ଚାଷୀ ଆନ୍ଦୋଳନ : ରାଜପଥ ଜାମ୍‌, ସହରରେ ଅଚଳାବସ୍ଥା

ଭୁବନେଶ୍ବର : ଗୋଟିଏ ପଟେ ନହରକଣ୍ଟା ଓ ଅନ୍ୟପଟେ ଖଣ୍ଡଗିରିଠାରେ ନବନିର୍ମାଣ କୃଷକ ସଂଗଠନ ରାଜପଥ ଅବରୋଧ କରିବାରୁ ଭୁବନେଶ୍ବର ସହର ଭିତରେ ସୃଷ୍ଟି ହୋ‌ଇଥିବା ଅଚଳାବସ୍ଥା ରାତି ପର୍ଯ୍ୟନ୍ତ ଜାରି ରହିଥିଲା। ଅପରାହ୍ଣ ଗୋଟାଏରୁ ସାଢ଼େ ୪ଟା ପର୍ଯ୍ୟନ୍ତ ରାସ୍ତା ଉପରେ ଉଭୟ ପାର୍ଶ୍ବରେ ହଜାର ହଜାର ଗାଡ଼ି ଜମା ହୋଇ ରହିଥିବା ଦେଖାଯାଇଥିଲା। ନହରକଣ୍ଟାଠାରୁ ରସୁଲଗଡ଼ ପର୍ଯ୍ୟନ୍ତ ଟ୍ରକ୍‌ ଓ ବସ୍‌ ଜମା ହୋଇ ରହିଥିବା ବେଳେ ତମାଣ୍ଡୋଠାରୁ ଖଣ୍ଡଗିରି ପର୍ଯ୍ୟନ୍ତ ଗାଡ଼ି ଛିଡ଼ା ହୋଇ ରହିଥିଲା। ଏହାର ପ୍ରଭାବରେ ସହର ଭିତରେ ମଧ୍ୟ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ବି‌ଶେଷ କରି କଳ୍ପନାଠାରୁ ରସୁଲଗଡ଼ ପର୍ଯ୍ୟନ୍ତ କଟକ ରୋଡ଼୍‌ରେ ପ୍ରବଳ ଭିଡ଼ ହୋଇଥିବା ବେଳେ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ପୁଲିସ ନୟାନ୍ତ ହୋଇଥିଲା। ବାଇକ୍‌ରେ ଯାଉଥିବା ଯାତ୍ରୀଙ୍କୁ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବାକୁ ପଡ଼ିଥିଲା। ସେହିଭଳି ଖଣ୍ଡଗିରିରୁ ରସୁଲଗଡ଼ ପର୍ଯ୍ୟନ୍ତ ରାଜପଥ ସହ ସମସ୍ତ ଓଭର ବ୍ରିଜ୍‌ ତଳ ରାସ୍ତା ଜାମ୍‌ ରହିଥିଲା। ଗାଡ଼ିଗୁଡ଼ିକ ଖଣ୍ଡଗିରିଠାରୁ ପୋଖରୀପୁଟ୍‌ ଦେଇ ଭୁବନେଶ୍ବର ଭିତରେ ପ୍ରବେଶ କରିବାକୁ ଚାହିଁବାରୁ ଏହି ରାସ୍ତା ମଧ୍ୟ ଜାମ୍‌ ହୋଇଥିଲା। ଦୁଇ ଉପକଣ୍ଠରେ ରାସ୍ତା ବନ୍ଦ ରହିବା ସମଗ୍ର ସହରର ଟ୍ରାଫିକ୍‌କୁ ପ୍ରଭାବିତ କରିଥିଲା। ଏ ନେଇ ପୁଲିସ୍‌ କମିସନର୍‌ ସତ୍ୟଜିତ ମହାନ୍ତି କହିଥିଲେ, ଏହି ବିକ୍ଷୋଭକୁ ଦୃଷ୍ଟିରେ ରଖି ପୂର୍ବାହ୍ଣ ୧୧ଟାରୁ କଟକ-ଭୁବନେଶ୍ବର ରାସ୍ତାରେ କଟକଣା କରିଥିଲୁ। ଭାରୀଯାନ ଚଳାଚଳକୁ ବନ୍ଦ ରଖାଯାଇଥିବା ବେଳେ ଜୟଦେବ ବିହାରରୁ ଛୋଟ ଗାଡ଼ିକୁ କଟକ ଛଡ଼ା ଯାଉଥିଲା। ଅନ୍ୟଗାଡ଼ିଗୁଡ଼ିକୁ ରାସ୍ତାର ଗୋଟିଏ ପାର୍ଶ୍ବରେ ଅଟକା ଯାଉଥିଲା। କିନ୍ତୁ ବିକ୍ଷୋଭକାରୀ ଉଭୟ ରାସ୍ତାରେ ବସି ଯିବାରୁ ସମସ୍ୟା ହୋଇଥିଲା। ତେବେ ସହର ଭିତରେ ବିକଳ୍ପ ବ୍ୟବସ୍ଥା କରାଯାଇ ଟ୍ରାଫିକ୍‌ ବ୍ୟବସ୍ଥାକୁ ନିୟନ୍ତ୍ରିତ କରାଯାଇଥିଲା।

ସମ୍ବନ୍ଧିତ ଖବର