ଦୁଇ ମହଲା କୋଠା ମାଲିକଙ୍କୁ ସରକାରୀ ଆବାସ!

ରାଜନଗର : ଚାଳଘରେ ରହୁଥିବା ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ସ୍ୱପ୍ନ ପାଲଟିଥିବା ବେଳେ ଦୁଇମହଲା କୋଠାଘର ଥିବା ଦୁଇଟି ପରିବାରକୁ ଦୁଇଟି ଲେଖାଏଁ ସରକାରୀ କୋଠା ଧରାଇ ଦିଆଯାଇଛି। ଫାଇଲ୍‌ରେ ଓ ୱେବ୍‌ସାଇଟ୍‌ରେ ମିଛ ଫଟୋ ଅପ୍‌ଲୋଡ କରି ଏଭଳି କାରନାମା କରାଯାଇଛି। ରାଜନଗର ବ୍ଲକ ଅନ୍ତର୍ଗତ ଓସ୍ତିଆ ପଞ୍ଚାୟତରେ ଏଭଳି ଘଟଣା ନଜରକୁ ଆସିଛି। ଏ ନେଇ ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ।

ପ୍ରକାଶ ଯେ ଓସ୍ତିଆ ପଞ୍ଚାୟତ ଅଧୀନ ଭଗବାନପୁର ଗାଁର ହରିଚରଣ ରାଉତଙ୍କର ଦୁଇ ମହଲା କୋଠାଘର ରହିଛି। ଏହି କୋଠାରେ ୧୦ ବଖରା ଘର ରହିଛି। ପରିବାରର ଅଚଳାଚଳ ସମ୍ପତ୍ତି ସହିତ ଏକ କାର୍‌ ରହିଛି। ମାତ୍ର ହରିଚରଣଙ୍କ ଦୁଇପୁଅଙ୍କ ନାଁରେ ଦୁଇଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୋଠାଘର ଯୋଗାଇ ଦିଆଯାଇଛି। ସେମାନେ ଗରିବ ଲୋକ, ରହିବାକୁ କୋଠାଘର ନାହିଁ, ଭଙ୍ଗାଚାଳ ଘରେ ପରିବାର ପଡ଼ିରହିଛି ବୋଲି ଦର୍ଶାଇ ହରିଚରଣଙ୍କ ଦୁଇପୁଅ ପ୍ରମୋଦ ଓ ପ୍ରଶାନ୍ତ ୨୦୧୭-୧୮ ଆର୍ଥକବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁଇଟି କୋଠା ହାତେଇ ନେଇଛନ୍ତି। ହରିଚରଣଙ୍କର ୨୦ ବର୍ଷ ତଳୁ ଗାଁରେ ଦୁଇମହଲା କୋଠାଘର ଥିବା ବେଳେ କିପରି ତାଙ୍କର ଦୁଇପୁଅଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସରକାରୀ କୋଠା ଯୋଗାଇ ଦିଆଗଲା, ସେ ନେଇ ପ୍ରଶ୍ନ ଉଙ୍କିମାରିଛି। ସେହିପରି ଓସ୍ତିଆ ପଞ୍ଚାୟତ ଜଗନ୍ନାଥପୁର ଶାସନ ଗାଁର ବଳଦେବ ମିଶ୍ରଙ୍କର ମଧ୍ୟ ଗାଁରେ ଦୁଇମହଲା କୋଠା ରହିଛି। ବଳଦେବଙ୍କ ଦୁଇପୁଅ ବିମ୍ବାଧର ମିଶ୍ର ଏବଂ ବିନାୟକ ମିଶ୍ରଙ୍କୁ ୨୦୧୮-୧୯ ଆର୍ଥକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁଇଟି ଘର ଯୋଗାଇ ଦିଆଯାଇଛି।

ସରକାରଙ୍କ ନିୟମ ମୁତାବକ, ସାମାଜିକ ଅର୍ଥନୈତିକ ସର୍ଭେ ତାଲିକାରେ ନାଁ ନଥିବା ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସରକାରୀ କୋଠା ଯୋଗାଇ ଦିଆଯାଉଛି। ଏହି ତାଲିକାରେ ଥିବା ବ୍ୟକ୍ତି ଯଦି ପୂର୍ବରୁ ସରକାରୀ କୋଠା ପାଇଥାନ୍ତି, କିମ୍ବା ତାଙ୍କର କୋଠାଘର ଥାଏ, ସେହି ବ୍ୟକ୍ତି ସରକାରୀ କୋଠା ପାଇପାରିବ ନାହିଁ। ଯୋଜନାରେ ଜଣେ ବ୍ୟକ୍ତି ମନୋନୀତ ହେବା ପରେ ପଞ୍ଚାୟତର ନିର୍ବାହୀ ଅଧିକାରୀ-ଜିଆର୍‌ଏସ୍‌ ହିତାଧିକାରୀଙ୍କ ଘର ନିକଟରେ ପହଞ୍ଚି ସେ ରହୁଥିବା ଘରର ଫଟୋ ଉଠାଇବେ। ସେ ଘର ପାଇବାକୁ ଯୋଗ୍ୟ କି ନୁହନ୍ତି, ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବେ। ହିତାଧିକାରୀଙ୍କଠାରୁ କାଗଜପତ୍ର ଆଣିବା ପରେ ବ୍ଲକ କାର୍ଯ୍ୟାଳୟରୁ ତାଙ୍କୁ ସରକାରୀ ଆବାସ ଯୋଗାଇ ଦେବାକୁ ମଂଜୁର କରାଯାଇଥାଏ। ଫାଇଲ୍‌ରେ ଓ ୱେବ୍‌ସାଇଟ୍‌ରେ ଦୁଇ ପରିବାରର ଚାଳଘର ଥିବା ମିଛ ଫଟୋ ଅପ୍‌ଲୋଡ କରି ଦୁଇ ପରିବାରଙ୍କୁ ୪ଟି ସରକାରୀ କୋଠା ଯୋଗାଇ ଦିଆଯାଇଥିବାରୁ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର