ସହପାଠୀ ସହ ସମ୍ପର୍କ:ଝିଅକୁ ମାରି ପୋଡ଼ିଦେଲେ

ଅହମଦନଗର: ବାପା ଝିଅର ତଂଟି ଚିପି ମାରିବା ପରେ ତାକୁ ପୋଡିଦେଇଥିବା ଭଳି ଏକ ଲୋମଟାଙ୍କୁରା ଘଟଣା ମହାରାଷ୍ଟ୍ରରେ ଘଟିଛି I ୧୭ ବର୍ଷୀୟ ଝିଅ ନିଜ ସହପାଠୀ ବନ୍ଧୁ ସହ କଲେଜ ଯିବାଆସିବା କରିବାକୁ ବାରମ୍ବାର ବାରଣ କରିଥିଲେ ମଧ୍ୟ ଝିଅ ନମାନିବାରୁ ବାପା ଏଭଳି କାଣ୍ଡ ଘଟାଇଥିବା ସୂଚନା ଦେଇଛି ପୋଲିସ I
ଅହମଦନଗର ଠାରୁ ୬୦ କିଲୋମିଟର ଦୂର ଚଣ୍ଡି ଗ୍ରାମରେ ମାର୍ଚ୍ଚ ୨୩ ରେ ଏହି ହତ୍ୟାକାଣ୍ଡ ଘଟିଥିଲେ ମଧ୍ୟ ମାର୍ଚ୍ଚ ୨୫ରେ ହିଁ ଏହା ପଦାକୁ ଆସିଥିଲା I ପୋଲିସର ସୂଚନା ଅନୁଯାୟୀ ଝିଅଟି ସବୁବେଳେ ନିଜ ସହପାଠୀଙ୍କୁ ମୋବାଇଲରେ ମେସେଜ ପଠାଉଥିଲେ I ମେସେଜ କରିବା ପରେ ସହପାଠୀ ପୁରୁଷ ବନ୍ଧୁ ସହ କଲେଜ ଯିବାଆସିବା କରୁଥିଲେ I ବାପା ପାଣ୍ଡୁରଙ୍ଗା ଶ୍ରୀରଙ୍ଗା ସେଗୁଣ୍ଡେ ଅସନ୍ତୋଷ ପ୍ରକାଶ କରି ଝିଅକୁ ବାରମ୍ବାର ତାଗିଦ କରୁଥିଲେ ପୁରୁଷ ବନ୍ଧୁ ସହ ସଂପର୍କ ଛିନ୍ନ କରିବାକୁ I କିନ୍ତୁ ଝିଅଟି କିଛି ନଶୁଣି ସେଇ ପୁରୁଷ ସହପାଠୀ ସହ ମିଳାମିଶା ଜାରି ରଖିବାରୁ ବାପା ଧୈର୍ଯ୍ୟ ହରାଇ ଝିଅର ତଂଟି ଚିପି ମାରିଦେଇଥିଲେ I
ହତ୍ୟା କରିବା ପରେ ବାପା ଆଉ ଦୁଇ ପାଦ ଆଗେଇ ଘଟଣାକୁ ଭିନ୍ନ ମୋଡ଼ ଦେବା ପାଇଁ ଝିଅର ଦୁଇ ମାମୁଙ୍କ ସାହାଯ୍ୟ ନେଇ ଶବକୁ ପୋଡି ଫିଙ୍ଗି ଦେଇଥିଲେ I ମାର୍ଚ୍ଚ ୨୪ରେ ଜାମଖେଦ ପୋଲିସ ଥାନାରେ ଏକ ମିସିଙ୍ଗ ରିପୋର୍ଟ ମଧ୍ୟ ଦାୟର କରିଦେଇ ଘଟଣାଟିକୁ ଚପାଇଦେବାକୁ ଚେଷ୍ଟା କରିଥିଲେ ଝିଅର ବାପା I କିନ୍ତୁ ମାର୍ଚ୍ଚ ୨୫ରେ ଝିଅର ଭଉଣୀ ତାଙ୍କ ଘର ପଛପଟେ ଥିବା ପୋଖରୀ ପାଖରେ ଦରପୋଡା ଶବ ଦେଖିବା ପରେ ଘଟଣାର ପର୍ଦାଫାସ ହୋଇଥିଲା I
ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି I ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପୋଲିସ ୩୫ ଜଣଙ୍କୁ ପଚରାଉଚରା କରିଛି I ଉକ୍ତ ମାମଲାରେ ପୋଲିସ ଝିଅର ବାପାଙ୍କ ବ୍ୟତୀତ ଝିଅର ଦୁଇ ମାମୁଙ୍କ ଗିରଫ କରି ତଦନ୍ତ ଚଳାଇଛି I

ସମ୍ବନ୍ଧିତ ଖବର