ପ୍ରଧାନ ବିଚାରପତିଙ୍କ ବିରୋଧରେ ମହା ଅଭିଯୋଗ ପ୍ରସ୍ତାବ ଦୁର୍ଭାଗ୍ୟଜନକ : ଧର୍ମେନ୍ଦ୍ର

ଭୁବନେଶ୍ୱର : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ବିରୋଧରେ କଂଗ୍ରେସ ଓ ଆଉ କିଛି ଦଳ ମହା ଅଭିଯୋଗ ପ୍ରସ୍ତାବ ଆଣିବା ଦୁର୍ଭାଗ୍ୟଜନକ। ୨୦୧୯ ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଆସନ୍ନ ପରାଜୟକୁ ପାଖରେ ଦେଖି ଭାରତର ବିଚାର ବ୍ୟବସ୍ଥା ଉପରେ କଂଗ୍ରେସ ଅନାସ୍ଥା ବ୍ୟକ୍ତ କରୁଛି ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଟ୍ଵିଟ୍‌ କରି ଶ୍ରୀ ପ୍ରଧାନ କହିଛନ୍ତି, ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ନିରପେକ୍ଷତା ଓ ଆଇନଗତ ଦକ୍ଷତା ନେଇ ପ୍ରଶ୍ନ କରାଯାଇ ନ ପାରେ। କଂଗ୍ରେସ ଦଳ ସବୁବେଳେ ନିଜର ପସନ୍ଦକୁ ଜାହିର କରିବାରେ ବିଫଳ ହେଲେ ଅବିଶ୍ୱାସର ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରିଥାଏ। ଏହାର ଲମ୍ବା ଇତିହାସ ରହିଛି। କଂଗ୍ରେସ ଇଭିଏମ୍‌ର ନିରପେକ୍ଷତାକୁ ନେଇ ଅବିଶ୍ୱାସ ବ୍ୟକ୍ତ କରିଛି। ଦେଶର ଅର୍ଥନୀତିରେ ବିକାଶ ସତ୍ତ୍ୱେ କଂଗ୍ରେସ ଦଳ ଅର୍ଥନୈତିକ ବିକାଶ ଉପରେ ମଧ୍ୟ ପ୍ରଶ୍ନ ଚିହ୍ନ ଲଗାଇଛି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଜଣେ ସଫଳ ଓ ସୁଯୋଗ୍ୟ ଓଡ଼ିଆ ବ୍ୟକ୍ତିତ୍ୱ ଜଷ୍ଟିସ୍‌ ମିଶ୍ରଙ୍କ ବିରୋଧରେ ମହା ଅଭିଯୋଗ ଆଣୁଥିବା କଂଗ୍ରେସ ଦଳର ଆଭିମୁଖ୍ୟ ସବୁବେଳେ ଓଡ଼ିଆ ବିରୋଧୀ ରହିଛି। କେନ୍ଦ୍ରରେ ଦୀର୍ଘ ଦଶନ୍ଧି ଶାସନରେ ଥିବା କଂଗ୍ରେସ ସରକାର ବାରମ୍ବାର ଓଡ଼ିଶାକୁ ଅଣଦେଖା କରି ରାଜ୍ୟକୁ ତା’ର ହକ୍‌ ଦେଇ ନାହିଁ।

ଦୁଷ୍କର୍ମକାରୀଙ୍କ ମନରେ ଭୟ ସୃଷ୍ଟି ହେବ : ଧର୍ମେନ୍ଦ୍ର

ଭୁବନେଶ୍ୱର : ୧୨ ବର୍ଷରୁ କମ୍‌ ବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ମୃତ୍ୟୁଦଣ୍ଡ ପାଇଁ କ୍ୟାବିନେଟ୍‌ରେ ଅଧ୍ୟାଦେଶକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଟ୍ଵିଟ୍‌ କରି ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥାରେ ନୁହେଁ କାର୍ଯ୍ୟରେ ବିଶ୍ୱାସ କରନ୍ତି। ପୋକ୍ସୋ ଆଇନ୍‌କୁ ଆହୁରି କଡ଼ା କରି ବହୁ ପ୍ରତୀକ୍ଷିତ ସଂଶୋଧନ ମାଧ୍ୟମରେ କମ୍‌ ବର୍ଷର ବାଳିକାମାନଙ୍କୁ ଦୁଷ୍କର୍ମ ମାମଲାରେ ମୃତ୍ୟୁଦଣ୍ଡ ପାଇଁ କେନ୍ଦ୍ର କ୍ୟାବିନେଟ୍‌ରେ ନିଷ୍ପତ୍ତି ଏହାକୁ ପ୍ରମାଣିତ କରୁଛି। ଏହି ବହୁ ପ୍ରତୀକ୍ଷିତ ସଂଶୋଧନ ହେବା ପରେ ଏହି ଜଘନ୍ୟ ଅପରାଧ ଘଟାଉଥିବା ବ୍ୟକ୍ତିଙ୍କ ମନରେ ଭୟ ସୃଷ୍ଟି ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର