ରାସେଶ୍ବରୀଙ୍କ ଘରେ ଜୟ ନାରାୟଣ

ସମ୍ବଲପୁର: ରାଜନୀତିରେ ସବୁକିଛି ସମ୍ଭବ। ଦିନ ଥିଲା ଉଭୟ ଥିଲେ ପରସ୍ପରର ରା‌ଜନୈତିକ ପ୍ରତିଦ୍ବନ୍ଦ୍ବୀ। ତୀବ୍ର ବିରୋଧୀ। ଜଣେ ଅନ୍ୟ ଜଣକର ନାଁ’ ଶୁଣିଲେ ଏକ ପ୍ରକାର ଡେଉଁଥିଲେ। ହେଲେ, ସମୟ ବଦଳିବା ସହିତ ସଂପର୍କ ବି ବଦଳିବାରେ ଲାଗିଛି। ଆଜି ସନ୍ଧ୍ୟାରେ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ବାସଭବନରେ ପହଂଚିଥିଲେ ବିଧାୟକ ଜୟନାରାୟଣ ମିଶ୍ର। ପାଖାପାଖି ଏକ ଘଣ୍ଟା ଧରି ଆଲୋଚନା କରିଥିଲେ।

ଗତ ୨୦୧୪ ମସିହା ବିଧାନସଭା ନିର୍ବାଚନରେ ପ୍ରଥମ ପଦାର୍ପଣରେ ହିଁ ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ ତିନିଥରର ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ପରାସ୍ତ କରିଥିଲେ। ତେବେ, ୨୦୧୯ ମସିହା ନିର୍ବାଚନରେ ରାସେଶ୍ବରୀଙ୍କୁ ପରାସ୍ତ କରି ଜୟନାରାୟଣ ପୂର୍ବ ପରାଜୟର ମଧୁର ପ୍ରତିଶୋଧ ନେଇଥ‌ିଲେ। ଚଳିତ ନିର୍ବାଚନରେ ବିଜେଡି ରାସେଶ୍ବରୀଙ୍କୁ ଟିକେଟ ଦେଇଥିଲେ ଦୁହେଁ ପୁଣି ଥରେ ମୁହାଁମୁହିଁ ହୋଇଥା’ନ୍ତେ। ହେଲେ ସମର୍ଥକଙ୍କ ପ୍ରତିବାଦ, ରାଲି ଆଦି ସତ୍ତ୍ବେ ବିଜେଡି ସମ୍ବଲପୁର ବିଧାନସଭା ଆସନରୁ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ଏଥର ଟିକେଟ ଦେଇଛି। ଏପଟେ ଟିକେଟ ନମିଳିବା କାରଣରୁ ରାସେଶ୍ବରୀ ବିଜେଡିରୁ ଇସ୍ତଫା ଦେଇଛନ୍ତି। ରାସେଶ୍ବରୀଙ୍କୁ ସମର୍ଥନ କରି ୪୧ଜଣ ପଦାଧିକାରୀ ଓ ସକ୍ରିୟ କର୍ମୀ ଦଳରୁ ଇସ୍ତଫା ଦେଇଛନ୍ତି। ରାସେଶ୍ବରୀ ଇସ୍ତଫା ଘୋଷଣା ସମୟରେ ଆଉ କୌଣସି ଦଳରେ ଯୋଗ‌ଦେବେ ନାହିଁ, କିନ୍ତୁ ଜନସେବା ଜାରି ରଖିବେ ବୋଲି ସ୍ପଷ୍ଟ କରିଥିଲେ। କିଛିଦିନ ତଳେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଚାନକ ତାଙ୍କ ବାସଭବନରେ ପହଂଚି ରାସେଶ୍ବରୀଙ୍କ ଆଶୀର୍ବାଦ ନେଇଥିଲେ। ଟିକିଏ ବିଳମ୍ବରେ ହେଲେ ବି ଜୟନାରାୟଣ ମଧ୍ୟ ରାସେଶ୍ବରୀଙ୍କୁ ଭେଟିଛନ୍ତି।

‘‘ମୁଁ ଜଣେ ଭୋଟର୍‌। ସେ ଜଣେ ପ୍ରାର୍ଥୀ। ତେଣୁ, ସେ ମୋତେ ସୌଜନ୍ୟମୂଳକ ସାକ୍ଷାତ କରିବାକୁ ଆସିଥିଲେ। ମୁଁ ବୁର୍ଲାରେ ଡାକ୍ତର ଥିବା ବେଳେ ଜୟନାରାୟଣ ବୁର୍ଲାରେ ରହୁଥିଲେ। ସେହିଦିନରୁ ଠାରୁ ଆମର ସଂପର୍କ। ଅବଶ୍ୟ ପରେ ମୁଁ ରାଜନୀତିକୁ ଆସିବା ପରେ ପ୍ରତିଦ୍ବନ୍ଦ୍ବୀ ହୋଇଗଲୁ। ତେବେ, ଜୟନାରାୟଣ ଅସୁସ୍ଥ ଥିବା ସମୟରେ ତାଙ୍କ ବାସଭବନକୁ ଯାଇ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲି’’ ବୋଲି ରାସେଶ୍ବରୀ କହିଛନ୍ତି। ଜୟନାରାୟଣଙ୍କୁ ପଚାରିବାରୁ ସେ କହିଲେ, ଆଶୀର୍ବାଦ ନେବା ପାଇଁ ତାଙ୍କ ବାସଭବନକୁ ଯାଇଥିଲି। ଆର୍ଶୀବାଦ ନେଇଆସିଲି।

ସମ୍ବନ୍ଧିତ ଖବର