ଆଶ୍ଚର୍ଯ୍ୟ : ୭ ବର୍ଷିଅ ଭାରତୀୟ ବାଳକ ଚଢିଲା ଆଫ୍ରିକାର ସର୍ବୋଚ୍ଚ ଶୃଙ୍ଗ

ହାଇଦ୍ରାବାଦ: ଅସମ୍ଭବକୁ ସମ୍ଭବ କରି ଦେଖାଇଛି ହାଇଦ୍ରାବାଦର ଏହି ୭ ବର୍ଷୀୟ ବାଳକ ସମନ୍ୟୁ ପୋଥିରାଜୁ । ଏତେ କମ ବୟସରେ ସେ ଆଫ୍ରିକାର ସର୍ବୋଚ୍ଚ ପର୍ବତ କିଲମାଞ୍ଜାରୋ ଚଢିଯାଇଛି । ଗତ ୨ ତାରିଖରେ ସମନ୍ୟୁ ନିଜ କୋଚ୍‌ ଥାମିନେନି ଭରତ ଓ ଅନ୍ୟ ଜଣେ ପର୍ବାତାରୋହୀ ସଙ୍ଗବନ୍ଦି ଶୃଜନ ଏବଂ ଜଣେ ସ୍ଥାନୀୟ ଡାକ୍ତର ମିଳିତ ଭାବେ ଏହି କାରନାମା କରି ଦେଖାଇଛନ୍ତି । ସମନ୍ୟୁଙ୍କ ମା’ ଲାବଣ୍ୟ ମଧ୍ୟ ସାଥିରେ ଆଫ୍ରିକା ଯାଇଥିଲେ ।

ଏହି ପର୍ବତ ଶୃଙ୍ଗର ଉଚ୍ଚତା ସମୁଦ୍ର ପତ୍ତନରୁ ୫୮୯୫ ମିଟର (ଏଭରେଷ୍ଟର ପ୍ରାୟ ଅଧା) । ଏହି ଟିମ ମାର୍ଚ୍ଚ ୨୯ରୁ ପର୍ବତାରୋହଣ  ଆରମ୍ଭ କରିଥିଲେ ଓ ସର୍ବୋଚ୍ଚ ଶୃଙ୍ଗରେ ପହଞ୍ଚିବାକୁ ସେମାନଙ୍କୁ ୫ ଦିନ ଲାଗିଥିଲା । ଉପରେ ପହଞ୍ଚିବା ପରେ ଏହି ଟିମ ଭାରତୀୟ ଜାତୀୟ ପତାକା ସେଠାରେ ଉଡାଇଥିଲେ । ଏହି ସଫଳତା ପରେ ମଧ୍ୟ ଏହି  ବିସ୍ମୟ ବାଳକ ଥକିଯାଇନାହିଁ । ତାହାର ପରବର୍ତ୍ତୀ ଲକ୍ଷ୍ୟ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ତାହା ହେଉଛି ଆସନ୍ତା ମେ ମାସରେ ସେ ଅଷ୍ଟ୍ରେଲିଆର ସର୍ବୋଚ୍ଚ ୧୦ଟି ଶୃଙ୍ଗ ଚଢିବାର ଯୋଜନା କରୁଛି । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛି ।

ସମ୍ବନ୍ଧିତ ଖବର