ଏନଆରସି ପକ୍ଷରୁ ଜାରି ଚିଠାରେ ଆସାମର ୪୦ ଲକ୍ଷ ଲୋକ ଭାରତୀୟ ନାଗରିକ ତାଲିକାରୁ ବାଦ୍

ନୂଆଦିଲ୍ଲୀ : ଆସାମର ଜାତୀୟ ନାଗରିକ ତାଲିକା (ଏନଆରସି) ରିପୋର୍ଟକୁ ନେଇ ଉପୁଜିଛି ବଡ଼ ବିବାଦ । ପ୍ରାୟ ୪୦ ଲକ୍ଷ ଲୋକ ଏହି ସମ୍ଭାବ୍ୟ ତାଲିକାରୁ ବାଦ୍ ପଡ଼ିଛନ୍ତି । ମୋଟ୍ ୩ କୋଟି ୨୯ ଲକ୍ଷ ଲୋକ ଏହି ତାଲିକାରେ ସାମିଲ ହେବାକୁ ପଞ୍ଜିକରଣ କରିଥିଲେ । ତେବେ ସେମାନଙ୍କ ମଧ୍ୟରୁ ୨ କୋଟି ୮୯ ଲକ୍ଷ ଏହି ତାଲିକାରେ ସାମିଲ ହୋଇଛନ୍ତି । ଫଳରେ ପ୍ରାୟ ୪୦ ଲକ୍ଷ ଲୋକ ବିଧିବଦ୍ଧ ଭାବେ ଭାରତୀୟ ନାଗରିକତ୍ୱରୁ ବଞ୍ଚିତ ହୋଇଛନ୍ତି ।

ନ୍ୟାସନାଲ୍ ରେଜିଷ୍ଟ୍ରାର ଅଫ୍ ସିଟିଜେନ୍ସ୍ (ଏନଆରସି)ର ଅଧିକାରୀ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି । ତେବେ ଏନଆରସି ପକ୍ଷରୁ କୁହାଯାଇଛି କି ଏହା ଏକ ସମ୍ଭାବ୍ୟ ତାଲିକା । ଏହି ତାଲିକାକୁ ଚୂଡ଼ାନ୍ତ ଭାବେ ଗ୍ରହଣ କରାଯିବା ଅନୁଚିତ । ଅଗଷ୍ଟ ୩୦ରୁ ଲୋକମାନେ ଏ ନେଇ ଅଭିଯୋଗ ଓ ନିଜର ମନ୍ତବ୍ୟ ଓ ପରାମର୍ଶ ଦେଇପାରିବେ । ଏହି ପ୍ରକ୍ରିୟା ସେପ୍ଟେମ୍ବର ୨୮ ଯାଏଁ ଚାଲିବ । ତେବେ ପ୍ରକୃତ ଭାରତୀୟ ନାଗରିକମାନଙ୍କୁ କୌଣସି ପ୍ରକାର ଆଶଙ୍କାରେ ରହିବାର ଆବଶ୍ୟକତା ନାହିଁ ବୋଲି ଏନଆରସି ଅଧିକାରୀ କହିଛନ୍ତି । ଆସାମରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପ୍ରସଙ୍ଗ ନେଇ ବିବାଦ ଲାଗି ରହିଆସିଛି । ଏହାକୁ ନେଇ ଆସାମର ମୂଳ ବାସିନ୍ଦାମାନେ ଅନେକ ସମୟରେ ଆପତ୍ତି ଉଠାଇଛନ୍ତି ।

DNA India

ତେବେ ଏହି ତାଲିକା ପ୍ରକାଶ ପାଇବା ପରେ ରାଜନୈତିକ ବିବାଦ ତେଜିଛି । ଏହି ପ୍ରସଂଗକୁ ନେଇ କଂଗ୍ରେସ ବିଜେପିକୁ ଟାର୍ଗେଟ୍ କରିଛି । ଏହି ୪୦ ଲକ୍ଷ ଲୋକଙ୍କ ଭବିଷ୍ୟତ କ’ଣ ହେବ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ସେପଟେ ବିଜେପି କହିଛି ଯେ, ଏହା ଚୂଡ଼ାନ୍ତ ତାଲିକା ନୁହେଁ, ତେଣୁ ବିବାଦ କରିବାର କାରଣ ନାହିଁ । ଚୂଡ଼ାନ୍ତ ତାଲିକା ପାଇଁ ଅପେକ୍ଷା କରାଯିବା ଉଚିତ ବୋଲି ବିଜେପି କହିଛନ୍ତି ।

ସମ୍ବନ୍ଧିତ ଖବର