଭବିଷ୍ୟନିଧି ଆଞ୍ଚଳିକ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ଜଣେ ମହିଳା ଠିକା ଶ୍ରମିକଙ୍କୁ ଅସଦାଚରଣ କରିବା ସହ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ମହିଳାଜଣଙ୍କ ଏ ନେଇ ଅଭିଯୋଗ କରିବା ପରେ କାର୍ଯ୍ୟକ୍ଷେତ୍ରରେ ଯୌନ ନିର୍ଯାତନା ଆଇନ୍‌ ୨୦୧୩ ଅନୁସାରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ତଦନ୍ତ ହୋଇଛି। ମାତ୍ର ତଦନ୍ତ ରିପୋର୍ଟ ଆସିବା ପୂର୍ବରୁ ସଂପୃକ୍ତ ଅଧିକାରୀ ଏହି ବିଧବା ମହିଳାଙ୍କୁ କାର୍ଯ୍ୟରୁ ବାହାର କରି ଦେଇଥିବା ଓ ତାଙ୍କୁ କ୍ୱାର୍ଟର୍ସ ଛାଡ଼ିବା ପାଇଁ ନିର୍ଦେଶ ଦେଇଥିବା ଭଳି ସଂଗିନ ଅଭିଯୋଗ ହୋଇଛି। ଏ ନେଇ ମହିଳାଜଣଙ୍କ ବିଭାଗୀୟ ମୁଖ୍ୟ ଦପ୍ତରଠାରୁ ଆରମ୍ଭ କରି ମହିଳା କମିସନ୍‌, ଉଚ୍ଚ ନ୍ୟାୟାଳୟ, କେନ୍ଦ୍ର କୋଇଲା ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଜଣାଇଛନ୍ତି। ଦୋଷୀଙ୍କୁ ଦଣ୍ଡିତ କରିବା ସହ ତାଙ୍କୁ ଥଇଥାନ ଓ ପୁନଃନିଯୁକ୍ତି ଦେବାକୁ ନିବେଦନ କରିଛନ୍ତି।
ଏହି ଠିକା ମହିଳା ଶ୍ରମିକଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ୱାମୀ କୋଇଲା ଭବିଷ୍ୟନିଧି ପାଣ୍ଠି ସମ୍ବଲପୁର କାର୍ଯ୍ୟାଳୟରେ ଅସ୍ଥାୟୀ ଡ୍ରାଇଭର ଭାବରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିଲେ। ୨୦୦୭ ମସିହାରେ ସଡ଼କ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ତତକାଳୀନ କୋଇଲା ଖଣି ଭବିଷ୍ୟ ନିଧି କମିସନର ଏ.ଏନ ଭଟାଚାର୍ଯ୍ୟ ତାଙ୍କୁ ସମ୍ବଲପୁର କାର୍ଯ୍ୟାଳୟରେ ଠିକା ଶ୍ରମିକ ଭାବରେ ନିଯୁକ୍ତି ଦେଇଥିଲେ। ଇତିମଧ୍ୟରେ ସେ ଏଠାରେ ପ୍ରାୟ ୧୦ ବର୍ଷ କାର୍ଯ୍ୟ କରି ସାରିଛନ୍ତି। ତେବେ ବର୍ତ୍ତମାନ ଏଠାରେ କାର୍ଯ୍ୟରତ ଜଣେ ବରିଷ୍ଠ ଅଧିକାରୀ ବିଭିନ୍ନ ସମୟରେ ତାଙ୍କୁ ଚାକିରିରୁ ବାହାର କରିଦେବା ଏବଂ କ୍ୱାର୍ଟର୍ସରୁ ବାହାର କରିବା ପାଇଁ ଧମକ ଦେଇ ଆସୁଥିଲେ।

୨୦୧୭ ମସିହା ଡିସେମ୍ବର ୨୮ ତାରିଖ ସେ ଏକ ଫାଇଲ ନେଇ ଅଧିକାରୀଙ୍କୁ ପାଖକୁ ଯାଇଥିବାବେଳେ ତାଙ୍କ ପିଠିରେ ବଥା ହେଉଛି କହି ମାଲିସ କରିବା ପାଇଁ ବାଧ୍ୟ କରିଥିଲେ। ଜବରଦସ୍ତି ତାଙ୍କ ହାତ ଆଣି ପିଠିରେ ରଖି ମାଲିସ କରିବା ପାଇଁ କହିଥିଲେ। ଏହାପରେ ଅନ୍ୟ ଜଣେ କର୍ମଚାରୀ ପଶି ଆସିବାରୁ ସଂପୃକ୍ତ ମହିଳାଙ୍କ ହାତ ବହୁତ ନରମ ବୋଲି କହି ଛାଡ଼ି ଦେଇଥିଲେ। ଏଥିରେ ଅପମାନିତ ମହିଳାଜଣକ ନ୍ୟାୟ ପାଇବା ପାଇଁ ୨୦୧୮ ମସିହା ଜାନୁଆରି କୋଇଲା ଭବିଷ୍ୟ ନିଧି ମୁଖ୍ୟାଳୟକୁ ଲିଖିତ ଭାବରେ ଜଣାଇ ଥିଲେ। ମାତ୍ର ଏହାପରେ ମହିଳାଙ୍କୁ ନିଜ ଚାମ୍ବରକୁ ଡକାଇ ଅଭିଯୋଗ ପ୍ରତ୍ୟାହାର କରିନେବାକୁ ଅଧିକାରୀଜଣକ ଚାପ ପକାଇଥିଲେ।
ତେବେ ମହିଳାଜଣକ ଅଭିଯୋଗ ପ୍ରତ୍ୟାହାର ନ କରିବାରୁ ତାଙ୍କୁ ତାଙ୍କ କାର୍ଯ୍ୟରୁ ବାହାର କରି ଦିଆଯାଇଛି। ଏମିତିକି ମାର୍ଚ ୧୨ ତାରିଖରେ ସେ ରହୁଥିବା କ୍ୱାର୍ଟର୍ସ ଖାଲି କରିବାକୁ ଅଧିକାରୀଜଣକ ନିର୍ଦେଶ ଦେଇଛନ୍ତି। ଇତିମଧ୍ୟରେ ଏପ୍ରିଲ ୧୬ ତାରିଖରେ କୋଇଲା ଖଣି ଭବିଷ୍ୟନିଧି ପାଣ୍ଠିର ଅନ୍ତରୀଣ କମିଟି ଏହି ଅସଦାଚରଣ ମାମଲାର ଯାଞ୍ଚ କରିଛି। ଏହାର ରିପୋର୍ଟ ଆଜି ପର୍ଯ୍ୟନ୍ତ ଦାଖଲ କରାଯାଇ ନାହିଁ। ମାତ୍ର ଏଥିପୂର୍ବରୁ ତାଙ୍କୁ ଚାକିରିରୁ ବାହାର କରାଯାଇ ଥିବା ମହିଳାଜଣକ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ଏହି ଘଟଣା ନେଇ ସଂପୃକ୍ତ ଅଧିକାରୀଙ୍କୁ ଯୋଗାଯୋଗ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ତାଙ୍କର ମତାମତ ମିଳିପାରିନାହିଁ।

ସମ୍ବନ୍ଧିତ ଖବର