ସୁପ୍ରିମ କୋର୍ଟ ଆଡ୍‌ଭୋକେଟଙ୍କୁ ନୋଟିସ, ଷଡ଼ଯନ୍ତ୍ରର ବିବରଣୀ ଦିଅ

ଯୌନ ନିର୍ଯାତନା ମାମଲା, ଯାଞ୍ଚ ପାଇଁ ୩ ଜଣିଆ କମିଟି

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ହୋଇଥିବା ଯୌନ ନିର୍ଯାତନା ମାମଲାକୁ ଷଡ଼ଯନ୍ତ୍ର ବୋଲି ଦର୍ଶାଇ ସତ୍ୟପାଠ ଦାଖଲ କରିଥିବା ଆଡ‌େଭାକେଟଙ୍କୁ ଆଜି ସର୍ବୋଚ୍ଚ ଅଦାଲତ ନୋଟିସ ଜାରି କରିଛନ୍ତି। ଏହି ଆଡଭୋକେଟ୍ ହେଉଛନ୍ତି ଉତ୍ସବ ବେଂସ। ତାଙ୍କୁ ବୁଧବାର ଦିନ ଘଟଣାର ସମ୍ପୂର୍ଣ ବିବରଣୀ ଏବଂ ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବା ସମସ୍ତ ବ୍ୟକ୍ତିଙ୍କ ତାଲିକା ଏକ ବନ୍ଦ ଲଫାଫାରେ ଦାଖଲ କରିବାକୁ କୁହାଯାଇଛି। ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିବାପରେ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ସତ୍ୟପାଠ ଦାଖଲ କରିଥିଲେ ବେଂସ। ଉକ୍ତ ସତ୍ୟପାଠରେ ସେ ଏହି ଅଭିଯୋଗକୁ ଏକ ଷଡ଼ଯନ୍ତ୍ର ବୋଲି କହିଥିଲେ। ଏହି ଷଡ଼ଯନ୍ତ୍ରର ପ୍ରତ୍ୟେକ ଘଟଣା ସେ ଜାଣିଛନ୍ତି। ଏଥିରେ ସାମିଲ ଥିବା ସମସ୍ତ ବ୍ୟକ୍ତିଙ୍କ ନାମ ଜାଣିଛନ୍ତି ବୋଲି ବେଂସ ତାଙ୍କ ସତ୍ୟପାଠରେ ଦର୍ଶାଇଥିଲେ। ଜଷ୍ଟିସ ଗୋଗୋଇଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିବା ପାଇଁ ତାଙ୍କ ବିରୋଧରେ ଏକ ମିଥ୍ୟା ଯୌନ ନିର୍ଯାତନା ମାମଲା କରାଯାଇଛି। ଏହି ମାମଲାରେ ସମ୍ପୃକ୍ତ ମହିଳାଙ୍କ ପକ୍ଷରୁ ଲଢ଼ିବାକୁ ତାଙ୍କୁ ଦେଢ଼ କୋଟି ଟଙ୍କା ଯଚାଯାଇଥିଲା ବୋଲି ଅଭିଯୋଗ କରିଛନ୍ତି ବେଂସ। ଏହି ସତ୍ୟପାଠ ଉପରେ ଶୁଣାଣି କରି ଆଜି ସର୍ବୋଚ୍ଚ ନ୍ୟାୟାଳୟ ବେଂସଙ୍କୁ ନୋଟିସ ଜାରି କରି ବୁଧବାର ଦିନ ଘଟଣାର ସମ୍ପୂର୍ଣ ବିବରଣୀ ଏବଂ ଏହି ଷଡଯନ୍ତ୍ରରେ ସାମିଲ ଥିବା ବ୍ୟକ୍ତିଙ୍କ ତାଲିକା ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି।
ସୂଚାନଯୋଗ୍ୟ, ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଜଣେ ମହିଳା କର୍ମଚାରୀ ଯୌନ ନିର୍ଯାତନା ଅଭିଯୋଗ କରି ସତ୍ୟପାଠ ଜରିଆରେ ସୁପ୍ରିମ କୋର୍ଟର ବିଚାରପତିମାନଙ୍କୁ ଜଣାଇବାପରେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଜଷ୍ଟିସ ଗୋଗୋଇ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। ଇତିମଧ୍ୟରେ ମାମଲାର ତଦନ୍ତ ପାଇଁ ସୁପ୍ରିମ କୋର୍ଟ ଆଜି ତିନି ଜଣିଆ କମିଟି ଗଠନ କରିଛି। ଜଷ୍ଟିସ ଏସ୍‌ଏ ବୋଡବେଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଜଷ୍ଟିସ ଏନଭି ରମଣା ଏବଂ ଜଷ୍ଟିସ ଇନ୍ଦିରା ବାନାର୍ଜୀ ଅଛନ୍ତି।

ସମ୍ବନ୍ଧିତ ଖବର