‘ସବରିମାଳା ଆମ ପାଇଁ ସ୍ବର୍ଣ୍ଣିମ ସୁଯୋଗ’:କେରଳ ବିଜେପି ମୁଖ୍ୟଙ୍କ ଅଡ଼ିଓ କ୍ଲିପ୍‌ ଭାଇରାଲ୍‌

ଥିରୁବନନ୍ତପୁରମ୍‌, : କେରଳ ବିଜେପି ମୁଖ୍ୟ ପିଏସ୍‌ ଶ୍ରୀଧରନ ପିଲ୍ଲାଇ ସବରିମାଳା ମନ୍ଦିର ପ୍ରସଙ୍ଗରେ ଦେଇଥିବା ବିବାଦୀୟ ବୟାନ ଏବେ ସାମ୍ନାକୁ ଆସିଛି। ସବରିମାଳା ପ୍ରସଙ୍ଗ ଦଳ ପାଇଁ ଏକ ‘ସ୍ବର୍ଣ୍ଣିମ ସୁଯୋଗ’ କହି ବିଜେପି ମୁଖ୍ୟ ଏବେ ସମାଲୋଚନାର ଶିକାର ହୋଇଛନ୍ତି। ଏନେଇ ଏକ ଅଡିଓ କ୍ଲିପ୍‌ ଏବେ ଭାଇରାଲ୍‌ ହୋଇଛି। କେରଳ ବିଜେପି ମୁଖ୍ୟ ପିଲ୍ଲାଇ କୋଝିକୋଡ୍‌ରେ ଯୁବ ମୋର୍ଚ୍ଚା ରାଜ୍ୟ କମିଟିକୁ ଉଦ୍‌ବୋଧନ ଦେବା ସମୟରେ ଦାବି କରିଥିଲେ ‌ଯେ ସବରିମାଳା ମନ୍ଦିର ମୁଖ୍ୟ ପୁରୋହିତଙ୍କର ଅଦାଲତ ଅବମାନନାକୁ ଭୟ ଥିଲା। ସେ ତାଙ୍କ ସହ ଆଲୋଚନା କରିବାପରେ ହିଁ ଏଭଳି କହିଥିଲେ ବୋଲି ବିଜେପି ମୁଖ୍ୟ ଦାବି କରିଥିଲେ। ସେହିପରି ସବରିମାଳା ପ୍ରସଙ୍ଗ ଦଳ ପାଇଁ ଏକ ସ୍ବର୍ଣ୍ଣିମ ସୁଯୋଗ ବୋଲି ପିଳ୍ଲାଇ କହିଥିଲେ। ଏନେଇ ଏକ ଅଡିଓ କ୍ଲିପ୍‌ ଭାଇରାଲ୍‌ ହେବାପରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଛନ୍ତି ଯେ ଏହାଦ୍ବାରା ବିଜେପିର ସାଂପ୍ରଦାୟିକ ରାଜନୀତି ପଦାରେ ପଡ଼ିଯାଇଛି ଏବଂ ସୁପ୍ରିମ୍‌ କୋର୍ଟ ରାୟର ସିଧାସଳଖ ଅବମାନନା କରାଯାଇଛି।

ସ୍ବତନ୍ତ୍ର ପୂଜା ପାଇଁ ଖୋଲିଲା ସବରିମାଳା ମନ୍ଦିର
ଥିରୁବନନ୍ତପୁରମ୍‌: କେରଳର ପ୍ରସିଦ୍ଧ ସବରିମାଳା ମନ୍ଦିର ଆଜି ପୁଣିଥରେ ସ୍ବତନ୍ତ୍ର ପୂଜାକର୍ମ ନିମନ୍ତେ ଗୋଟିଏ ଦିନ ପାଇଁ ଖୋଲିଛି। ସନ୍ଧ୍ୟା ୫ଟାରେ ମନ୍ଦିର ଦ୍ବାର ଖୋଲିଛି। ସବରିମାଳା ମନ୍ଦିରରେ ସବୁ ବୟସର ମହିଳାମାନେ ପ୍ରବେଶ କରିପାରିବେ ବୋଲି ସୁପ୍ରିମକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେବାପରେ ଗତ ଅକ୍ଟୋବର ୧୭ ତାରିଖରେ ମନ୍ଦିର ଦ୍ବାର ଖୋଲିବା ବେଳେ ମହିଳାଙ୍କ ପ୍ରବେଶକୁ ବିରୋଧ କରି ହିଂସା ଉପୁଜିଥିଲା। ହିଂସାତ୍ମକ ଆନ୍ଦୋଳନକୁ ନଜର‌ରେ ରଖି ଏଥର ସବରିମାଳା ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମହିଳା କନେଷ୍ଟବଳଙ୍କ ସମେତ ହଜାର ହଜାର ପୁଲିସ କର୍ମୀ ମନ୍ଦିର ବାହାରେ ଏବଂ ମୁଖ୍ୟ ରାସ୍ତାମାନଙ୍କରେ ମୁତୟନ ହୋଇଛନ୍ତି। ଏଥର ମନ୍ଦିର ପରିସରକୁ ପ୍ରବେଶ କରିବାପାଇଁ କୌଣସି ମହିଳା ଚେଷ୍ଟା କରିନାହାନ୍ତି। ଗତଥର ସବୁଠାରୁ ଅଧିକ ହିଂସାକାଣ୍ଡ ଉପୁଜିଥିଲା ନିଲକ୍କଲ୍‌ ଏବଂ ପାମ୍ବା ନିକଟରେ। ତେବେ ଏଥର ଏହି ସ୍ଥାନରେ କୌଣସି ବିଶୃଙ୍ଖଳା ଉପୁଜିନଥିବା ଜଣାପଡ଼ିଛି। ମନ୍ଦିର ଅଂଚଳରେ ୨୫୦୦ ପୁଲିସ କର୍ମୀ ମୁତୟନ ହୋଇଛନ୍ତି। ନିକଟସ୍ଥ ସ୍ଥାନରେ ପୁଲିସ ଗତ ଶନିବାର ରାତିରୁ ୧୪୪ ଧାରା ଜାରି କରିଛି। ଏହାଦ୍ବାରା ୪ ଜଣରୁ ଅଧିକ ଲୋକ ଗୋଟିଏ ସ୍ଥାନରେ ରୁଣ୍ଡ ହୋଇପାରିବେ ନାହିଁ। ମନ୍ଦିରରେ ତିନି ଥାକିଆ ସୁରକ୍ଷାବ୍ୟବସ୍ଥା କରାଯାଇଛି ବୋଲି ରାଜ୍ୟ ପୁଲିସ ମୁଖ୍ୟ ଲୋକନାଥ ବେହେରା କହିଛନ୍ତି। ଅନ୍ୟପକ୍ଷରେ ଯଦି କେହି ମନ୍ଦିର ମଧ୍ୟକୁ ମହିଳା ଭକ୍ତଙ୍କ ପ୍ରବେଶକୁ ବିରୋଧ କରନ୍ତି ତେବେ ତାଙ୍କୁ ଗିରଫ କରାଯିବ ବୋଲି ପୁଲିସ କଡ଼ା ନିର୍ଦ୍ଦେଶ ଜାରି କରିଛି।

ସମ୍ବନ୍ଧିତ ଖବର