ଜଗନମୋହନଙ୍କ ଫର୍ମୁଲା

0

ଦେଶର ଚଉଦଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବର୍ତ୍ତମାନ ଶାସନରେ ଥିବା ସରକାର ଗୁଡ଼ିକରେ ମୁଖ୍ୟମନ୍ତ୍ରୀଙ୍କ ସହ ଏକ କିମ୍ବା ଏକାଧିକ ଉପ-ମୁଖ୍ୟମନ୍ତ୍ରୀ ଅଛନ୍ତି। କେନ୍ଦ୍ରଶାସିତ ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀ ଓ ଏଗାରଟି ରାଜ୍ୟରେ ଜଣେ ଲେଖାଏଁ ଉପ-ମୁଖ୍ୟମନ୍ତ୍ରୀ ଥିବା ବେଳେ ଗୋଆ ଓ ୟୁପିରେ ଦୁଇଜଣ ଲେଖାଏଁ ଉପ-ମୁଖ୍ୟମନ୍ତ୍ରୀ ପଦରେ ଅଛନ୍ତି। ଏହି କ୍ରମରେ ଆନ୍ଧ୍ର ପ୍ରଦେଶର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ତଥା ଵାଇଏସ୍‌ଆର‌୍‌ କ˚ଗ୍ରେସର ସୁପ୍ରିମୋ ଜଗନମୋହନ ରେଡ୍ଡୀ ପାଦେ ଆଗକୁ ଯାଇ ଉପ-ମୁଖ୍ୟମନ୍ତ୍ରୀ ନିଯୁକ୍ତିରେ ଏକ ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଜୁନ୍‌ ଆଠ ତାରିଖ ଶନିବାର ଶପଥ ନେଇଥିବା ୨୫ ଜଣିଆ ଵାଇଏସ୍‌ଆର‌୍‌ କ˚ଗ୍ରେସ ମନ୍ତ୍ରିମଣ୍ତଳରେ ପାଞ୍ଚ ଜଣଙ୍କୁ ‘ଉପ-ମୁଖ୍ୟମନ୍ତ୍ରୀ’ ପଦରେ ଅବସ୍ଥାପିତ କରାଯାଇଛି।

ଦେଶର କୌଣସି ରାଜ୍ୟରେ ପାଞ୍ଚଜଣ ଉପ-ମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ ହେବା ଏହା ପ୍ରଥମ। ବିଭିନ୍ନ ମହଲରେ ଏ ନେଇ ବେଶ୍‌ ଆଲୋଡ଼ନ ସୃଷ୍ଟି ହୋଇଛି। ତେବେ ସ˚ଖ୍ୟା ଦୃଷ୍ଟିରୁ ଗୋଟିଏ ସରକାରରେ ପାଞ୍ଚଜଣ ଉପ-ମୁଖ୍ୟମନ୍ତ୍ରୀ ନିଯୁକ୍ତି ପାଇବା ଏହା ପ୍ରଥମ ଓ ନୂଆ ହୋଇପାରେ। କିନ୍ତୁ କ୍ଷମତା ରାଜନୀତିରେ ଭାରସାମ୍ୟ ରକ୍ଷା ଲାଗି ଭାରତୀୟ ଗଣତନ୍ତ୍ରରେ ଉପ-ମୁଖ୍ୟମନ୍ତ୍ରୀ ପଦରେ ନିଯୁକ୍ତି ଏକ ପୁରୁଣା ସୂତ୍ର। ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଶାସନ ସହ ଉପ-ମୁଖ୍ୟମନ୍ତ୍ରୀ କିମ୍ବା ଉପ-ପ୍ରଧାନମନ୍ତ୍ରୀ ପଦର କୌଣସି ସମ୍ପର୍କ ନାହିଁ। ଭାରତୀୟ ସମ୍ବିଧାନରେ କେନ୍ଦ୍ରରେ ‘ଉପ-ପ୍ରଧାନମନ୍ତ୍ରୀ’ କିମ୍ବା ରାଜ୍ୟରେ ‘ଉପ-ମୁଖ୍ୟମନ୍ତ୍ରୀ’ ନାମରେ କୌଣସି ପଦ ନାହିଁ। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଏବ˚ ରାଜ୍ୟରେ ମୁଖ୍ୟମନ୍ତ୍ରୀମାନେ ‘ଫାଷ୍ଟ ଆମଙ୍ଗ ଦି ଇକ୍ୟୁଆଲ୍ସ’ ଭାବେ କେତେକ ସ୍ବତନ୍ତ୍ର କ୍ଷମତାର ଅଧିକାରୀ। କେନ୍ଦ୍ର ହେଉ କି ରାଜ୍ୟରେ କ୍ଷମତା ଦୃଷ୍ଟିରୁ ମନ୍ତ୍ରିମଣ୍ତଳର ଅନ୍ୟ ସବୁ ସଦସ୍ୟମାନେ ସମାନ। ଉପ-ପ୍ରଧାନମନ୍ତ୍ରୀ କିମ୍ବା ଉପ-ମୁଖ୍ୟମନ୍ତ୍ରୀ ପଦ ସହ କୌଣସି ସ୍ବତନ୍ତ୍ର କ୍ଷମତା କିମ୍ବା ସୁବିଧା-ସୁଯୋଗ ଯୋଡ଼ି ହୋଇ ନାହିଁ। ଏହାର ଅର୍ଥ ସମ୍ବିଧାନ ଦୃଷ୍ଟି କୋଣରୁ ଉପ-ମୁଖ୍ୟମନ୍ତ୍ରୀ ସରକାରରେ ଅନ୍ୟ ଜଣେ ମନ୍ତ୍ରୀଙ୍କ ଭଳି ଆଉ ଜଣେ ମନ୍ତ୍ରୀ ମାତ୍ର। କେନ୍ଦ୍ରରେ ଭିପି ସି˚ହ ମନ୍ତ୍ରିମଣ୍ତଳରେ ୧୯୮୯ରେ ପ୍ରଥମ ଥର ପାଇଁ ଦେବୀ ଲାଲ ‘ଉପ-ପ୍ରଧାନମନ୍ତ୍ରୀ’ ପଦରେ ଶପଥ ଗ୍ରହଣ କରିଥିଲେ। କିନ୍ତୁ ଏ ପ୍ରସଙ୍ଗରେ ଆଗତ ଏକ ମାମଲାରେ ସୁପ୍ରିମ୍‌ କୋର୍ଟ ସ୍ପଷ୍ଟ କରି ଦେଇଥିଲେ ଯେ, ଉପ-ପ୍ରଧାନମନ୍ତ୍ରୀ ପଦ କେବଳ ଆଳଙ୍କାରିକ, ପ୍ରଧାନମନ୍ତ୍ରୀଙ୍କ କୌଣସି କ୍ଷମତାରେ ଉପ-ପ୍ରଧାନମନ୍ତ୍ରୀଙ୍କ ସାମାନ୍ୟତମ ସୁଦ୍ଧା ଭାଗିଦାରୀ ନାହିଁ। ରାଜ୍ୟ ସ୍ତରରେ ଉପ-ମୁଖ୍ୟମନ୍ତ୍ରୀ ପଦ ନେଇ ମଧୢ ନ୍ୟାୟପାଳିକାଙ୍କ ସମାନ ମତ। ଉପ-ମୁଖ୍ୟମନ୍ତ୍ରୀ ପଦର କୌଣସି ସାମ୍ବିଧାନିକ ସ୍ବୀକୃତି କିମ୍ବା କ୍ଷମତା ନାହିଁ। ଅବଶ୍ୟ ଅଦାଲତ ଏହା ମଧୢ ସ୍ପଷ୍ଟ କରିଛନ୍ତି ଯେ, ଉପ-ମୁଖ୍ୟମନ୍ତ୍ରୀ ପଦ ଅସାମ୍ବିଧାନିକ ନୁହେଁ।

କେନ୍ଦ୍ର କିମ୍ବା ରାଜ୍ୟର ଶାସନ ବ୍ୟବସ୍ଥାରେ ଉପ-ପ୍ରଧାନମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀ ପଦର କୌଣସି ଗୁରୁତ୍ବ ନାହିଁ। କିନ୍ତୁ ରାଜନୈତିକ ଦୃଷ୍ଟିକୋଣରୁ ଏହି ପଦର ବିଶେଷ ଗୁରୁତ୍ବ ରହିଆସିଛି। କ୍ଷମତା ରାଜନୀତିରେ ଭାରସାମ୍ୟ ରକ୍ଷା, ଶାସକ ଦଳ କିମ୍ବା କ୍ଷମତାସୀନ ମେଣ୍ଟର ବିଭିନ୍ନ ଗୋଷ୍ଠୀ ଓ ବର୍ଗର ତୁଷ୍ଟୀକରଣ ସହ ସାଧାରଣ ଭାବେ ଜନତାଙ୍କ ମଧୢରେ ବିଭିନ୍ନ ବର୍ଗ, ସମ୍ପ୍ରଦାୟଙ୍କୁ ରାଜନୈତିକ ସ˚କେତ ଦେବା ଲାଗି ‘ଉପ-ପ୍ରଧାନମନ୍ତ୍ରୀ’ ଓ ‘ଉପ-ମୁଖ୍ୟମନ୍ତ୍ରୀ’ ପଦକୁ ଏକ ପ୍ରଭାବଶାଳୀ ଆୟୁଧ କିମ୍ବା ମାଧୢମ ଭାବେ ବ୍ୟବହାର କରାଯାଇ ଆସୁଛି। ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ୍‌ ନେହରୁଙ୍କ ମନ୍ତ୍ରିମଣ୍ତଳର ଉପ-ପ୍ରଧାନମନ୍ତ୍ରୀ ଭାବେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଉପସ୍ଥିତି ଶାସନ ଦୃଷ୍ଟିରୁ କୌଣସି ଗୁରୁତ୍ବ ବହନ କରୁନଥିଲା। ଗୃହ ବିଭାଗ ମନ୍ତ୍ରୀ ଭାବେ ସର୍ଦ୍ଦାର ପଟେଲଙ୍କ ଦାୟିତ୍ବ ସୀମିତ ଥିଲା। କିନ୍ତୁ ତତ୍‌କାଳୀନ ସରକାର ଓ ରାଜନୀତିରେ ଉପ-ପ୍ରଧାନମନ୍ତ୍ରୀ ଭାବେ ସର୍ଦ୍ଦାରଙ୍କ ପ୍ରଭାବକୁ କ’ଣ ଅସ୍ବୀକାର କରାଯାଇ ପାରିବ? ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ପଟେଲଙ୍କ ପରେ ଦେଶ ଆହୁରି ଅନେକ ଉପ-ପ୍ରଧାନମନ୍ତ୍ରୀଙ୍କୁ ଦେଖିଛି। ବିଭିନ୍ନ ସମୟରେ କ୍ଷମତାକୁ ଆସିଥିବା ସରକାରରେ ମୋରାରଜୀ ଦେଶାଇ, ଚୌଧୁରୀ ଚରଣ ସି˚ହ, ଜଗଜ୍ଜୀବନ ରାମ ପ୍ରମୁଖ ଉପ-ପ୍ରଧାନମନ୍ତ୍ରୀ ପଦ ପାଇଛନ୍ତି। ଅଟଳ ବିହାରୀ ବାଜପେୟୀଙ୍କ ଏନ୍‌ଡିଏ-୧ ସରକାରରେ ଉପ-ପ୍ରଧାନମନ୍ତ୍ରୀ ଏଲ୍‌କେ ଆଡ଼ଭାନୀଙ୍କ ପରେ କେନ୍ଦ୍ରରେ ଆଉ କେହି ଉପ-ପ୍ରଧାନମନ୍ତ୍ରୀ ପଦରେ ଅବସ୍ଥାପିତ ହୋଇ ନାହାନ୍ତି। ରାଜ୍ୟସ୍ତରରେ ମେଣ୍ଟ ରାଜନୀତିର ବାଧୢବାଧକତା, ଏପରିକି ଗୋଟିଏ ଦଳର ନିରଙ୍କୁଶ ସ˚ଖ୍ୟା ଗରିଷ୍ଠତା ସତ୍ତ୍ବେ, ବିଭିନ୍ନ ଗୋଷ୍ଠୀ ଓ ବର୍ଗଙ୍କ ମଧୢରେ ଭାରସାମ୍ୟ ରକ୍ଷା ଓ ରାଜନୈତିକ ସ˚କେତ ଦେବା ଉଦ୍ଦେଶ୍ୟରେ ‘ଉପ-ମୁଖ୍ୟମନ୍ତ୍ରୀ’ ପଦର ଆଳଙ୍କାରିକ ଶୋଭାକୁ ବ୍ୟବହାର କରିବା ଏକ ରାଜନୈତିକ ପରମ୍ପରାରେ ପରିଣତ ହୋଇଛି। ଏହି କାରଣରୁ ଆଜି ତାରିଖରେ ଚଉଦଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରରେ ଏକ କିମ୍ବା ଏକାଧିକ ଉପ-ମୁଖ୍ୟମନ୍ତ୍ରୀ ଅଛନ୍ତି। ଉପ-ମୁଖ୍ୟମନ୍ତ୍ରୀ ଥିବା ସରକାର ଗୁଡ଼ିକ ମଧୢରେ ବିପୁଳ ନିରଙ୍କୁଶ ସ˚ଖ୍ୟାଗରିଷ୍ଠତା ଥିବା ୟୁପିର ଯୋଗୀ ଆଦିତ୍ୟ ନାଥଙ୍କ ବିଜେପି ସରକାର ସହ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାର ସ୍ବାମୀଙ୍କ ନେତୃତ୍ବାଧୀନ ଜେଡିି(ଏସ୍‌) କ˚ଗ୍ରେସ ମେଣ୍ଟ ସରକାର ମଧୢ ଅନ୍ତର୍ଭୁକ୍ତ। ଶାସନର ଆବଶ୍ୟକତା ଦୃଷ୍ଟିରୁ ନୁହେଁ, ରାଜନୈତିକ ଆବଶ୍ୟକତାକୁ ଆଖି ଆଗରେ ରଖି ଉପ-ମୁଖ୍ୟମନ୍ତ୍ରୀ ପଦର ସୃଷ୍ଟି।

କେବଳ ଏକା ଉପ-ମୁଖ୍ୟମନ୍ତ୍ରୀ ପଦ ନୁହେଁ, କ୍ଷମତା ରାଜନୀତିରେ ଭାରସାମ୍ୟ ରକ୍ଷା ଓ ଅସନ୍ତୁଷ୍ଟ ଭିନ୍ନମତବାଦୀଙ୍କ ତୁଷ୍ଟୀକରଣ ଓ ଅନ୍ୟ ରାଜନୈତିକ ଉଦ୍ଦେଶ୍ୟ ପୂରଣ ଲକ୍ଷ୍ୟରେ ଅନେକ ନୂଆ ନୂଆ ସୂତ୍ର ବା ଫର୍ମୁଲାର ପରୀକ୍ଷାମୂଳକ ପ୍ରୟୋଗ ହୋଇଛି; ଯାହାକୁ ରାଜନୈତକ ପରିଚାଳନା ମନ୍ତ୍ର ବା ରାଜନୀତିରେ ମେଣ୍ଢା ଚରାଇବାର କଳା ବୋଲି ମଧ୍ୟ କୁହାଯାଇପାରେ। ଯେମିତି ଅଢେ଼ଇ ବର୍ଷିଆ କାର୍ଯ୍ୟକାଳ ସହ ମେଣ୍ଟର ଦୁଇ ସହଯୋଗୀ ଦଳ ମଧୢରେ ମୁଖ୍ୟମନ୍ତ୍ରୀ ପଦର ଅଦଳବଦଳ ବା ‘ରୋଟେସନ୍‌’। ମୁଖ୍ୟମନ୍ତ୍ରୀ ପଦର ‘ରୋଟେସନ୍‌’ ଫର୍ମୁଲା ଜମ୍ମୁ ଓ କଶ୍ମୀରରେ ୨୦୦୨-୨୦୦୮ (କଶ୍ମୀରରେ ବିଧାନସଭା କାର୍ଯ୍ୟକାଳ ଛଅ ବର୍ଷ)ରେ ପିିଡିପି-କ˚ଗ୍ରେସ ମେଣ୍ଟ କ୍ଷେତ୍ରରେ ସଫଳ ହୋଇଥିଲା। ପ୍ରଥମ ତିନିବର୍ଷ ପିଡିପିର ମୁୁଫ୍‌ତି ମହମ୍ମଦ ସୟିଦ ଓ ଦ୍ବିତୀୟ ତିନିବର୍ଷ କ˚ଗ୍ରେସର ଗୁଲାମ ନବୀ ଆଜାଦ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ୟୁପିରେ ବିଜେପି-ବିଏସ୍‌ପି ମେଣ୍ଟ କ୍ଷେତ୍ରରେ ୧୯୯୭ର ମାୟାବତୀ- କଲ୍ୟାଣ ସିଂହ ଛଅ ମାସିଆ ମୁଖ୍ୟମନ୍ତ୍ରୀ ପଦ ରୋଟେସନ୍‌ ଫର୍ମୁଲା ବିଫଳ ହୋଇଥିଲା। ମନ୍ତ୍ରିମଣ୍ତଳରେ ପ୍ରତିନିଧିତ୍ବ ଓ ବିଭାଗ ଆବଣ୍ଟନ ମାର୍ଫତରେ ଭାରସାମ୍ୟ ରକ୍ଷା ଆଉ ଏକ ସୂତ୍ର।

ଆନ୍ଧ୍ର ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଜଗନମୋହନଙ୍କ ସୂତ୍ର ନିଶ୍ଚୟ ପୁରୁଣା। କିନ୍ତୁ ଵାଇଏସ୍‌ଆର‌୍‌ କ˚ଗ୍ରେସ ମୁଖ୍ୟ ପୁରୁଣା ସୂତ୍ରକୁ ଏଥର ଆଉ ଏକ ନୂଆ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ସ˚ଖ୍ୟାଲଘୁ ଏବ˚ ଓବିସି ମାନ୍ୟତା ଲାଗି ଆନ୍ଦୋଳନରତ ଉଚ୍ଚ ଜାତିର ‘କାପୁ’ ବର୍ଗର ପାଞ୍ଚଜଣ ବିଧାୟକଙ୍କୁ ଜଗନମୋହନ ଉପ-ମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ କରିଛନ୍ତି। ଏହାଦ୍ବାରା ସେ କେବଳ ସମାଜର ବିଭିନ୍ନ ବର୍ଗର ପ୍ରତିନିଧିତ୍ବ କ୍ଷେତ୍ରରେ ସମାନତା ରକ୍ଷା ଲାଗି ପ୍ରୟାସ କରିନାହାନ୍ତି, ସମ୍ପୃକ୍ତ ବର୍ଗଙ୍କ ଆଶା-ଆକା˚କ୍ଷା ପ୍ରତି ଗୁରୁତ୍ବ ଦିଆଯାଉଛି ବୋଲି ଗୋଟିଏ ସ˚କେତ ମଧୢ ଦେଇଛନ୍ତି। କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ମହୋଦୟ ତାଙ୍କ ମନ୍ତ୍ରୀମାନଙ୍କ ପାଇଁ ତିରିଶ ମାସିଆ ବା ଅଢେ଼ଇ ବର୍ଷିଆ କାର୍ଯ୍ୟକାଳ ଧାର୍ଯ୍ୟ କରିଛନ୍ତି। ଏହା ମଧୢ ଏକ ପୁରୁଣା ସୂତ୍ର। ତଥାପି ଏ ବିଷୟରେ ଆଗୁଆ ଘୋଷଣା କରି ଏଥର ଆନ୍ଧ୍ରରେ ସେ ଏହାକୁ ଅଧିକ ସ୍ପଷ୍ଟତା ଦେଇଛନ୍ତି। ଜଗନମୋହନ ଘୋଷଣା କରିଛନ୍ତି ଯେ, ଆଠ ତାରିଖ ଶପଥ ଗ୍ରହଣ କରିଥିବା ୨୫ ଜଣ ମନ୍ତ୍ରୀଙ୍କ ମଧୢରୁ ୯୦% ଅଢେ଼ଇ ବର୍ଷ ପରେ ବଦଳିବେ। ଅର୍ଥାତ୍‌ ଅଢେ଼ଇ ବର୍ଷ ପରେ ଏକୋଇଶ-ବାଇଶ ଜଣ ମନ୍ତ୍ରୀ ସରକାରରୁ ବିଦାୟ ନେବେ ଓ ସମାନ ସ˚ଖ୍ୟକ ନୂଆମନ୍ତ୍ରୀ ସରକାରରେ ସାମିଲ ହେବେ। ଫଳରେ ପୂରା ପାଞ୍ଚବର୍ଷର କାର୍ଯ୍ୟକାଳ ମଧୢରେ ମୁଖ୍ୟମନ୍ତ୍ରୀଙ୍କୁ ବାଦ୍‌ ଦେଲେ ଆଉ ୪୪-୪୫ ଜଣଙ୍କୁ ମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ସୁଯୋଗ ମିଳିବ। ଏହାଦ୍ବାରା ରାଜ୍ୟର ଅଧିକ ଅଞ୍ଚଳ ଓ ବର୍ଗଙ୍କୁ ମନ୍ତ୍ରିମଣ୍ତଳରେ ପ୍ରତିନିଧିତ୍ବ ମିଳିବାର ଅବକାଶ ରହିବ। ରାଜନୈତିକ ଦୃଷ୍ଟିରୁ ମନ୍ତ୍ରୀପଦ ଆଶାୟୀଙ୍କୁ ଧୈର୍ଯ୍ୟର ସହ ଅପେକ୍ଷା କରାଇବା ଲାଗି ଏହା ଏକ ଭଲ ଥୋପ।

ତେବେ ଏ ପ୍ରକ୍ରିୟାରେ ନୂଆ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଯେଉଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ବାର୍ତ୍ତାଟି ଦେବାକୁ ଚାହାନ୍ତି, ତା’ହେଲା ଵାଇଏସ୍‌ଆର‌୍‌ କ˚ଗ୍ରେସ ଓ ଏହାର ସରକାର ରାଜ୍ୟର ସବୁ ବର୍ଗ, ସବୁ ସମ୍ପ୍ରଦାୟଙ୍କୁ ସାଙ୍ଗରେ ନେଇ କାର୍ଯ୍ୟ କରିବା ଲାଗି ଆଗ୍ରହୀ। ସମୟ କହିବ, ଶାସନ ଓ ଵାଏସ୍‌ଆର‌୍‌ କ˚ଗ୍ରେସକୁ ସର୍ବଜନାମୁଖୀ ଚରିତ୍ର ଦେବାରେ ଜଗନମୋହନଙ୍କ ସୂତ୍ର କେତେ ଦୂର ସହାୟକ ହେବ। ଅବଶ୍ୟ, ବର୍ତ୍ତମାନ ପାଇଁ ଏତିକି କୁହାଯାଇପାରେ ଯେ ଗୋଟିଏ ଦଶକର ଦୀର୍ଘ ଓ କଠିନ ଯାତ୍ରାର ଫଳ ସ୍ବରୂପ ୧୭୭ରୁ ୧୫୧ ଆସନ ପାଇ ଆନ୍ଧ୍ରରେ କ୍ଷମତାକୁ ଆସିଥିବା ୱାଇଏସ୍‌ଆର କଂଗ୍ରେସର ସ୍ଥିତିକୁ ଅଧିକ ମଜଭୁତ କରିବା ଦିଗରେ ଜଗନମୋହନଙ୍କ ଏହା ଏକ ଚତୁର କୌଶଳ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.