ରଥଯାତ୍ରା ପାଇଁ ପୁରୀକୁ ୨୦୦ ସ୍ୱତନ୍ତ୍ର ବସ୍‌, ତାଳବଣିଆରେ ମିଳିବ ଯାତ୍ରୀଙ୍କୁ ୫ ଟଙ୍କିଆ ମିଲ୍‌

କଟକ :ରଥଯାତ୍ରା, ବାହୁଡା, ସୁନାବେଶ ଦର୍ଶନ ପାଇଁ ପୁରୀକୁ ଚାଲିବ ଅହରହ ବସସେବା। ରାଜ୍ୟ ଭିତର ତଥା ବାହାର ରାଜ୍ୟର ଯାତ୍ରୀମାନେ ଯେପରି ସହଜରେ ପୁରୀ ଯାତ୍ରା କରିପାରିବେ ସେ ନେଇ ସ୍ୱତନ୍ତ୍ର ବନ୍ଦୋବସ୍ତ ହୋଇଛି। ଏଥିସହିତ ଯାତ୍ରୀଙ୍କ ପାଇଁ ୫ ଟଙ୍କିଆ ମିଲର ବ୍ୟବସ୍ଥା ହୋଇଛି। ସୂଚନା ଅନୁଯାୟୀ, ଆସନ୍ତା ୧୪ ତାରିଖରେ ରଥଯାତ୍ରା,୨୩ ତାରିଖରେ ବାହୁଡା ଏବଂ ୨୪ ତାରିଖରେ ସୁନାବେଶ ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ପୁରୀକୁ ଅଧିକ ୨୦୦ଟି ସ୍ପେଶାଲ ବସ ଚାଲୁ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏବେ ପୁରୀକୁ ୧୩୪ଟି ନିୟମିତ ଏବଂ ୩୦ଟି ନାଇଟ କୋଚ ବସ ଚାଲୁଥିବାବେଳେ ଏହି ୨୦୦ଟି ସ୍ପେଶାଲ ବସ କଟକରୁ ଭୁବନେଶ୍ୱର (କଳ୍ପନା) ଦେଇ ପୁରୀ ଯାତ୍ରା କରିବ। ରଥଯାତ୍ରାର ପୂର୍ବଦିନ (୧୩ ତାରିଖ), ରଥଯାତ୍ରା (୧୪ ତାରିଖ), ବାହୁଡା ପୂର୍ବଦିନ (୨୨ ତାରିଖ), ବାହୁଡା (୨୩ ତାରିଖ) ଏବଂ ସୁନାବେଶ (୨୪ ତାରିଖ) ଦିନ କଟକରୁ ପୁରୀକୁ ଏହି ୨୪ ଘଣ୍ଟିଆ ବସସେବା ମିଳିବ।

ସେହିପରି ଭୁବନେଶ୍ୱରକୁ ଆସୁଥିବା ୧୦୦ରୁ ଅଧିକ ରାତ୍ରିକାଳୀନ ବସର ଶେଷ ଗନ୍ତବ୍ୟସ୍ଥଳକୁ ପୁରୀଯାଏ ବଢାଯାଇଛି। ପଶ୍ଚିମବଙ୍ଗ, ହାଇଦ୍ରାବାଦ, ଛତିଶଗଡ, ଝାଡଖଣ୍ଡ ତଥା ଉପାନ୍ତ ଓଡିଶାର ଯାତ୍ରୀମାନେ ଏହିସବୁ ନାଇଟ କୋଚ ବସଦ୍ୱାରା ପୁରୀରେ ପହଞ୍ଚି ପାରିବେ। ପୂର୍ବ ନିର୍ଦ୍ଧାରିତ ଭଡା ଅନୁଯାୟୀ ଯାତ୍ରୀମାନେ ଯାତ୍ରୀ ଭଡା ପୈଠ କରିବେ। ଏବେ ସାଧାରଣ ବସରେ କିମି ପିଛା ୭୦, ଏକ୍ସପ୍ରେସରେ କିମି ପିଛା ୭୩, ଡିଲକ୍ସରେ କିମି ପିଛା ଟ୧. ୦୧ ପଇସା, ଏସି ଡିଲକ୍ସରେ କିମି ପିଛା ଟ ୧.୨୩ ପଇସା ଯାତ୍ରୀ ଭଡା ରହିଛି। ଏହି ସବୁ ବସଗୁଡିକ ତାଳବଣିଆରେ ରହିବେ। ସେଠାରେ ଯାତ୍ରୀଙ୍କୁ ପାଇଁ ୫ ଟଙ୍କାରେ ମିଲ ଯୋଗାଇ ଦେବା ପାଇଁ ବ୍ୟବସ୍ଥା ହୋଇଛି। ଏହାର ଦାୟିତ୍ୱ ଅକ୍ଷୟ ଫାଉଣ୍ଡେସନକୁ ପ୍ରଦାନ କରାଯାଇଛି। ସେହପରି ତାଳବଣିଆ ବସଷ୍ଟାଣ୍ଡରୁ ଦିବ୍ୟାଙ୍ଗ ଯାତ୍ରୀଙ୍କୁ ମାଗଣାରେ ବଡଦାଣ୍ଡରେ ପହଞ୍ଚାଇବା ପାଇଁ ୪ ଟି ବିଦ୍ୟୁତଚାଳିତ କାରକୁ ନିୟୋଜିତ କରାଯିବ। ଅନ୍ୟପଟେ ଯାତ୍ରୀମାନଙ୍କ ସୁବିଧା ପାଇଁ ତାଳବଣିଆ, କଟକର ପାଲାମଣ୍ଡପ ବସଷ୍ଟାଣ୍ଡରେ ସ୍ୱତନ୍ତ୍ର ଭାବେ ଅସ୍ଥାୟୀ ବିଶ୍ରାମାଗାର ନିର୍ମିତ ହେବ।

ଏଥିସହିତ ଯାତ୍ରୀମାନଙ୍କୁ ଆପଦକାଳୀନ ସେବା ଯୋଗାଇ ଦେବା ପାଇଁ ପିପିଲି, ସାମନ୍ତରାପୁର, କୋଣାର୍କ, କଳ୍ପନା, ପୁରୀଠାରେ ୧୦ ଗୋଟି ଆମ୍ବୁଲାନସ ଏବଂ କ୍ରେନର ବନ୍ଦୋବସ୍ତ ହୋଇଛି। ସେହିପରି ରାସ୍ତାରେ ବ୍ରେକଡାଉନ ଗାଡିଗୁଡିକର ମରାମତି ପାଇଁ କଟକ-ପୁରୀ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଭ୍ରାମ୍ୟମାଣ ଗ୍ୟାରେଜ ଖୋଲାଯିବାକୁ ସ୍ଥିର ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି କଟକସ୍ଥିତ ରାଜ୍ୟ ପରିବହନ କମିଶନରଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପରିବହନ କମିଶନର ମଧୁସୂଦନ ପାଢୀ, ସଚିବ ଇଗନିଶ ହାସଁଦା, ଅତିରିକ୍ତ କମିଶନର ସମ୍ବିତ ପାଣିଗ୍ରାହୀ, ପୁରୀର ଅତିରିକ୍ତ ଏସପି ଲିଙ୍ଗରାଜ ପାଣିଗ୍ରାହୀ, ରାଜ୍ୟ ଘରୋଇ ବସ ମାଲିକ ସଂଘ ସଭାପତି ପ୍ରକାଶ ମିଶ୍ର, ସମ୍ପାଦକ ଦେବେନ୍ଦ୍ର ସାହୁ, କଟକ ଜିଲ୍ଲା ଘରୋଇ ବସ ମାଲିକ ସଂଘ ସଭାପତି ଅଜୟ କୁମାର ବାରିକ, ସମ୍ପାଦକ ବିଭୂତି ଭୂଷଣ ଜେଠୀ, କଟକ,ଭୁବନେଶ୍ୱର,ପୁରୀର ଏମଭିଆଇ, ଟ୍ରାଫିକ ଇନ୍‌ସପେକ୍ଟର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର