ଜଗନ୍ନାଥ ସେନାର ଆବେଦନ ସୁପ୍ରିମ‌ କୋର୍ଟରେ ଖାରଜ

ଖଣ୍ଡପୀଠଙ୍କ ପ୍ରଶ୍ନ: ହାଇକୋର୍ଟରେ ଆନ୍ଦୋଳନ ବନ୍ଦ ହେଲାଣି, ସେଠାରେ କାହିଁକି ଆବେଦନ କରୁନ

ନୂଆଦିଲ୍ଲୀ : ଗତ ଅକ୍ଟୋବର ୩ ତାରିଖରେ ପୁରୀ ଗଣ୍ଡଗୋଳ ସମୟରେ ଶ୍ରୀଜଗନ୍ନାଥ ମନ୍ଦିରରେ ପୁଲିସ ଜୋତା ଓ ଅସ୍ତ୍ରଶସ୍ତ୍ର ଧରି ପ୍ରବେଶ କରିବା ମାମଲାର ସିବିଆଇ ତଦନ୍ତ ଦାବିରେ ଜଗନ୍ନାଥ ସେନା ପକ୍ଷରୁ ସୁପ୍ରିମ‌୍‌ କୋର୍ଟରେ ଦାଖଲ କରାଯାଇଥିବା ରିଟ୍‌ ପିଟିସନ୍‌ ଆଜି ଖାରଜ ହୋଇଯାଇଛି। ବିଚାରପତି ମଦନ ବି. ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଆବେଦନକାରୀ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ଦାଖଲ ରିଟ୍‌ ପିଟିସନ୍‌କୁ ଖାରଜ କରିଦେଇଛନ୍ତି।

ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦେବାଶିଷ ମିଶ୍ର ଯୁକ୍ତି ବାଢ଼ି କହିଥିଲେ ଯେ ଅକ୍ଟୋବର ୩ ତାରିଖ ପୁରୀ ହିଂସାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ପୁଲିସ ଅଭିଯୋଗକାରୀଙ୍କ ସମେତ ଅନ୍ୟ ପୁରୀବାସୀଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରିବାରେ ଲାଗିଛି। ଗିରଫ ବ୍ୟକ୍ତିଙ୍କ ଏଫ୍‌ଆଇଆର ସମ୍ପର୍କିତ ସୂଚନାକୁ ପୋଲିସ େୱବସାଇଟ୍‌ରେ ଅପଲୋଡ଼ କରୁନାହିଁ। ଯାହା ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶକୁ ଉଲ୍ଲଂଘନ କରିବା ସହ ଅଦାଲତର ଅବମାନନା ହେଉଛି। ଏ ନେଇ ସୁପ୍ରିମ କୋର୍ଟ ନୋଟିସ୍‌ ଜାରି କରି ରିପୋର୍ଟ ତଲବ କରନ୍ତୁ ବୋଲି ଶ୍ରୀ ମିଶ୍ର ଖଣ୍ଡପୀଠକୁ ଅନୁରୋଧ କରିଥିଲେ। ଆଜି ମଧ୍ୟ ପୁରୀ ହିଂସାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ଗିରଫଦାରୀ ଜାରି ରହିଥିବା ଶ୍ରୀ ମିଶ୍ର ଖଣ୍ଡପୀଠକୁ କହିଥିଲେ।

ଆବେଦନକାରୀଙ୍କ ଯୁକ୍ତି ଶୁଣିବା ପରେ ଏହି ରିଟ୍ ପିଟିସନ୍‌ କାହିଁକି ଓଡ଼ିଶା ହାଇକୋର୍ଟରେ ଦାଖଲ କଲ ନାହିଁ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ଓଡ଼ିଶା ହାଇକୋର୍ଟରେ ଆଇନଜୀବୀଙ୍କର ଆନ୍ଦୋଳନ ଚାଲୁଥିବାରୁ ସେ ହାଇକୋର୍ଟରେ ରିଟ୍‌ ପିଟିସନ୍‌ ଦାଖଲ କରିପାରିଲେ ନାହିଁ ବୋଲି ଶ୍ରୀ ମିଶ୍ର କହିଥିଲେ। ତ୍ବରିତ ନ୍ୟାୟ ପାଇଁ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବୋଲି କହିଥିଲେ। ବର୍ତ୍ତମାନ ହାଇକୋର୍ଟରେ ଆଇନଜୀବୀଙ୍କ ଆନ୍ଦୋଳନ ବନ୍ଦ ହୋଇଯାଇଥିବାରୁ ସେଠାରେ କାହିଁକି ଆବେଦନ କରୁନାହାନ୍ତି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ।

ଶ୍ରୀଜଗନ୍ନାଥ ମନ୍ଦିର ମାମଲାରେ ସୁପ୍ରିମ କୋର୍ଟର ଦୁଇଜଣିଆ ଖଣ୍ଡପୀଠଙ୍କ ଦ୍ବାରା ଏଫ୍‌ଆଇଆର ସମ୍ପର୍କିତ ସୂଚନା େୱବ୍‌ସାଇଟ୍‌ରେ ଅପଲୋଡ୍‌ କରିବା ପାଇଁ ଦିଆଯାଇଥିବା ନିର୍ଦ୍ଦେଶର ଉଲ୍ଲଂଘନ ହୋଇଥିବା ‌େଯାଗୁଁ ଏହି ରିଟ୍‌ ପିଟିସନ୍‌କୁ ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି କରାଯାଉ‌ ବୋଲି ଆଇନଜୀବୀ ଶ୍ରୀ ମିଶ୍ର କହିଥିଲେ। ଶେଷରେ ଦୁଇ ଜଣିଆ ଖଣ୍ଡପୀଠ ଆଇନଜୀବୀ ଶ୍ରୀ ମିଶ୍ରଙ୍କ ଯୁକ୍ତିକୁ ଶୁଣାଣି ପାଇଁ ମନା କରି ରିଟ୍‌ ପିଟିସନ୍‌କୁ ଖାରଜ କରି ଦେଇଥିଲେ।

ସମ୍ବନ୍ଧିତ ଖବର