କିଙ୍ଗ୍‌ପିନ୍‌ ଖୋଲିବ ବେଆଇନ ଖଣି ଗୁମର

ଭୁବନେଶ୍ୱର : ଖୋର୍ଦ୍ଧା ବେଆଇନ ଖଣି କାରବାରର କିଙ୍ଗପିନ୍‌ ‌କଟକର କୈଳାସ ପରିଜାକୁ କୋଲକାତାରୁ ଗିରଫ କରିଛି ଏସ୍‌ଟିଏଫ୍‌। କୋର୍ଟ ଚାଲାଣ ପରେ ତାକୁ ଅଲ୍ଲୀପୁର ସେଣ୍ଟ୍ରାଲ ଜେଲ୍‌ରେ ରଖାଯାଇଛି। ୨୨ ତାରିଖ ଦିନ ଖୋର୍ଦ୍ଧା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର ହେବା ପାଇଁ ଆଦେଶ ହୋଇଛି। କୋର୍ଟରେ ହାଜର ହେବା ପରେ ତାକୁ ରିମାଣ୍ଡରେ ଅଣାଯାଇ ପଚରାଉଚରା କରାଯିବ ବୋଲି ଏସ୍‌ଟିଏଫ୍‌ ଏସ୍‌ପି ରାହୁଲ ପି.ଆର କହିଛନ୍ତି। ଠିକ୍‌ ସେହିଭଳି ଖୋର୍ଦ୍ଧା ସଦର ଥାନା ଆଇଆଇସି ବିକ୍ରମ କେଶରୀ ଜେନା ୨୧ ତାରିଖରେ ଏସ୍‌ଟିଏଫ୍‌ରେ ଦ୍ବିତୀୟ ଦଫାରେ ହାଜର ହେବେ। ଗତକାଲି ତାଙ୍କୁ ଡକାଯାଇ ୭ ଘଣ୍ଟା ଜେରା କରାଯିବା ପରେ ଆହୁରି କିଛି ତଥ୍ୟ ମିଳିବାର ସମ୍ଭାବନା ରହିଛି। କିଙ୍ଗ୍‌ପିନ୍‌ ଓ ଆଇଆଇସିଙ୍କୁ ଜେରା ପରେ ବେଆଇନ ଖଣି କାରବାରର ମୂଳ ପର୍ଯ୍ୟନ୍ତ ପହଞ୍ଚିପାରିବ‌ ବୋଲି ଏସ୍‌ଟିଏଫ୍‌ ଆଶା ରଖିଛି। କୈଳାସଠାରୁ ମିଳିଥିବା ତଥ୍ୟକୁ ଆଧାର କରି ଏସ୍‌ଟିଏଫ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି। ‌କୈଳାସର କେତେକ ସହଯୋଗୀଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବା ଜଣାପଡ଼ିଛି। ଅନ୍ୟପଟେ ଲେଡି ଡନ୍‌ ସହ ଅନ୍ୟ ୫ଜଣଙ୍କୁ ଖୋଜିବା ପାଇଁ ୨ଟି ଟିମ୍‌ ଜିଲ୍ଲା ବାହାରକୁ ଯାଇଛି।

ରିଅଲ ଇଷ୍ଟେଟ୍‌ରୁ ବେଆଇନ ଖଣି
କୈଳାସ ମୁଖ୍ୟତଃ ରିଅଲ ଇଷ୍ଟେଟ୍‌ ବ୍ୟବସାୟ କରୁଥିଲା। ବିଭିନ୍ନ ଲୋକଙ୍କଠାରୁ ଜମି ଆଣି ତାକୁ ଡେଭଲପ କରାଇ ବିକ୍ରି କରୁଥିଲା। ୫ ବର୍ଷ ତଳେ ସେ ଶ୍ରୀମନ୍ଦିର ପ୍ରଶାସନଠାରୁ ଏକ ଖଣି ନିଲାମ ନେଇଥିଲା। ସେଠାରୁ ହିଁ ସେ ଏହି ବେଆଇନ ବେପାର ଆରମ୍ଭ କରିଥିଲା। ନିଲାମ ଯେତିକି ଜାଗାର ନେଇଥିଲା, ତା’ ଠାରୁ ଅଧିକ ଜାଗାରୁ ଖଣି ଉତ୍ତୋଳନ କରିଥିଲା। ଏହି ବେଆଇନ‌ ବେପାରକୁ ସମ୍ଭାଳିବା ପାଇଁ ସେ ଅପରାଧୀମାନଙ୍କୁ ପୋଷିବା ଆରମ୍ଭ କରିଥିଲା। ପ୍ରଥମେ ଛୋଟାକୁ କାମରେ ଲଗାଇଥିଲା। କଞ୍ଚାମାଲ ବିନା ଦ୍ବିଧାରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଛୋଟା ସମସ୍ତ ବ୍ୟବସ୍ଥା କରୁଥିଲା। ବିଭିନ୍ନ ସମୟରେ ସେ ବନ୍ଧୁକ ଓ ବ୍ରାଉନସୁଗାର ମାମଲାରେ ଧରା ପଡ଼ୁଥିଲା। ତାକୁ ମୁକୁଳାଇବା ପାଇଁ ସମସ୍ତ ବ୍ୟବସ୍ଥା କରିବା ସହ ପୁଲିସ, ଅବକାରୀ ଓ ରାଜସ୍ବ ବିଭାଗୀୟ ଅଧିକାରୀଙ୍କ ପାଇଁ ମଧ୍ୟ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରୁଥିଲା।

ନିଲାମ ଦର ବଢ଼ାଇ ଟେଣ୍ଡର ବାତିଲ କରାଉଥିଲା
କୈଳାସ ଏହି ବେଆଇନ ବେପାରରେ ବେଶ୍‌ ଅଭିଜ୍ଞ ଥିଲା। ନିଲାମ ନ ନେଇ କେବଳ ନିଲାମକୁ ଭଣ୍ଡୁର କରିବା ପାଇଁ ଯୋଜନା କରୁଥିଲା। ଜାଣି ଜାଣି ଅଧିକ ବିଡିଂ କରି ନିଲାମକୁ ବାତିଲ କରାଉଥିଲା। ବାତିଲ ହେବା ପ‌ରେ ସେ ସେହି ଜାଗାରେ ବେଆଇନ ଉତ୍ତୋଳନ କରୁଥିଲା। କାଲାଚୁଆ ନାମକ ଏକ ଜାଗାରେ ସେ ଦୀର୍ଘ ଦିନ ହେବ ଏକ ବେଆଇନ ଖଣି ଉତ୍ତୋଳନ କରି ଚାଲିଥିଲା। ଏହି ବେପାରରେ କେତେକ ଶ୍ରତୁ ମଧ୍ୟ ସୃଷ୍ଟି ହୋଇଥିଲେ। ଜୀବନ ପ୍ରତି ଭୟ ଥିବାରୁ ବର୍ଷେ ହେବ ସେ ଫୋନ୍‌ ମାଧ୍ୟମରେ ବେପାର ନିୟନ୍ତ୍ରଣ କରୁଥିଲା।

ସମ୍ବନ୍ଧିତ ଖବର