ଶେଷରେ ମାନିଲା ସାଉଦି, ସାମ୍ବାଦିକ ଖସୋଗିଙ୍କୁ ହତ୍ୟା

ରିୟାଦ: ସାମ୍ବାଦିକ ଜମାଲ୍‌ ଖସୋଗିଙ୍କ ସମ୍ପର୍କରେ ସାଉଦି ଆରବ ସରକାର ଶେଷରେ ମୁହଁ ଖୋଲିଛନ୍ତି। ନିଖୋଜ ଥିବା ଖସୋଗିଙ୍କୁ ହତ୍ୟା କରାଯାଇଛି ବୋଲି ସରକାର ସ୍ପଷ୍ଟ କରିଛନ୍ତି। ସାଉଦି ଆରବର ଆଟର୍ଣ୍ଣି ଜେନେରାଲ୍‌ଙ୍କ କହିବାନୁସାରେ ରାଷ୍ଟ୍ରର ଇସ୍ତାନବୁଲ୍‌ସ୍ଥିତ ବାଣିଜ୍ୟ ଦୂତାବାସରେ ଖସୋଗିଙ୍କୁ ହତ୍ୟା କରାଯାଇଛି। ଘଟଣା‌େର ପ୍ରାୟ ୧୮ ଲୋକଙ୍କୁ ଗିରଫ କରାଯାଇଛି। ୫ ଜଣ ଅଧିକାରୀଙ୍କୁ ବହିଷ୍କାର କରାଯାଇଛି। ୱାସିଂଟନ୍ ପୋଷ୍ଟରେ ସ୍ତମ୍ଭକାର ଭାବେ କାର୍ଯ୍ୟ କରୁଥିବା ସାମ୍ବାଦିକ ଖସୋଗି ଜଣେ ଆମେରିକୀୟ ବାସିନ୍ଦା। ଗତ ଅକ୍ଟୋବର ୨ ତାରିଖରେ ସେ ନିଖୋଜ ହୋଇଯାଇଥିଲେ। ଏହାକୁ ନେଇ ଆମେରିକା ପକ୍ଷରୁ ଚିନ୍ତା ପ୍ରକାଶ କରାଯାଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଧ୍ୟ ଏ ବାବଦରେ ସାଉଦି ଆରବ ଉପରେ ଚାପ ପକାଇ ଘଟଣା ସମ୍ପର୍କରେ ସ୍ପଷ୍ଟ ସୂଚନା ଦେବାକୁ ତାଗିଦ୍‌ କରିଥିଲେ। କିନ୍ତୁ ସାଉଦି ପକ୍ଷରୁ ଏ ବାବଦରେ କୌଣସି ଠୋସ୍‌ ଜବାବ ଦିଆଯାଉନଥିଲା। ଶେଷରେ ଚାରିଆଡୁ ଚାପ ପଡ଼ିବା ପରେ ସାଉଦି ଆରବ ମୁହଁ ଖୋଲିଛି। ସୂଚନା ମୁତାବକ ଖସୋଗିଙ୍କୁ ଖଣ୍ଡ ଖଣ୍ଡ କରି ହତ୍ୟା କରାଯାଇଛି। କିନ୍ତୁ ଖଣ୍ଡ ଖଣ୍ଡ କରି ହାଣି ହତ୍ୟା କରାଯାଇଥିବା ଖବରକୁ ସାଉଦି ଖଣ୍ଡନ କରିଛି।

ସମ୍ବନ୍ଧିତ ଖବର