ନୂଆଦିଲ୍ଲୀ: ଗତ ପାଞ୍ଚ ମାସ ହେବ ଏମ୍ସ୍ରେ ନକଲି ଡାକ୍ତର ସାଜିଥିବା ଜଣେ ଡାକ୍ତର ଆଶାୟୀ ୧୯ ବର୍ଷିୟ ଯୁବକଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଆଦ୍ନାନ୍ ଖୁରମ୍ ନିଜର ମିଥ୍ୟା ପରିଚୟ ବଳରେ ସବୁ ବିଭାଗରେ ଏବଂ ଡାକ୍ତରୀଛାତ୍ରଛାତ୍ରୀଙ୍କ ସହ ବନ୍ଧୁତା ସ୍ଥାପନ କରିଛନ୍ତି। ଡାକ୍ତରମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ବିଭିନ୍ନ କାର୍ଯ୍ୟକ୍ରମ – ଧର୍ମଘଟ ଠାରୁ ଆରମ୍ଭ କରି ମାରଥନ୍ ଯାଏଁ- ସବୁଥିରେ ସେ ଅଂଶଗ୍ରହଣ କରିଛନ୍ତି। ଶନିବାର ଦିନ ପୁଲିସ ତାଙ୍କୁ ଗିରଫ କରିବା ପରେ ତାଙ୍କର ଔଷଧ ଜ୍ଞାନ, ଏମ୍ସ୍ ଡାକ୍ତର ଓ ବିଭାଗୀୟ ମୁଖ୍ୟମାନଙ୍କ ନାଁ ମନେରଖିଥିବା କଥା ଦେଖି ପୁଲିସ ଆବାକାବା ହୋଇ ଯାଇଥିଲେ।
ଡାକ୍ତରମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଗୋଟାଏ ଡାଏରି ମଧ୍ୟ ସେ ହାସଲ କରିଛନ୍ତି।
ଥରକୁ ଥର ବୟାନ ବଦଳାଉଥିବା ଖୁରାମ୍ କାହିଁକି ନିଜକୁ ଡାକ୍ତର ବୋଲି ଦର୍ଶାଇ ଥିଲେ ତାହା ଏ ଯାବତ୍ ଜଣାପଡ଼ି ନାହିଁ। ଏହି ଅପରାଧ ପାଇଁ ସେ ଦେଇଥିବା ଅନ୍ୟତମ କାରଣ ହେଉଛି, ପରିବାରର ଜଣେ ଅସୁସ୍ଥ ସଦସ୍ୟଙ୍କର ଉତ୍ତମ ଚିକିତ୍ସା କରାଇବାକୁ ସେ ମିଛରେ ଡାକ୍ତର ସାଜିଥିଲେ। ସେ ଆହୁରି କହିଛନ୍ତି କି, ଡାକ୍ତରମାନଙ୍କ ସହ ସମୟ ଅତିବାହିତ କରିବାକୁ ମନ ଥିବାରୁ ସେ ଏମିତି କରିଥିଲେ। ତା’ଛଡ଼ା ସେ ନିଜେ ଡାକ୍ତର ହେବାକୁ ଚାହୁଁଥିଲେ।
ହଜ୍ ଖସ୍ ଥାନାରେ ଖୁରମ୍ଙ୍କ ନାଁରେ ଶନିବାର ଦିନ ମାମଲା ରୁଜୁ କରାଯାଇଛି।
ଖୁରମ୍ ସର୍ବଦା ଲ୍ୟାବ୍କୋଟ୍ ପିନ୍ଧି କାନ୍ଧରେ ଷ୍ଟେଥୋ ପକାଇ କ୍ୟାମ୍ପ୍ସ୍ରେ ବୁଲାବୁଲି କରନ୍ତି। ଅନ୍ୟ ଡାକ୍ତରମାନଙ୍କ ଆଗରେ କେବେ ସେ ନିଜକୁ ଜୁନିୟର୍ ରେସିଡେଣ୍ଟ୍ ଡାକ୍ତର ତ କେବେ ଅଣ୍ଡର୍ଗ୍ରାଜୁଏଟ୍ ମେଡିକାଲ୍ ଷ୍ଟୁଡେଣ୍ଟ୍ ବୋଲି କହନ୍ତି।
ଏମ୍ସ୍ରେ ପ୍ରାୟ ୨୦୦୦ ଡାକ୍ତର ଥିବାରୁ ବ୍ୟକ୍ତିଗତ ଭାବେ ସମସ୍ତଙ୍କୁ ଚିହ୍ନିବା କଷ୍ଟକର। ତେଣୁ ଖୁରମ୍ଙ୍କୁ ଧରିବା ସହଜ ନ ଥିଲା।
ଶନିବାର ଦିନ ସେ ଏକ ମାରଥନ୍ରେ ଅଂଶଗ୍ରହଣ କରିଥିଲେ। କେତେକ ଡାକ୍ତରଙ୍କର ସନ୍ଦେହ ହେବାରୁ ସେମାନେ ତାଙ୍କ ପରିଚୟ ମାଗିଥିଲେ। ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ସେମାନେ ଖୁରମଙ୍କୁ ଧରି ପୁଲିସରେ ଖବର କରିଥିଲେ।
ଖୁରମ୍ଙ୍କର କୌଣସି ଅପରାଧିକ ରେକର୍ଡ ନାହିଁ ବୋଲି ପୁଲିସ କହୁଛି। ତଦନ୍ତରୁ ଜଣାପଡ଼ିଛି ଡାକ୍ତର ବେଶରେ ସେ ବହୁ ଫଟୋଗ୍ରାଫ୍ ସାମାଜିକ ଗଣମାଧ୍ୟମରେ ଅପ୍ଲୋଡ୍ କରିଛନ୍ତି। ବିହାର ବାସିନ୍ଦା ଖୁରମ ଜାମିଆ ନଗର ନିକଟ ବତଲା ହାଉସ୍ରେ ରହନ୍ତି।