ମାଟ୍ରିକ୍‌ ପରୀକ୍ଷା ଦେଉଛନ୍ତି ବାଲିଗୁଡ଼ା ବିଧାୟକ

ତୁମୁଡ଼ିବନ୍ଧ : ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଦେଉଛନ୍ତି ବାଲିଗୁଡ଼ା ବିଧାୟକ ରାଜୀବ ପାତ୍ର। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ଜଳେଶପଟ୍ଟା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ବିଧାୟକ ଶ୍ରୀ ପାତ୍ର ଏହି ପରୀକ୍ଷା ଦେଉଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀ ପାତ୍ର ୮ମ ଶ୍ରେଣୀ ଅଧାରୁ ପାଠ ଛାଡ଼ିଥିଲେ।

ଯେଉଁମାନେ ୫ମ ଶ୍ରେଣୀ ପାସ୍‌ କରିଥିବେ ଓ କୌଣସି କାରଣରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ାରୁ ବଞ୍ଚିତ ହୋଇଥିବେ, ସେମାନଙ୍କ ପାଇଁ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ ବିଶେଷ ପାଠ୍ୟକ୍ରମ ଜରିଆରେ ମାଟ୍ରିକ (ଦଶମ ଶ୍ରେଣୀ) ପରୀକ୍ଷା ଦେବାର ବ୍ୟବସ୍ଥା କରିଛନ୍ତି। ଏଥିଲାଗି ବୟସ ସୀମା ମଧ୍ୟ ରଖାଯାଇନାହିଁ। ବିଧାୟକ ଶ୍ରୀ ପାତ୍ର ଏହି ପାଠ୍ୟକ୍ରମର ସୁଯୋଗ ନେବା ସହ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଛନ୍ତି। ଏହି ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି ଓ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।

ଆଜି ଅନ୍ୟ ପରୀକ୍ଷାର୍ଥୀଙ୍କ ଭଳି ବିଧାୟକ ପୂର୍ବାହ୍ନ ସାଢେ ୯ଟାରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। ଏହାପରେ ପ୍ରବେଶ ପତ୍ର ଦେଖାଇ ହଲ୍‌କୁ ଯାଇ ପରୀକ୍ଷା ଦେଇଥିଲେ। ତେବେ ବିଧାୟକଙ୍କ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇ ନଥିଲା ବୋଲି ବିଦ୍ୟାଳୟ କର୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର