ବିଜେପି ଆସିଲେ ବିକାଶ ୨ଗୁଣା ହେବ: ହିମନ୍ତ ବିଶ୍ବଶର୍ମା

ନମ୍ବର ହଟିବ, ଗାଁକୁ ମିଳିବ ସ୍ବତନ୍ତ୍ର ନାଁ

ମାଲକାନଗିରି/କାଲିମେଳା/ଖଲ୍ଲିକୋଟ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଆଜି ଚିତ୍ରକୋଣ୍ଡା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମାଥିଲି, ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଓ ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏମ୍‌ପିଭି-୮୨ ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ। ବିଜେପି ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବା ସହ ସେ ଭୋଟ ମାଗିଥିଲେ। ଖଲ୍ଲିକୋଟ ବିଜୟ ସଂକଳ୍ପ ଅଭିଯାନରେ ଯୋଗ ଦେଇ ଶ୍ରୀ ବିଶ୍ବଶର୍ମା କହିଲେ, ଓଡ଼ିଶା ୨୫ ବର୍ଷ ହେଲା ଗୋଟିଏ ସରକାରକୁ ଶାସନର ସୁଯୋଗ ଦେଇଆସୁଛି। କିନ୍ତୁ ବିଜେପିକୁ ଥରେ ସୁଯୋଗ ଦେଲେ ଓଡ଼ିଶାରେ ବିକାଶ ଦୁଇଗୁଣା ହେବ। ସଂପ୍ରତି ଦେଶର ଅନ୍ୟାନ୍ୟ ରାଜ୍ୟରେ ବିଜେପି କ୍ଷମତାସୀନ ହୋଇପାରିଛି। ଓଡ଼ିଶାରେ ବି ଏଥର ପରିବର୍ତ୍ତନର ହାୱା ବହୁଛି। ବିଜେପି ନିଶ୍ଚିତ ଭାବେ ସରକାର ଗଢ଼ିବ ବୋଲି ହିମନ୍ତ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଓଡ଼ିଶାରେ ବିଜେପି କ୍ଷମତା ହାସଲ ‌ହେଲେ ରାଜ୍ୟବାସୀ ବିନା ମୂଲ୍ୟରେ ଅଯୋଧ୍ୟା ଯାଇ ପ୍ରଭୁ ଶ୍ରୀରାମଲାଲାଙ୍କ ଦର୍ଶନ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

ଏମ୍‌ପିଭି-୮୨ ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଶ୍ରୀ ବିଶ୍ବଶର୍ମା କହିଲେ, ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଲେ ସମସ୍ତ ବିଦ୍ୟାଳୟରେ ବଙ୍ଗାଳୀ ଭାଷା ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ନମ୍ବରରୁ କଏଦୀଙ୍କୁ ଚିହ୍ନଟ କରାଯାଏ, ଗାଁକୁ ନୁହେଁ। ତେଣୁ ଗାଁକୁ ନୂଆ ପରିଚୟ ଦେବାକୁ ବିଜେପି ସରକାର ନିଶ୍ଚିତ ପଦକ୍ଷେପ ନେବ। ଡବଲ୍‌ ଇଞ୍ଜିନ୍‌ ସରକାର ହେଲେ ପ୍ରଥମ କାମ ହେବ ବଙ୍ଗୀୟ ଗାଁ ଗୁଡ଼ିକୁ ରାଜସ୍ବ ଗାଁ ମାନ୍ୟତା ଦେବା। ଆଉ ନମ୍ବର ନୁହେଁ, ସ୍ବତନ୍ତ୍ର ନାଁରେ ପରିଚିତ ହେବ ସବୁ ବଙ୍ଗୀୟ ଗାଁ। ଅଭିଭାଷଣ ଆରମ୍ଭ କରି ସିଧାସଳଖ ବିଜେଡି ଓ ରାଜ୍ୟ ସରକାର ବିରୋଧରେ ଗର୍ଜନ କରିଥିଲେ। ଅଧା ବଙ୍ଗାଳୀ ଏବଂ ଅଧା ହିନ୍ଦୀରେ ସମ୍ବୋଧନ କରି କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଢ଼େ ଚାରି କୋଟିଙ୍କ ପାଇଁ କିଛି କରିନାହାନ୍ତି। ଯାହା ବି କରିଛନ୍ତି ପାଣ୍ଡିଆନଙ୍କ ପାଇଁ କରିଛନ୍ତି। ସେ ଓଡ଼ିଶାକୁ ଭଲପାଆନ୍ତି ନାହିଁ, କେବଳ ପାଣ୍ଡିଆନଙ୍କୁ ଭଲପାଆନ୍ତି। କେବଲ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀଙ୍କୁ ଯାହା ପଚାରିଲେ କେବଳ ଓକେ ଓକେ ବୋଲି କୁହନ୍ତି। ୨୫ବର୍ଷରେ ଓଡ଼ିଆ ଶିଖିପାରିଲେ ନାହିଁ। ବଙ୍ଗାଳୀ ଭାଇଭଉଣୀଙ୍କ ପାଇଁ ରାଜ୍ୟ ସରକାର କ’ଣ କରିଛନ୍ତି ବୋଲି ହିମନ୍ତ ପ୍ରଶ୍ନ କରିଥିଲେ।

ନମ୍ବର ହଟିବ, ଗାଁକୁ ମିଳିବ ସ୍ବତନ୍ତ୍ର ନାଁ
ବଙ୍ଗଳା ଭାଷାର ଶିକ୍ଷକ ନିଯୁକ୍ତ ହେବେ
ପାଣ୍ଡିଆନଙ୍କୁ ବେଶି ଭଲପାଆନ୍ତି ନବୀନ

ଆସାମ ଭଳି ଛୋଟ ରାଜ୍ୟର ସରକାର ନିଜସ୍ବ ଖର୍ଚ୍ଚରେ ୧ଲକ୍ଷ ଶ୍ରଦ୍ଧାଳୁଙ୍କ ନିମନ୍ତେ ରାମ ମନ୍ଦିର ଦର୍ଶନ ବ୍ୟବସ୍ଥା କରିଛନ୍ତି। ଓଡ଼ିଶାରେ ବିଜେପି ସରକାର ଆସିଲେ ୫ଲକ୍ଷ ଶ୍ରଦ୍ଧାଳୁଙ୍କୁ ରାମ ମନ୍ଦିର ଦର୍ଶନ ବ୍ୟବସ୍ଥା କରାଯିବ। ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୩୧୦୦ଟଙ୍କା ମିଳିବ। ସୁଭଦ୍ରା ଯୋଜନାରେ ଛତିଶଗଡ଼ରେ ମହିଳାଙ୍କୁ ମାସିକ ୧୦୦୦ଟଙ୍କା ଏବଂ ଆସାମରେ ୧୨୫୦ଟଙ୍କା ମିଳୁଛି। ଓଡ଼ିଶାରେ ମାସିକ ନୁହେଁ ବାର୍ଷିକ ମହିଳାଙ୍କୁ ୫୦ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବ। ସାମାଜିକ ସୁରକ୍ଷା ଯୋଜନାରେ ମାସିକ ଭତ୍ତା ୩ହଜାର ଟଙ୍କା ମିଳିବ। ଏହାପରେ ଶ୍ରୀ ବିଶ୍ବଶର୍ମା ମାଥିଲିରେ ଆୟୋଜିତ ସମାବେଶରେ ଯୋଗ ଦେଇଥିଲେ। ନବରଂଗପୁର ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ ରେଳ ପ୍ରକଳ୍ପ ଏବଂ ବଙ୍ଗାଳୀ ଭାଷାଭାଷୀଙ୍କୁ ଅବହେଳା କରାଯାଇଥିବା ଅଭିଯୋଗ କରିଥିଲେ। ସେହିପରି ମାଲକାନଗିରି ବିଧାୟକ ପ୍ରାର୍ଥୀ ନରସିଂହ ମାଡ଼କାମୀ ଏବଂ ଚିତ୍ରକୋଣ୍ଡା ପ୍ରାର୍ଥୀ ଡମ୍ବରୁ ଶିଶା ଜନତାଙ୍କୁ ସମ୍ବୋଧିତ କରିଥିଲେ। ବିଜେପି ନେତା ଭବାନୀ ଶଙ୍କର ମୁଖାର୍ଜୀ ସଭାକୁ ପରିଚାଳନା କରିଥିଲେ। ଜିଲ୍ଲା ସଭାପତି ନିମାଇଁ ପାଲ, କାର୍ଯ୍ୟକ୍ରମ ସଂଯୋଜକ ସଞ୍ଜୟ ସରକାର, ସାଧାରଣ ସଂପାଦକ ମାଣିକ ଚକ୍ରବର୍ତ୍ତୀ, ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିରସାନି, ବିଜେପିର ସୁକମା ଜିଲ୍ଲା ସଭାପତି ଧନିରାମ ବାସେର୍‌ ଓ ବିଜେପି ନେତା କଳଲେଶ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର