କଶ୍ମୀରରେ ଘର

ଧାରା ୩୭୦ ଅକାମି ହୋଇଯିବା ପରେ କେତେକ ମହଲରେ ଏମିତି ଗୋଟିଏ ଗୁଞ୍ଜରଣ ଶୁଣାଯିବାରେ ଲାଗିଛି ଯେ ଏଣିକି କଶ୍ମୀର ଉପତ୍ୟକାରେ ଘରବାଡ଼ି କରିବାର ବାଟ ଫିଟିଗଲା। ଭୂସ୍ବର୍ଗରେ ଏବେ ଜାଗାଟିଏ ପକାଇ ହେବ। ଧାରା ୩୭୦ରେ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରାଯାଇଥିଲା। ଏହାର ଅନ୍ତର୍ଗତ ୩୫(ଏ) ଉପଧାରା ଅନୁଯାୟୀ ବହିରାଗତମାନେ କଶ୍ମୀରରେ ଭୂସ˚ପତ୍ତି କ୍ରୟ କରିପାରୁ ନ ଥିଲେ। ଧାରା ୩୭୦ ଉଚ୍ଛେଦ ହୋଇଯିବା ପରେ ଆପଣା ଛାଏଁ ୩୫(ଏ) ତାର ଗୁରୁତ୍ବ ହରାଇଛି। ସେଥି ଲାଗି କଶ୍ମୀରରେ ବହିରାଗତମାନେ ଜାଗାବାଡ଼ି କିଣିବାର ବାଟ ପିଟିଛି। କେବଳ କିଛି ଆଇନଗତ ପରିବର୍ତ୍ତନ ପରେ ଅକ୍ଟୋବର ୩୧, ଅର୍ଥାତ୍‌ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ଜନ୍ମଦିନ ଠାରୁ ଏହା କାର୍ଯ୍ୟକାରୀ ହେବ ବୋଲି କୁହାଯାଉଛି।

କିନ୍ତୁ କଥା ହେଲା, ଜଣେ ବହିରାଗତ କଶ୍ମୀର ଉପତ୍ୟକାରେ ଘରଟିଏ କରିବାର ସ୍ବପ୍ନ କ’ଣ ସତରେ ଏତେ ସହଜରେ ଚରିତାର୍ଥ ହୋଇପାରିବ? ଅବଶିଷ୍ଟ ଭାରତର ଲୋକେ ସେଠାରେ ଘରଦ୍ବାର କରି ରହିବା ଆରମ୍ଭ କଲେ କ’ଣ କଶ୍ମୀରର ଜନସାଧାରଣଙ୍କ ସହିତ ଅବଶିଷ୍ଟ ଭାରତର ଜନସମୂହଙ୍କ ଏକ ମିଶ୍ରଣ ପର୍ବର ଅୟମାରମ୍ଭ ହୋଇଯିବ? ଏଭଳି ପ୍ରଶ୍ନର ଉତ୍ତର ତ ଭବିଷ୍ୟତ ଦେବ, କିନ୍ତୁ ବର୍ତ୍ତମାନର ପରିସ୍ଥିତି ଯାହା, ଏ ନେଇ ସତର୍କତା ଅବଲମ୍ବନ ନ କଲେ ଏହା କଶ୍ମୀରର ସ˚କଟକୁ ଆହୁରି ଅଧିକ ଘନୀଭୂତ କରିଦେଇପାରେ।

ଏବେ କଶ୍ମୀରରେ ଯେଉଁ ସମସ୍ୟାଗୁଡ଼ିକ ସବୁଠାରୁ ଅଧିକ ଗୁରୁତର, ସେଗୁଡ଼ିକ ହେଲା ଆତଙ୍କବାଦ, ବେକାରି ଓ ଦାରିଦ୍ର୍ୟ। ଏଣେ, ଧାରା ୩୭୦ର ଉଚ୍ଛେଦ ପରେ କଶ୍ମୀରର ଜନସାଧାରଣଙ୍କ ମନରେ ଏକ ପ୍ରକାର ଛନକା ସୃଷ୍ଟି ହୋଇଛି ଯେ ଏହା ଦ୍ବାରା ‘କଶ୍ମୀରୀୟତ’ ବା କଶ୍ମୀରୀପଣ ଭାରତୀୟ ମହାସ୍ରୋତରେ ନିଜ ସତ୍ତା ହରାଇ ଦେଇପାରେ। ବେକାର ଯୁବଗୋଷ୍ଠୀଙ୍କ ଭିତରେ ଭୟ ଯେ ସେଠାରେ ଯାହା ବି ରୋଜଗାର ସୁଯୋଗ ରହିଛି, ତହିଁରେ ଏବେ ବହିରାଗତମାନେ ଭାଗ ବସାଇବେ। ଏହା ନିଶ୍ଚିତ ଭାବେ ବହିରାଗତଙ୍କ ପ୍ରତି ସନ୍ଦେହ ଓ ଅବିଶ୍ବାସ ବୃଦ୍ଧି କରିବ। ଏହା ବି କେହି ଅସ୍ବୀକାର କରିପାରିବେ ନାହିଁ ଯେ କଶ୍ମୀରରେ ଆତଙ୍କବାଦୀ ସମସ୍ୟା ହେଉଛି ସବୁଠାରୁ ଅଧିକ ଦାରୁଣ ବାସ୍ତବତା। ହିଜବୁଲ ମୁଜାହିଦ୍ଦିନ ଭଳି ଆତଙ୍କବାଦୀ ସ˚ଗଠନ ତଥା ପାକିସ୍ତାନ ପ୍ରାୟୋଜିତ ସୀମା ପାର ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ କଶ୍ମୀରୀମାନଙ୍କ ଭିତରେ ସା˚ପ୍ରଦାୟିକ ବିଦ୍ବେଷର ବିଷ ଭରିଦେବାରେ ସମର୍ଥ ହୋଇପାରିଛନ୍ତି। ୧୯୮୯ ମସିହାରେ ଯେତେବେଳେ ମୁସଲମାନ ଉଗ୍ରବାଦୀମାନେ କଶ୍ମୀରରେ ରହୁଥିବା ପଣ୍ତିତମାନଙ୍କୁ ବଳପୂର୍ବକ ବନ୍ଧୁକ ମୁନରେ ସେମାନଙ୍କ ଭିଟାମାଟିରୁ ବହିଷ୍କାର କରିଦେଲେ, ସେତିକି ବେଳେ କେନ୍ଦ୍ରରେ ଥିବା ଭିପି ସି˚ହ ସରକାର ଏବ˚ କଶ୍ମୀରରେ ଥିବା ଫାରୁକ ଅବଦୁଲ୍ଲା ସରକାର ନିରବ ରହିଥିଲେ। ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ କଶ୍ମୀର ସା˚ପ୍ରଦାୟିକ ଉଗ୍ରବାଦର ଛାଇରେ ହିଁ ରହି ଆସିଛି। ଏଭଳି ଏକ ପରିସ୍ଥିତିରେ ବହିରାଗତମାନଙ୍କ ଦ୍ବାରା କଶ୍ମୀରରେ ଜାଗାବାଡ଼ି କିଣାଯିବାର ସମ୍ଭାବନା କେତେ ଦୂର ସଫଳ ହେବ, ତାହା ଘୋର ସନ୍ଦେହାସ୍ପଦ। ଏ ପରିପ୍ରେକ୍ଷୀରେ ସାମାଜିକ ଗଣମାଧୢମରେ ପ୍ରସାରିତ ଓ ପ୍ରଚାରିତ ହେଉଥିବା ସନ୍ଦେଶମାନ ଏହାର ପ୍ରମାଣ।

ଧାରା ୩୭୦ ଅଚଳ ହୋଇଯିବା ପରେ ସାମାଜିକ ଗଣମାଧୢମରେ ଏକ ‘ରିଏଲ୍‌ ଇଷ୍ଟେଟ୍’ କ˚ପାନି ଦ୍ବାରା ବିଜ୍ଞାପନ ପ୍ରକାଶିତ ହେଲା ଯେ କଶ୍ମୀରରେ ଜମିବାଡ଼ି କିଣିବାକୁ ଇଚ୍ଛୁକ ଥିବା ବ୍ୟକ୍ତିବିଶେଷ କ˚ପାନି ସହିତ ଯୋଗାଯୋଗ କରିପାରନ୍ତି। ଯଦିଓ, ଏହାକୁ କ˚ପାନି ଦ୍ବାରା ପରେ ଖଣ୍ତନ କରାଯାଇଛି, ଏହା କିନ୍ତୁ ସେଠାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। କଶ୍ମୀରରୁ ବିସ୍ଥାପିତ ପଣ୍ତିତମାନେ ଏବେ ପୁଣି ନିଜ ଭିଟାମାଟିକୁ ଫେରିବା ଲାଗି ଆଗ୍ରହ ପ୍ରକାଶ କଲେଣି। ଇତିମଧୢରେ ଏଭଳି କିଛି ଟ୍ବିଟ୍‌ ଆସିଲାଣି ଯେ କଶ୍ମୀରରେ ଥିବା ଭୂସ˚ପତ୍ତି ଏବେ ବିକ୍ରି ଲାଗି ଉପଲବ୍‌ଧ। କିନ୍ତୁ, ତାହା କିଣିବାର ଯୋଗ୍ୟତା ‘କେବଳ ହିନ୍ଦୁମାନଙ୍କର ଅଛି।’ ଏହା ସହିତ କଶ୍ମୀରରେ ଏକ ଧାରଣା ବଳ ପାଇବାରେ ଲାଗିଛି ଯେ ଧାରା ୩୭୦ର ଉଚ୍ଛେଦ କଶ୍ମୀରର ‘ଜନସା˚ଖିକୀୟ ସ˚ରଚନା’ରେ ବିପୁଳ ପରିବର୍ତ୍ତନ ଆଣିବ। ସେଠାକାର ମୁସଲମାନ ସ˚ଖ୍ୟାଗରିଷ୍ଠତାକୁ ପ୍ରତିହତ କରିବା ଲାଗି ଏହା ଏକ ଷଡ୍‌ଯନ୍ତ୍ର ବୋଲି ଏକ ବାର୍ତ୍ତା ମଧୢ ସାମାଜିକ ଗଣମାଧୢମରେ ପ୍ରବଳ ଭାବେ ପ୍ରସାରିତ ହେବାରେ ଲାଗିଛି। କଶ୍ମୀରର ମୁସଲମାନ ମୌଳବାଦୀମାନେ ଡାକରା ଦେଲେଣି ଯେ ଅଣ-କଶ୍ମୀରୀମାନେ ଏଠାରେ ଭୂ-ସ˚ପତ୍ତି କ୍ରୟକରି ରହିବାକୁ ଆସିଲେ ସେମାନଙ୍କୁ ହତ୍ୟା କର। ଏଭଳି ଏକ ପରିସ୍ଥିତିରେ ସବୁ ପକ୍ଷରୁ ବିବେଚନାବୋଧ ପ୍ରକାଶ ପାଇବା ଏକାନ୍ତ ଆବଶ୍ୟକ।

ସମସ୍ତେ ଜାଣନ୍ତି ଯେ ଧାରା ୩୭୦ ଉଚ୍ଛେଦ ପରେ କଶ୍ମୀରରେ ଏକ ଅନିଶ୍ଚିତତାର ବାତାବରଣ ସୃଷ୍ଟି ହୋଇଛି। କଶ୍ମୀରର ଜନସାଧାରଣ ଏବେ ସେମାନଙ୍କ ବର୍ତ୍ତମାନ ଓ ଭବିଷ୍ୟତ ନେଇ ଘୋର ସ˚ଶୟରେ। ଯଦି ସମୟ କ୍ରମେ କେନ୍ଦ୍ର ସରକାର କଶ୍ମୀରବାସୀଙ୍କ ବିଶ୍ବାସ ଜିଣି ପାରନ୍ତି, ତେବେ କଶ୍ମୀରକୁ ଭାରତୀୟ ମୁଖ୍ୟ ସ୍ରୋତରେ ସାମିଲ କରିବାର ପ୍ରକ୍ରିୟା ସୁଗମ ହୋଇପାରେ। ତେଣୁ, ଏ ଦିଗରେ ସରକାରଙ୍କ ଦାୟିତ୍ବ ହେଲା ଆଇନଶୃଙ୍ଖଳା ରକ୍ଷା ଲାଗି ପଦକ୍ଷେପ ନେବା ବେଳେ ସାଧାରଣ ଲୋକେ ଯେମିତି ସୁରକ୍ଷା ବଳର ଅତ୍ୟାଚାର ଓ ନିପୀଡ଼ନର ଶିକାର ନ ହୁଅନ୍ତି ତାହା ନିଶ୍ଚିତ କରିବା। ଏ କ୍ଷେତ୍ରରେ ଅବଶିଷ୍ଟ ଭାରତର ଜନସାଧାରଣଙ୍କ ମଧୢ ଏକ ଗୁରୁ ଦାୟିତ୍ବ ରହିଛି। ତାହା ହେଲା ଅଯଥା ଉତ୍ତେଜନାମୂଳକ ବୟାନବାଜି କରି ବା ବାର୍ତ୍ତା ପ୍ରସାରଣ କରି ବାତାବରଣକୁ ଅଧିକ ବିଗାଡ଼ି ଦେବାରୁ କ୍ଷାନ୍ତ ରହିବା। ଧାରା ୩୭୦ ଅକାମି ହୋଇଯିବା ପରେ କଶ୍ମୀରକୁ ବାଟ ଫିଟିଗଲା ବୋଲି ଭାବି ଧସେଇ ପଶିବା ଅପରିଣାମଦର୍ଶିତା ହେବ। ବର˚ ଏହାର ବିପରୀତ ଆଚରଣ ହେବ ବୁଦ୍ଧିମାନର କାର୍ଯ୍ୟ। ଗୋଟିଏ ଉପନଦୀ ମୁଖ୍ୟ ନଦୀରେ ମିଶିଲା ଭଳି ପ୍ରଥମେ କଶ୍ମୀରୀମାନେ ଯେମିତି ଅବଶିଷ୍ଟ ଭାରତୀୟଙ୍କ ସ୍ରୋତରେ ମିଶିବେ, ସେଥିଲାଗି ପଥ ପ୍ରସ୍ତୁତ କରାଯିବା ଆବଶ୍ୟକ। ସେମାନେ କଶ୍ମୀର ଉପତ୍ୟକାରୁ ବାହାରି ସାରା ଭାରତରେ ଖେଳେଇ ହୋଇଯାଆନ୍ତୁ। ଏ ଦେଶରେ ସେମାନଙ୍କ ପ୍ରତିଭାର ବିକାଶ ଲାଗି ରହିଥିବା ସମସ୍ତ ସୁଯୋଗର ସଦ୍‌ବ୍ୟବହାର ସେମାନେ କରନ୍ତୁ। କଶ୍ମୀରୀ ମୁସଲମାନ ଯୁବକଯୁବତୀ ନୋଇଡ଼ା ବା ପୁଣେ ବା ବେଙ୍ଗଲୁରୁ କି ଭୁବନେଶ୍ବରରେ ବହୁଳ ସ˚ଖ୍ୟାରେ ଚାକିରି କରନ୍ତୁ, ଘର ତିଆରି କରି ରହନ୍ତୁ। ତା’ ପରେ ନିଶ୍ଚିତ ଭାବେ ଅବଶିଷ୍ଟ ଭାରତୀୟଙ୍କ ଲାଗି କଶ୍ମୀରରେ ଘର କରି ରହିବାର ସ୍ବପ୍ନ ଫଳବତୀ ହେବାର ମାର୍ଗ ପ୍ରଶସ୍ତ ହେବ।

ସମ୍ବନ୍ଧିତ ଖବର